ଭୁବନେଶ୍ବର ୧୮।୯: ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣର ସଂଶୋଧିତ କାର୍ଯ୍ୟସୂଚୀ । ଆଗାମୀ ପୌର ନିର୍ବାଚନକୁ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟାର ସଂଶୋଧିତ ସମୟସୂଚୀ ଜାରି କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ । ୧୮ ସେପ୍ଟେମ୍ବର ୨୦୨୬ର ଚିଠିରେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ବୌଦ୍ଧ ଜିଲ୍ଲାକୁ ଏହି ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି ।

ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ ୨୪ ସେପ୍ଟେମ୍ବର ସୁଦ୍ଧା ପୌରସଂସ୍ଥା ଓ ଏନଏସିଗୁଡ଼ିକର ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ସମ୍ପର୍କିତ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯିବ । ଏହାପରେ ଜନସାଧାରଣଙ୍କ ଠାରୁ ଆପତ୍ତି ଓ ପ୍ରସ୍ତାବ ଗ୍ରହଣ କରାଯିବ । ୩ ଅକ୍ଟୋବର ଆପତ୍ତି ଓ ପ୍ରସ୍ତାବ ଦାଖଲର ଶେଷ ତାରିଖ ରହିଛି । ୭ ଅକ୍ଟୋବର ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କିତ ପ୍ରୋଭିଜନାଲ୍ ବିଜ୍ଞପ୍ତି ପ୍ରକାଶ ପାଇବ । ୭ ଅକ୍ଟୋବରରୁ ୨୧ ଅକ୍ଟୋବର ମଧ୍ୟରେ ସରକାରଙ୍କ ନିକଟରେ ଅପିଲ୍ କରାଯାଇପାରିବ । ଅପିଲ୍ ଗୁଡ଼ିକର ଶୁଣାଣି ଓ ନିଷ୍ପତ୍ତି ପ୍ରକ୍ରିୟା ୨୬ରୁ ୨୮ ଅକ୍ଟୋବର ମଧ୍ୟରେ ଶେଷ କରାଯିବ । ଅପିଲ୍ ର ନିଷ୍ପତ୍ତି ପରେ ଆବଶ୍ୟକ ସଂଶୋଧନ କରି ୩୧ ଅକ୍ଟୋବର ୨୦୨୬ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରିବେ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ।

ବିଭାଗର ନିର୍ଦ୍ଦେଶ ଅନୁସାରେ, ମିଳିଥିବା ଅପିଲ୍ ଗୁଡ଼ିକୁ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କ ମତାମତ ସହ ୨୨ ଅକ୍ଟୋବର ସୁଦ୍ଧା ମ୍ୟୁନିସିପାଲ୍ ଆଡମିନିଷ୍ଟ୍ରେସନ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ପଠାଇବାକୁ କୁହାଯାଇଛି । ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପରେ ଏହାର ନକଲ ରାଜ୍ୟ ନିର୍ବାଚନ କମିଶନ, ରାଜ୍ୟ ସରକାର ଏବଂ ସମ୍ପୃକ୍ତ ପୌରସଂସ୍ଥା/ଏନଏସିକୁ ପଠାଯିବ । ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ପୌର ନିର୍ବାଚନର ପରବର୍ତ୍ତୀ ପ୍ରକ୍ରିୟା ଆଗକୁ ବଢ଼ିବ ।