ଭୁବନେଶ୍ବର ୨୭।୫: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଉପାନ୍ତରୁ ଉପକୂଳ ସବୁଠି ଗରମ ଆଉ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ସକାଳୁ ସକାଳୁ ଆରମ୍ଭ ହୋଇଯାଉଛି ଗୁଳୁଗୁଳି । ନା ଘରେ ରହି ହେଉଛି ନା ବାହାରକୁ ବାହାରି ହେଉଛି । ଦିନ ହେଉ କି ରାତି ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଛି । ପଶ୍ଚିମ ଓଡ଼ିଶାରେ ସ୍ଥିତି ସାଂଘାତିକ । ଗରମ ଓ ଗୁଳୁଗୁଳିରେ କଲବଲ ହେଉଛି ଜନଜୀବନ । ଉପକୂଳ ଓ ଉତ୍ତର ଓଡ଼ିଶାରେ ତ ସ୍ଥିତି ଆହୁରି ଖରାପ । ଏମିତି ସ୍ଥିତିରେ ପାଣିପାଗ ବିଭାଗ କହୁଛି, ଆହୁରି ୩ ଦିନ ଯାଏଁ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ୨୯ ପୂର୍ବରୁ ତାତିରୁ ମିଳିବନି ତ୍ରାହି ।

ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା । ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି । ତେବେ ହିଟ୍‌ୱେଭରେ ୨୨ ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା । ସେଥିରୁ ୩ ଜଣଙ୍କ ଅଂଶୁଘାତ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ମୃତକ ୩ ଜଣ ହେଲେ ସୁବର୍ଣ୍ଣପୁର, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାର ।ସେପଟେ ମେ’ ୨୫ରୁ ୨୯ ଯାଏଁ ତାପମାତ୍ରାରେ ନିସ୍ତାର ନାହିଁ । ରାଜ୍ୟରେ ସାଙ୍ଘାତିକ ହେବ ହିଟ୍‌ୱେଭ । ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ବୌଦ୍ଧ ଜିଲ୍ଲାର କିଛି ସ୍ଥାନ ପାଇଁ ରେଡ୍ ଆଲର୍ଟ ଦିଆଯାଇଛି । ସେହିଭଳି ଝାରସୁଗୁଡା, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । କନ୍ଧମାଳ, ବରଗଡ଼ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । 

Also Read:- ଆଗାମୀ ୩ ଦିନ ତ୍ରାହି ନାହିଁ ; ପ୍ରଚଣ୍ଡ ଖରାରେ ସିଝିବ ସମ୍ବଲପୁର, ବଲାଙ୍ଗିର ଓ ବୌଦ୍ଧ

ସେପଟେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ମେ' ୨୯ରୁ ରାଜ୍ୟରେ ଗରମ ପ୍ରକୋପ କମିବ । ମେ' ୩୦ରେ ଆହୁରି ଅଧିକ ହ୍ରାସ ପାଇବ ତାତି । ମେ' ୩୧ରେ ଗରମ ଆହୁରି କମିପାରେ । ସେହିଭଳି ମେ' ୨୯ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବା ନେଇ ବିଭିନ୍ନ ଆକଳନ କରାଯାଉଛି । ମାତ୍ର ଏବେଠାରୁ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ନେଇ ସ୍ପଷ୍ଟ ଭାବେ ଆକଳନ କରାଯାଇନାହିଁ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏବେ ସୁଦ୍ଧା ଅଂଶୁଘାତରେ ୨୨ ଜଣ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ୩ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ସ୍ପଷ୍ଟ ହୋଇ ।