ଭୁବନେଶ୍ୱର: ସୁନା... ଆଜି ଯେଉଁ ଧାତୁକୁ ନେଇ ବଜାରରେ ଏତେ ଚର୍ଚ୍ଚା, ସେହି ସୁନାର ଦାମ ଆଗାମୀ ଦିନରେ କେଉଁଠି ପହଞ୍ଚିବ ? ଏ ନେଇ ବିଭିନ୍ନ ଏକ୍ସପର୍ଟ ଭିନ୍ନ ଭିନ୍ନ ମତ ଦେଉଛନ୍ତି। କିଏ କହୁଛନ୍ତି ଏହା ଆଉ ଏକ ବିଗ୍ ବୁଲ୍ ରନର ଆରମ୍ଭ ତ ଆଉ କେହି କହୁଛନ୍ତି ବଡ଼ ବୃଦ୍ଧି ପରେ ଆସିପାରେ ବଡ଼ କରେକ୍ସନ। କିନ୍ତୁ ଏହାରି ଭିତରେ ଆସିଛି ଏମିତି ଏକ ଆକଳନ, ଯାହା ଆପଣଙ୍କୁ ଚମକାଇ ଦେଇପାରେ। ବିଲିଅନେୟାର୍ ତଥା Electrumର ଚେୟାରମ୍ୟାନ୍ ଥୋମାସ୍ କାପ୍ଲାନଙ୍କ ମତରେ ଆଗାମୀ ଦିନରେ ସୁନା ଦାମ ୫୦ ହଜାର ଡଲାର୍ ପ୍ରତି ଆଉନ୍ସ ଛୁଇଁପାରେ। ଏହା କେବଳ ଏକ ସମ୍ଭାବନା ନୁହେଁ ବରଂ ସତ ହୋଇପାରେ ବୋଲି ସେ ଦୃଢ଼ ଦାବି କରିଛନ୍ତି। ତେବେ ପ୍ରଶ୍ନ ହେଉଛି ସୁନା ସତରେ ୫୦ ହଜାର ଡଲାର୍ ଛୁଇଁବ? ଆଉ ଯଦି ହେଲା ତେବେ ଏହା ଭାରତୀୟ ବଜାରରେ ସୁନା ଦାମକୁ କେଉଁ ସ୍ତରକୁ ନେଇଯିବ? ପଢ଼ନ୍ତୁ ବିଶେଷ ରିପୋର୍ଟ।

ସୁନାକୁ ନିବେଶକମାନେ ‘ସେଫ୍ ହେଭେନ' ମାନେ ଏକ ସୁରକ୍ଷିତ ନିବେଶ ବୋଲି ବିଶ୍ୱାସ କରନ୍ତି। ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା ବଢ଼ିଲେ, ଭୂ-ରାଜନୈତିକ ଉତ୍ତେଜନା ସ୍ଥିତି ସୃଷ୍ଟି ହେଲେ କିମ୍ବା ମୁଦ୍ରା ଓ ଆର୍ଥିକ ବଜାର ଉପରେ ଚାପ ସୃଷ୍ଟି ହେଲେ ନିବେଶକମାନଙ୍କ ନଜର ପଡ଼େ ସେଫ ହେଭେନ ସୁନା ଉପରେ। ଗତ କିଛି ସମୟ ଧରି ସୁନା ଦାମରେ ଦେଖିବାକୁ ମିଳିଛି ଜବରଦସ୍ତ ରାଲି। ୨୦୨୫ରେ ମଧ୍ୟ ସୁନା ଦାମରେ ହୋଇଥିଲା ଦ୍ରୁତ ବୃଦ୍ଧି। ଏହା ପରେ ସୁନା ପହଞ୍ଚିଥିଲା ଐତିହାସିକ ଉଚ୍ଚା ଦାମରେ। କିନ୍ତୁ ଏବେ ଦାମରେ କିଛିଟା ସୁଧାର ଦେଖାଯାଉଛି। ଏହି କରେକ୍ସନକୁ ନେଇ ଏବେ ପ୍ରଶ୍ନ, ସୁନାର ବିଗ୍ ବୁଲ ରନ କ’ଣ ଶେଷ ହୋଇଗଲା?  ​​​​​​​

