ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଦିନରେ ଡହଡହ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ସମସ୍ତଙ୍କ ମୁହଁରେ ଗୋଟିଏ କଥା, କେବେ ମିଳିବ ତାତିରୁ ତ୍ରାହି ? ହେଲେ ଏହି ପ୍ରଚଣ୍ଡ ଖରାରେ କେବଳ ମଣିଷ ନୁହେଁ ବନ୍ୟଜନ୍ତୁ ମଧ୍ୟ ଖୁବ କଲବଲ । ଏମିତିରେ ଏହି ତାତିରୁ ରକ୍ଷା ପାଇଁ କିଛି ମାଙ୍କଡ଼ ଯାହା କରିଥିଲେ, ତାହାର ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି।

ମହାରାଷ୍ଟ୍ରର ୟବତମାଳ ଜିଲ୍ଲା ପୁସଦ ନିକଟସ୍ଥ ଖଣ୍ଡାଲା ଘାଟି ଅଞ୍ଚଳରେ ଏଭଳି ଏକ ହୃଦୟସ୍ପର୍ଶୀ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରକୃତରେ ପ୍ରବଳ ଖରା ଆଉ ପାଣି ନମିଳିବାରୁ ଗୋଟିଏ ମାଙ୍କଡ଼ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଶେଷରେ ବାଟ ନପାଇ ଶୋଷ ମେଣ୍ଟାଇବା ପାଇଁ ଏକ ଚଳନ୍ତା ବସ ସମ୍ମୁଖକୁ ଚାଲିଆସିଥିଲା ଏବଂ ବସଟିକୁ ଅଟକାଇ ଦେଇଥିଲା। ପ୍ରଥମେ ଲୋକେ ମାଙ୍କଡ଼ଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ମାତ୍ରେ ସେ ସେଠାରୁ ଯାଇନଥିଲା ଏବଂ ନିର୍ବାକ ହୋଇ ଛିଡ଼ା ହୋଇରହିଥିଲା।

Also Read: ଦେଶର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହେଲା UPର ବାନ୍ଦା, ତାପମାତ୍ରା ୪୮ ଡିଗ୍ରି ସେଲସିୟସ୍ ପାର

ତେବେ ଏହା ପରେ ଯାତ୍ରୀମାନେ ଖରା ଯୋଗୁ ମାଙ୍କଡ଼ଟି ଏଭଳି ବ୍ୟବହାର କରୁଥିବା ଭାବି ପାଣି ଦେଇଥିଲେ । ମାଙ୍କଡ଼ଟି ସଙ୍ଗେ ସଙ୍ଗେ ଗୋଟିଏ ବୋତଲ ପାଣି ପିଇଦେଇଥିଲା। ମାଙ୍କଡ଼ଟିର ଏଭଳି ଅବସ୍ଥା ଦେଖି ବସ୍ରେ ଥିବା ଯାତ୍ରୀମାନେ ଭାବବିହ୍ୱଳ ହୋଇପଡ଼ିଥିଲେ। ଖରାରେ ଥକି ପଡ଼ିଥିବା ପଶୁଟି ମାତ୍ର କେଇ ବୁନ୍ଦା ପାଣି ପାଇଁ କିଭଳି ଆକୁଳ ହେଉଥିଲା, ତାହା ଦେଖି ସେଠାରେ ଏକ ଭାବବିହ୍ବଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ପରେ ସେଠାରେ ଆଉ କିଛି ମାଙ୍କଡ଼ ମଧ୍ୟ ପାଣି ପିଇବାକୁ ଆସିଯାଇଥିଲେ।

ତେବେ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଜଳବାୟୁ ପରିବର୍ତ୍ତନ, ଜଳାଭାବ ଏବଂ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ପାଇଁ ପାନୀୟ ଜଳର ସଙ୍କଟ କେତେ ସଂଘାତିକ ରୂପ ଧାରଣ କଲାଣି ? ତାହା ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି। ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଏହି ଭିଡିଓକୁ ଦେଖି ଦୁଃଖ ପ୍ରକାଶ କରିବା ସହ ଗ୍ରୀଷ୍ମ ଋତୁରେ ପଶୁପକ୍ଷୀଙ୍କ ପାଇଁ ପାଣିର ବ୍ୟବସ୍ଥା କରିବାକୁ ଅପିଲ୍ କରୁଛନ୍ତି।