ନୂଆଦିଲ୍ଲୀ: ୨୦୦୧ ମସିହାରେ ଆମିର ଖାନଙ୍କ ଏକ ଫିଲ୍ମ ରିଲିଜ୍ ହୋଇଥିଲା। ଫିଲ୍ମରେ ରାଧା- କୃଷ୍ଣଙ୍କ ଲୀଳା ଉପରେ ଆଧାରିତ ଏକ ଗୀତ ରହିଥିଲା। ଏହି ଗୀତଟି ସେତେବେଳେ ଖୁବ୍ ଲୋକପ୍ରିୟ ହୋଇଥିଲା। ଖାଲି ସେତେବେଳେ କାହିଁକି ? ଏବେବି ଗୀତଟି ସେତିକି ପ୍ରସିଦ୍ଧ। ବର୍ତ୍ତମାନ ସୁଦ୍ଧା ୟୁଟ୍ୟୁବରେ ଏହି ଗୀତକୁ ୧୯୫ ମିଲିୟନରୁ ଅଧିକ ଥର ଦେଖାଯାଇଛି। ରୋଚକ କଥା ହେଲା ଏହି ଗୀତକୁ ଜଣେ କି’ ଦୁଇ ଜଣ ନୁହେଁ ବରଂ ୪ ଜଣ ମୁସଲିମ ମିଶି ତିଆରି କରିଥିଲେ।

ଏହି ଗୀତ ଆମିର ଖାନଙ୍କ ଫିଲ୍ମ ‘ଲଗାନ’ର। ଏହାର ନାଁ ହେଉଛି ‘ରାଧା କୈସେ ନା ଜଲୈ’। ଏହି ଗୀତ ବ୍ରଜ ଅଞ୍ଚଳର ଲୋକଗୀତରୁ ପ୍ରେରିତ। ଏହି ଗୀତରେ କୃଷ୍ଣଙ୍କ ଦୁଷ୍ଟାମୀ ଏବଂ ଗୋପୀଙ୍କ ସହ ରାସଲୀଳା କିପରି ରାଧା ଇର୍ଷା କରୁଛନ୍ତି ତାହା ଦେଖାଯାଇଥିଲା। 

ଗୀତରେ ଆମିର ଖାନ ନଜର ଆସିଥିଲେ। ସରୋଜ ଖାନ ଗୀତ ପାଇଁ ଆମିର ଖାନଙ୍କୁ ନୃତ୍ୟ ଶିଖାଇଥିଲେ। ଏ.ଆର ରହମାନ ମ୍ୟୁଜିକ ଦେଇଥିଲେ ଏବଂ ଜାଭେଦ ଅଖତର ଏହାର ଶବ୍ଦ ସଂଯୋଜନା କରିଥିଲେ। ସେହିଭଳି ଗୀତଟିକୁ ଗାଇଥିଲେ ଆଶା ଭୌସଲେ ଏବଂ ଉଦିତ ନାରାୟଣ।

Also Read: ୯ ଲକ୍ଷ ଟଙ୍କାରେ ନିର୍ମାଣ ହେଉଥିଲା ରାମାୟଣର ପ୍ରତି ଏପିସୋଡ୍, କେତେ ଲାଭ କରିଥିଲେ ରାମାନନ୍ଦ ସାଗର ?

ତେବେ କେବଳ ‘ରାଧା କୈସେ ନା ଜଲୈ’ ନୁହେଁ ଜାଭେଦ ଅଖତର, ଆମିର ଖାନ ଏବଂ ଏଆର ରହମାନ ‘ଲଗାନ’ର ‘ଓ ପାଲନ ହାରେ’ ଗୀତରେ ମଧ୍ୟ ଏକାଠି କାମ କରିଛନ୍ତି। ଏହି ଗୀତଟିକୁ ଲତା ମଙ୍ଗେସକର ଏବଂ ଉଦିତ ନାରାୟଣ ଗାଇଛନ୍ତି। ଏଆର ରହମାନ ଏହାର ମ୍ୟୁଜିକ ଦେଇଥିବା ବେଳେ ଗୀତଟିକୁ ଲେଖିଥିଲେ ଜାଭେଦ ଅଖତର। ଏହି ଗୀତଟିକୁ ୟୁଟ୍ୟୁବରେ ୧୬୨ ମିଲିୟରୁ ଅଧିକ ଭ୍ୟୁ ମିଳିଛି।

ଫିଲ୍ମର ଇତିହାସ

‘ଲଗାନ’ ୨୫ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିଲା ଏବଂ ଏହା ଓ୍ବାର୍ଲ୍ଡ ଓ୍ବାଇଡ ୬୫. ୯୭ କୋଟି ଟଙ୍କା ଆୟ କରିଥିଲା। ଆମିର ଖାନଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ସନୀ ଦେଓଲଙ୍କ ‘ଗଦର’ ସହ ରିଲିଜ ହୋଇଥିଲା। ‘ଗଦର’ ବ୍ଲକବଷ୍ଟର ହୋଇଥିବା ବେଳେ, ‘ଲଗାନ’ ହିଟ୍ ହୋଇଥିଲା। ତେବେ ଫିଲ୍ମ ୨୦୦୨ରେ ୭୪ ତମ ଓସ୍କାର ସମାରୋହରେ ବେଷ୍ଟ ଫରେନ ଲାଙ୍ଗୁଏଜ୍ ଫିଲ୍ମ କାଟାଗୋରୀରେ ଓସ୍କାର ପାଇଁ ମନୋନୀତ ହେବାରେ ତୃତୀୟ ଭାରତୀୟ ଫିଲ୍ମ ହୋଇଥିଲା। ଅବଶ୍ୟ ଏହି ଫିଲ୍ମ ଓସ୍କାର ଜିତି ପାରିନଥିଲା।