କିନ୍ତୁ ଥୋମାସ୍ କାପ୍ଲାନଙ୍କ ମତ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ। କାନାଡ଼ା ଗଣମାଧ୍ୟମ Kitco Newsକୁ ଦେଇଥିବା ଏକ ସାକ୍ଷାତକାରରେ କାପ୍ଲାନ୍ କହିଛନ୍ତି “ସୁନା ୩୦ ରୁ ୪୦ ଏପରିକି ୫୦ ହଜାର ଡଲାର୍ ଛୁଇଁବାରେ ସେ କୌଣସି ସମସ୍ୟା ଦେଖୁନାହାନ୍ତି। କେବଳ ସେତିକି ନୁହେଁ, ଆଗାମୀ ଦିନରେ ସୁନା ବର୍ତ୍ତମାନ ସ୍ତରରୁ ଆଉ ୧୦ ଗୁଣ ବଢ଼ିପାରେ। ଆଉ ଏହା କେବଳ ଏକ ସମ୍ଭାବନା ନୁହେଁ ବରଂ ଏକପ୍ରକାର ଧାର୍ଯ୍ୟ ବୋଲି ସେ ଦୃଢ଼ ଦାବି କରିଛନ୍ତି। ଯଦି ସୁନା ପ୍ରାୟ ୪,୬୦୦ ଡଲାର୍ ପ୍ରତି ଆଉନ୍ସରୁ ୧୦ ଗୁଣ ବଢ଼େ, ତେବେ ଦାମ ପହଞ୍ଚିପାରେ ପ୍ରାୟ ୪୬ ହଜାର ଡଲାର୍।

ଆଉ ୫୦ ହଜାର ଡଲାର୍ ପ୍ରତି ଆଉନ୍ସ ହେଲେ? ଭାରତୀୟ ମୁଦ୍ରାରେ, ଯଦି ଡଲାର୍ ପିଛା ପ୍ରାୟ ୯୫ ଟଙ୍କା ଧରାଯାଏ, ତେବେ ଏହାର ଅର୍ଥ ସୁନାର ଦାମ ପ୍ରାୟ ୧୫ ଲକ୍ଷ ଟଙ୍କା ପ୍ରତି ୧୦ ଗ୍ରାମ ଆଖପାଖକୁ ଯାଇପାରେ।

$୫୦,୦୦୦ ପର୍ ଆଉନ୍ସ
$୫୦,୦୦୦ × ₹୯୫= ₹୪୭,୫୦,୦୦୦ ପ୍ରତି ଆଉନ୍ସ
୧ ଆଉନ୍ସ = ୩୧.୧ ଗ୍ରାମ
​​​​​​​ପ୍ରାୟ ₹୧୫.୩ ଲକ୍ଷ / ୧୦

Also read- ଚାକିରିର ପଦବୀ ଓ ଦରମା ମଧ୍ୟରେ ବଢୁଛି ଅସଙ୍ଗତି: ୬୦% ପେସାଦାରଙ୍କ ମତରେ ଟାଇଟଲ୍ ଅନୁଯାୟୀ ମିଳୁନି ଦରମା

ହେଲେ ସୁନା ଏବେ ଯେଉଁ କରେକ୍ସନ ଦେଇ ଗତି କରୁଛି, ତାହା ଏକ ବଡ଼ ବୁଲ ମାର୍କେଟର ଅଂଶ ହୋଇପାରେ। ଏପରିକି ବର୍ତ୍ତମାନର ସୁଧାରକୁ ୧୯୮୭ ମସିହାର ‘Black Monday’ ସହ ତୁଳନା କରିଛନ୍ତି କାପ୍ଲାନ। ବର୍ତ୍ତମାନ ଆମେ ଏକ ୧୯୮୭ ମୁହୂର୍ତ୍ତ ଦେଖିପାରୁଛୁ, ସେହି ସମୟଟି ସମଗ୍ର ବୁଲ୍ ମାର୍କେଟର ସବୁଠାରୁ ଭଲ ବାଇଂ ଅପରଚୁନିଟି ବା କିଣିବାର ସୁବର୍ଣ୍ଣ ସୁଯୋଗ ଥିଲା ବୋଲି ସେ ଦାବି କରିଛନ୍ତି

୧୯୮୭ ଅଗଷ୍ଟ ୨୫ରେ ଆମେରିକୀୟ ଷ୍ଟକ୍ ମାର୍କେଟ ଇଣ୍ଡେକ୍ସ ଡାଓ ଜୋନ୍ସ ପହଞ୍ଚିଥିଲା ୨,୭୨୨ ପଏଣ୍ଟ ଆଖପାଖରେ। କିନ୍ତୁ ଅକ୍ଟୋବର ୧୯ରେ ଆସିଥିଲା ଭୟଙ୍କର ପତନ। ଗୋଟିଏ ଦିନରେ ଆମେରିକୀୟ ସେୟାର ବଜାରରେ ହୋଇଥିଲା ଐତିହାସିକ ହ୍ରାସ। ଡାଓ ଜୋନ୍ସ ପ୍ରାୟ ୨୨ ପ୍ରତିଶତ ଖସିଥିଲା ଏବଂ ଅଗଷ୍ଟର ଉଚ୍ଚସ୍ତରରୁ ମାତ୍ର କିଛି ସପ୍ତାହ ମଧ୍ୟରେ ପତନ ପ୍ରାୟ ୩୬ ପ୍ରତିଶତରେ ପହଞ୍ଚି ଯାଇଥିଲା। ସେହି ସମୟରେ ଲାଗିଥିଲା, ବିଶ୍ୱ ଅର୍ଥନୀତି ଯେପରି ଧ୍ୱଂସ ହୋଇଯିବ। କିନ୍ତୁ ଦୀର୍ଘମିଆଦୀ ଚାର୍ଟରେ ଆଜି ସେହି କ୍ରାସ୍ ଏକ ଛୋଟ ଦାଗ ଭଳି ଦେଖାଯାଏ। କାପ୍ଲାନଙ୍କ ଯୁକ୍ତି ମଧ୍ୟ କିଛି ଏଭଳି ଇଙ୍ଗିତ କରୁଛି। ଆଜିର କରେକ୍ସନ ଯେତେ ବଡ଼ ଲାଗୁଥାଉ ନା କାହିଁକି, ଦୀର୍ଘମିଆଦରେ ଏହା ସୁନାର ବଡ଼ ବୁଲ ମାର୍କେଟ୍ ମଧ୍ୟରେ ଏକ ଛୋଟ ପର୍ଯ୍ୟାୟ ହୋଇପାରେ ବୋଲି ସେ ଦାବି କରିଛନ୍ତି।

ରିପୋର୍ଟରେ ଆମେ ବୁଲ ମାର୍କେଟ୍ ଓ ବିଗ ବୁଲ ରନ ବୋଲି ଦୁଇଟି ଟର୍ମ ବ୍ୟବହାର କଲୁଣି। ତେଣୁ ଆସନ୍ତୁ ଏଗୁଡ଼ିକୁ ସହଜରେ ବୁଝିବା। ବୁଲ୍ ମାର୍କେଟ ହେଉଛି ଏକ ଆର୍ଥିକ ବଜାର ଅବସ୍ଥା ଯେଉଁଠାରେ ଷ୍ଟକ୍ ମୂଲ୍ୟ ବୃଦ୍ଧି ପାଏ କିମ୍ବା ନିରନ୍ତର ବୃଦ୍ଧି ପାଇବାର ଆଶା କରାଯାଏ, ସାଧାରଣତଃ ଏହାକୁ ସାମ୍ପ୍ରତିକ ସର୍ବନିମ୍ନ ସ୍ତରରୁ ୨୦% କିମ୍ବା ଅଧିକ ବୃଦ୍ଧି ଭାବରେ ପରିଭାଷିତ କରାଯାଏ। ବିଗ୍ ବୁଲ୍ ରନ୍ ହେଉଛି ଏକ ଆର୍ଥିକ ବଜାର ଅବସ୍ଥା ଯେଉଁଠାରେ ଷ୍ଟକ୍ କିମ୍ବା କ୍ରିପ୍ଟୋ ପରି ସମ୍ପତ୍ତିର ମୂଲ୍ୟ ଏକ ନିରନ୍ତର ଅବଧି ମଧ୍ୟରେ ସ୍ଥିର ଭାବରେ ବୃଦ୍ଧି ପାଏ।

ସୁନା ଦାମ ୫୦ ହଜାର ଡଲାର୍ ପ୍ରତି ଆଉନ୍ସ, ଶୁଣିବାକୁ ଏହା ନିଶ୍ଚିତ ଭାବେ ଏକ ଅବିଶ୍ୱସନୀୟ ଆକଳନ। କାରଣ ଏହା ବର୍ତ୍ତମାନର ଦାମଠାରୁ ପ୍ରାୟ ୧୦ ଗୁଣ ଅଧିକ। କିନ୍ତୁ ଗ୍ରାହକଙ୍କ ପାଇଁ ଚିନ୍ତାରର ବିଷୟ ହେଉଛି, କେବଳ କାପ୍ଲାନ ନୁହଁନ୍ତି, ସୁନା ଦର ବୃଦ୍ଧିର ଆକଳନ ଏକାଧିକ ଏକ୍ସପର୍ଟ କରିଛନ୍ତି। ତେଣୁ ଭବିଷ୍ୟତରେ ସାଧାରଣ ଲୋକଙ୍କ ପାଇଁ ସୁନା ଯେ ସାତ ସପନ ହେବ ଏକଥା ଏବେ ଠାରୁ ଦିଶିଲାଣି। ହେଲେ କେବେ ହେବ ତାକୁ ଉପରେ ନଜର।

କାପ୍ଲାନ୍ ଏକା ନୁହଁନ୍ତି। ସୁନା ଓ ରୁପାର ଦୀର୍ଘମିଆଦୀ ଭବିଷ୍ୟତକୁ ନେଇ ଅନେକ ମାର୍କେଟ ୱାଚର୍ସ ବା ବଜାର ବିଶେଷଜ୍ଞ ମଧ୍ୟ ଆଶାବାଦୀ ଅଛନ୍ତି। ଅତି ଫେମସ ବହି ‘Rich Dad Poor Dad’ର ଲେଖକ ରବର୍ଟ କିୟୋସାକି ମଧ୍ୟ ସୁନା ଓ ରୁପାରେ ଦୀର୍ଘମିଆଦୀ ବୃଦ୍ଧି ନେଇ ମତ ରଖିଛନ୍ତି। ସେ ଆମେରିକୀୟ ଇନଭେଷ୍ଟର ଜିମ ରୋଜରଙ୍କ ମତକୁ ଉଦ୍ଧୃତ କରି କହିଛନ୍ତି ଯେ ସୁନା ଓ ରୁପା ଦୀର୍ଘମିଆଦରେ ଆହୁରି ଉପରକୁ ଯାଇପାରେ। ତେବେ ସେହି ଆଶାବାଦୀ ଆକଳନ ସହିତ ଏକ ସତର୍କବାଣୀ ମଧ୍ୟ ରହିଛି। ଏହି ଯାତ୍ରାରେ ବଡ଼ ବଡ଼ ସୁଧାର ମାନେ ବଡ଼ ହ୍ରାସ ବି ଦେଖିବାକୁ ମିଳିପାରେ।

କିନ୍ତୁ ଏଠାରେ ମନେ ରଖିବା ଦରକାର ଯେ ସୁନା ପ୍ରତି ଆଉନ୍ସ ୫୦ ହଜାର ଡଲାର୍ ହେବା ଏକ ବହୁ ଦୂର ଯାତ୍ରା। ହେଇପାରେ ନ ହେଇବି ପାରେ। ତେଣୁ ଏହାକୁ ନିଶ୍ଚିତ ଭବିଷ୍ୟବାଣୀ ଭାବେ ନେବା ଠିକ୍ ହେବ ନାହିଁ। କାରଣ ସୁନାର ଦାମ ବୃଦ୍ଧି ହେବାର ଅନେକ କାରକ ରହିଛି। ଯେପରିକି ଆମେରିକୀୟ ସୁଧହାର, ଡଲାରର ଶକ୍ତି, ମୁଦ୍ରାସ୍ଫୀତି, ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି, କେନ୍ଦ୍ରୀୟ ବ୍ୟାଙ୍କର ନୀତି ଏବଂ ଭୂ-ରାଜନୈତିକ ପରିସ୍ଥିତି। ତେଣୁ ଆଜିର ମୂଲ୍ୟ ସୁଧାରକୁ କୁ ଦେଖି ସୁନାର ବୁଲ ରନ ଶେଷ ହୋଇଛି ବୋଲି କହିହେବ ନାହିଁ। କି କାପ୍ଲାନଙ୍କ ୫୦ ହଜାର ଡଲାର୍ ଆକଳନକୁ ଆଧାର କରି ତୁରନ୍ତ ସୁନା କିଣିବା ମଧ୍ୟ ଏକ ଉତ୍ତମ ନିବେଶ ନିଷ୍ପତ୍ତି ହୋଇ ନପାରେ।

Also Read- ହର୍ମୁଜ ରାସ୍ତାରେ ଆମଦାନୀ ହେଉଛି ମହଙ୍ଗା, ଭାରତ ସରକାର ୬ ମାସରେ ଅତିରିକ୍ତ ଖର୍ଚ୍ଚ କଲେଣି ୧.୮ଲକ୍ଷ କୋଟି ଟଙ୍କା

ଗୋଟିଏ ପଟେ ସୁନା ଦର ହ୍ରାସ, ଅନ୍ୟ ପଟେ ଦୀର୍ଘମିଆଦୀ ବୁଲ ମାର୍କେଟର ଆଶା। ଏହି ଦୁଇଟି ଚିତ୍ର ମଝିରେ ଫସିଛି ସୁନା ବଜାର। ଥୋମାସ୍ କାପ୍ଲାନଙ୍କ ଆକଳନ ସତ ହେଲେ, ୫୦ ହଜାର ଡଲାର୍ ପ୍ରତି ଆଉନ୍ସ , ମାନେ ଭାରତୀୟ ବଜାରରେ ସୁନା ୧୦ ଗ୍ରାମ ପିଛା ପ୍ରାୟ ୧୫ ଲକ୍ଷ ଟଙ୍କାରେ ପହଞ୍ଚିବ, କିନ୍ତୁ ସେହି ସ୍ତର କେବେ ଆସିବ, ୫ ବର୍ଷ ? ୧୦ ବର୍ଷ ? ନା ତାଠାରୁ ଅଧିକ ସମୟ ଲାଗିବ ? ଏହାର ଉତ୍ତର କିନ୍ତୁ କାପ୍ଲାନ୍ ଦେଇନାହାନ୍ତି। ତେଣୁ ଏବେ ପାଇଁ ୫୦ ହଜାର ଡଲାର୍ର ସୁନା ଏକ ନିଶ୍ଚିତ ଭବିଷ୍ୟତବାଣୀ ହୋଇ ନପାରେ। ବରଂ ଏହା ସୁନାର ଦୀର୍ଘମିଆଦୀ ଦର ବୃଦ୍ଧି ସମ୍ଭାବନା ଉପରେ ଏକ ଅତ୍ୟନ୍ତ ଆଶାବାଦୀ ଆକଳନ ବୋଲି କୁହାଯାଇପାରିବ।

ତେବେ ସୁନା ୫୦ ହଜାର ଡଲାର୍ ଛୁଇଁବ କି ନାହିଁ, ତାହା ସମୟ କହିବ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ—ସୁନାକୁ ନେଇ ଦୀର୍ଘମିଆଦୀ ଆଶାନୁରୂପ ଦୃଷ୍ଟିକୋଣ ଏବେ ବି ବଜାରରେ ରହିଛି। ଆଉ ଯଦି ଥୋମାସ୍ କାପ୍ଲାନଙ୍କ ଆକଳନ ସତ ହୁଏ, ତେବେ ଭାରତୀୟ ବଜାରରେ ସୁନାର ଦାମ ଯେଉଁ ସ୍ତରକୁ ପହଞ୍ଚିବ, ତାହା ଆଜିର ଦାମ ସହ ତୁଳନା କଲେ ପ୍ରାୟ କଳ୍ପନା ବାହାରେ।

ଏସବୁ କଳ୍ପନା ଓ ଆକଳନରୁ ବାହାରି ଯଦି ବର୍ତ୍ତମାନର ସ୍ଥିତି ଦେଖିବା ତେବେ ଗତ କିଛି ଦିନ ହେବ ସୁନା ଓ ରୁପା ଦର ବଢ଼ି ଚାଲିଛି। ତେବେ ଚଳିତ ସପ୍ତାହରେ କିନ୍ତୁ ଉଭୟ ଧାତୁର ଦାମରେ ହ୍ରାସ ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ ବା IBJA ଅନୁଯାୟୀ, ଶନିବାର ସୁଦ୍ଧା ଏକ କିଲୋଗ୍ରାମ ରୁପାର ମୂଲ୍ୟରେ ୨,୭୩୯ ଟଙ୍କା ହ୍ରାସ ପାଇ ବର୍ତ୍ତମାନ ମୂଲ୍ୟ ୨ ଲକ୍ଷ ୪୪ ହଜାରରେ ପହଞ୍ଚିଛି। ଗତ ସପ୍ତାହ ଶେଷ କାରବାର ଦିନ ଅର୍ଥାତ୍ ଅଗଷ୍ଟ ୨୧ ତାରିଖରେ ରୁପା କେଜି ୨ ଲକ୍ଷ ୪୭ ହଜାର ଟଙ୍କା ଥିଲା। ସେହିପରି ସୁନା ମଧ୍ୟ ଏହି ଅବଧି ମଧ୍ୟରେ ସାମାନ୍ୟ ହ୍ରାସ ପାଇଛି। ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ₹୧,୬୦,୬୨୦ ଟଙ୍କାରୁ ହ୍ରାସ ପାଇ ₹୧,୫୯,୫୭୮ ଟଙ୍କା ହୋଇଛି। ଏଥିରେ ₹୧,୦୪୨ ଟଙ୍କାର ହ୍ରାସ ଦେଖିବାକୁ ମିଳିଛି। ତେବେ ଭାରତର ବିଭିନ୍ନ ରାଜ୍ୟରେ ଅଲଗା ଅଲଗା କର ବ୍ୟବସ୍ଥା ଯୋଗୁ ଏହି ଦର ଅଲଗା ଅଲଗା ହୋଇପାରେ।

କିନ୍ତୁ ୨୦୨୫ରୁ ୨୦୨୬ ଜାନୁଆରୀ ମଧ୍ୟରେ ସୁନା ଦର ଯେଉଁଭଳି ଭାବରେ ବଢ଼ୁଥିଲା, ଲାଗୁଥିଲା ଏହି ବର୍ଷ ହିଁ ଦର ୨ ଲକ୍ଷ ଅତିକ୍ରମ କରିଯିବ। ଦେଶର ସୁନା ବ୍ୟବସାୟୀ ଓ ଏକ୍ସପର୍ଟମାନେ ମଧ୍ୟ କିଛି ଏଭଳି ଦାବି କରୁଥିଲେ। ରୁପା ବି ପ୍ରାୟ ପ୍ରତିଦିନ ଦର ବୃଦ୍ଧିର ଛକା, ଚୌକା ମାରୁଥିଲା। ହେଲେ ଜାନୁଆରୀ ଠାରୁ ଏପର୍ଯ୍ୟନ୍ତ ରୁପା ଦରରେ ୧ ଲକ୍ଷ ୪୨ ହଜାର ଟଙ୍କା ଶସ୍ତା ହୋଇଥିବା ବେଳେ ସୁନା ୧୬ ହଜାର ଖସିଛି।

ରିପୋର୍ଟ ଅନୁସାରେ ୩୧ ଡିସେମ୍ବର ୨୦୨୫ରେ ସୁନା ଦର ୧ ଲକ୍ଷ ୩୩ ହଜାର ଟଙ୍କା ଥିଲା। ହେଲେ ୨୯ ଜାନୁଆରୀ ୨୦୨୬ରେ ଏହା ବୃଦ୍ଧି ପାଇ ୧ ଲକ୍ଷ ୭୬ ହଜାର ଟଙ୍କା ଅଲ ଟାଇମ ହାଇରେ ପହଞ୍ଚିଥିଲା। ସେବେଠାରୁ ଏପର୍ଯ୍ୟନ୍ତ ସୁନା ମୂଲ୍ୟ ୧୬,୫୪୩ ଟଙ୍କା ହ୍ରାସ ପାଇଲାଣି। ସେହିପରି ରୁପା ଦର ୨୦୨୫ ଡିସେମ୍ବର ୩୧ରେ ୨ ଲକ୍ଷ ୩୦ ହଜାର ଟଙ୍କା ଥିଲା। ଯାହା ଜାନୁଆରୀ ୨୯ ତାରିଖରେ ୩ ଲକ୍ଷ ୮୬ ହଜାରର ଅଲ୍ ଟାଇମ ହାଇକୁ ଛୁଇଁଥିଲା। ହେଲେ ବର୍ତ୍ତମାନ ଦର ଦେଖିଲେ ଏଥିରେ ଏପର୍ଯ୍ୟନ୍ତ ୧ ଲକ୍ଷ ୪୨ ହଜାର ଟଙ୍କା ହ୍ରାସ ହୋଇଛି।

ଶେଷରେ ଆପଣଙ୍କ ପାଇଁ କିଛି ଟିପ୍ସ- ସର୍ବଦା BIS ହଲମାର୍କ ଥିବା ସାର୍ଟିଫାଏଡ୍ ସୁନା କିଣନ୍ତୁ। ଏହି ନମ୍ବର ଅଲ୍ଫାନ୍ୟୁମେରିକରେ ଲେଖାଯାଇଥାଏ। ଯାହା ଦେଖିବାକୁ କିଛି ଏହିଭଳି AZ4524, ହଲମାର୍କିଂରୁ ଆପଣ ସୁନାର ପ୍ରକୃତ କ୍ୟାରେଟ ଜାଣିପାରିବେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁନା କିଣିବା ବେଳେ ସବୁବେଳେ ଏହାର ସଠିକ ଓଜନ, କିଣିବା ଦିନ ଏହାର ଦାମ କେତେ ରହିଛି କ୍ରସ୍ ଚେକ୍ କରନ୍ତୁ। କାରଣ ସୁନା ଦର ୨୪ କ୍ୟାରେଟ, ୨୨ କ୍ୟାରେଟ ଓ ୧୮ କ୍ୟାରେଟ୍ ହିସାବରେ ଅଲଗା ଅଲଗା ହୋଇଥାଏ। ଦାମ ଚେକ୍ପାଇଁ ଆପଣ ଇଣ୍ଡିଆ ବୁଲାନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ ୱେବସାଇଟ୍ ଭିଜିଟ୍ କରିପାରିବେ।

ସେହିଭଳି ଅସଲି ରୁପା ଚିହ୍ନଟ କରିବାର ମଧ୍ୟ ୪ ଟି ବେଷ୍ଟ ଫର୍ମୁଲା ଅଛି। ମ୍ୟାଗ୍ନେଟ ଟେଷ୍ଟ, ଆଇସ ଟେଷ୍ଟ, ସ୍ମେଲ ଟେଷ୍ଟ ଓ କ୍ଲଥ ଟେଷ୍ଟ। ଅସଲି ରୂପା କେବେ ବି ଚୁମ୍ବକରେ ଲାଗି ରହେ ନାହିଁ। ଯଦି ଚୁମ୍ବକ ସହ ଏହା ଲାଗି ରହୁଛି ତେବେ ଏହା ଅସଲି ରୁପା ନୁହେଁ। ତେଣୁ ମ୍ୟାଗ୍ଟେନ୍ ଟେଷ୍ଟରେ ଏହା ଧରାପଡ଼ିପାରେ। ସେହିପରି ଆଇସ ଟେଷ୍ଟରେ ଅସଲି ରୁପାକୁ ବରଫ ଉପରେ ରଖିଲେ, ବରଫ ଦ୍ରୁତ ଗତିରେ ତରଳିଥାଏ। ଅସଲି ରୁପାର କୌଣସି ଗନ୍ଧ ନାହିଁ ହେଲେ ନକଲି ହାଲୁକା ତମ୍ବାଳିଆ ଗ୍ୟାସ କରେ। ତେଣୁ ସ୍ମେଲ୍ ଟେଷ୍ଟର ରୁପା ଅସଲି କି ନକଲି ଜାଣି ହେବ। କ୍ଲଥ ଟେଷ୍ଟରେ ଆପଣ ରୁପାକୁ ଏକ ଧଳା କପଡ଼ାରେ ରଗଡ଼ିଲେ ଯଦି କଳା ଦାଗ ପଡ଼େ ତେବେ ଜାଣିବେ ରୁପା ପୂରା ଅସଲି।