ବାଲେଶ୍ୱର: କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ହେଲେ କମୁନି ବନ୍ୟା ବିପତ୍ତି। ବୁଧବାର ତୁଳନାରେ ନଦୀରେ ପାଣି କିଛି କମିଥିଲେ ମଧ୍ୟ ଏବେବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ଗତକାଲି ରାତି ୧୧ଟା ସମୟରେ ଜଳସ୍ତର ୧୧.୭୨ ମିଟର ଥିବା ବେଳେ ଗୁରୁବାର ସକାଳ ୭ଟା ସୁଦ୍ଧା ଏହା ହ୍ରାସ ପାଇ ୧୧.୩୨ ମିଟରରେ ପହଞ୍ଚିଛି। ତଥାପି ବିପଦ ସଂକେତ ଉପରେ ରହିଛି ଜଳସ୍ତର।

ଉପରମୁଣ୍ଡରେ ପାଣି କମିବା ଆରମ୍ଭ କରିଥିଲେ ମଧ୍ୟ ତଳିଆ ଅଞ୍ଚଳର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଏବେବି ଅନେକ ଅଞ୍ଚଳରୁ ବନ୍ୟା ପାଣି ହଟିବାର ନାଁ ଧରୁନାହିଁ। ଫଳରେ ଜଳବନ୍ଦୀ ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିଚାଲିଛି।

ସୁବର୍ଣ୍ଣରେଖା ନଦୀର ତୃତୀୟ ବନ୍ୟା ବାଲିଆପାଳ ବ୍ଲକରେ ସୃଷ୍ଟି କରିଛି ଭୟଙ୍କର ପରିସ୍ଥିତି। ଅସ୍ତି, ମଧୁପୁରା, ବାଲିଆପାଳ, ବିଷ୍ଣୁପୁର ଓ ଜାମକୁଣ୍ଡା। ଏହି ୫ଟି ପଞ୍ଚାୟତର ୫୦ରୁ ଅଧିକ ଗାଁ ଏବେ ବନ୍ୟା ପାଣି ଘେରରେ। ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।

କେଉଁଠି ରାସ୍ତା ଦେଖାଯାଉନି, ତ ଆଉ କେଉଁଠି ଘର ଚାରିପଟେ ଖାଲି ପାଣି। ଏବେବି ଅନେକ ରାସ୍ତା ଉପରେ ୫ରୁ ୬ ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି। ଯାତାୟାତ ପାଇଁ ସାଧାରଣ ରାସ୍ତା ବଦଳରେ ଏବେ ଲୋକଙ୍କ ଭରସା ବୋଟ୍ ଓ ଦେଶୀ ଡଙ୍ଗା। ଜରୁରୀ କାମରେ ବାହାରିବା ହେଉ କି ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା—ଡଙ୍ଗା ହିଁ ଏବେ ଏକମାତ୍ର ଭରସା ପାଲଟିଛି।

କେବଳ ରାସ୍ତାଘାଟ ନୁହେଁ, ବନ୍ୟାର ସବୁଠାରୁ ବଡ଼ ପ୍ରଭାବ ପଡ଼ିଛି ଚାଷ ଉପରେ। ଚାଷ ଜମିରେ ପ୍ରାୟ ୭ ଫୁଟ ଉଚ୍ଚରେ ପାଣି ଜମି ରହିଛି। ଆଖି ପକାଇଲେ ଯୁଆଡ଼େ ଦେଖିବେ ସିଆଡ଼େ ଖାଲି ପାଣି ହିଁ ପାଣି। ହଜାର ହଜାର ଏକର ଚାଷଜମି ବନ୍ୟା ପାଣିରେ ବୁଡ଼ି ଯାଇଥିବାରୁ ଚାଷୀଙ୍କ ଆଶା ମଧ୍ୟ ପାଣିରେ ଭାସିଯାଇଛି।

ଘରଦ୍ୱାରଠାରୁ ଚାଷବାସ ପର୍ଯ୍ୟନ୍ତ—ବନ୍ୟା ସବୁକିଛିକୁ ପ୍ରଭାବିତ କରିଛି। ଲଗାତାର ବନ୍ୟାରେ ଲୋକଙ୍କ ଜୀବନଯାପନ ଦୁର୍ବିସହ ହୋଇପଡ଼ିଛି। ଖାଦ୍ୟ, ପିଇବା ପାଣି ଏବଂ ଯାତାୟାତ ଭଳି ମୌଳିକ ଆବଶ୍ୟକତା ପାଇଁ ମଧ୍ୟ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି।

ତେବେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ବାଲିଆପାଳ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। SRC ପକ୍ଷରୁ ୯ଟି ବୋଟ୍, ୩ଟି ODRAF ଟିମ୍ ଏବଂ ଗୋଟିଏ ଅଗ୍ନିଶମ ବାହିନୀ ଟିମ୍ ନିୟୋଜିତ ରହିଛନ୍ତି। ଜଳବନ୍ଦୀ ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ, ପିଇବା ପାଣି ଓ ରନ୍ଧା ଖାଦ୍ୟ ପହଞ୍ଚାଯାଉଛି।

also read- ଉତ୍ତରରେ ଛାଡୁନି ବର୍ଷା, ଫୁଲିଲାଣି ସବୁ ନଦୀ...ପୁଣି ଥରେ ବନ୍ୟା !

ଜଳସ୍ତର କମୁଥିବାରୁ ଆଶ୍ୱସ୍ତିର ଆଶା ଦେଖାଦେଇଛି। କିନ୍ତୁ ତଳିଆ ଅଞ୍ଚଳରୁ ପାଣି ନିଷ୍କାସନ ନହେବା ପର୍ଯ୍ୟନ୍ତ ବାଲିଆପାଳବାସୀଙ୍କ ଦୁର୍ଦ୍ଦଶା ଶେଷ ହେବା ଭଳି ଲାଗୁନାହିଁ। ଏବେ ସମସ୍ତଙ୍କ ଅପେକ୍ଷା—କେବେ ସମ୍ପୂର୍ଣ୍ଣ ଭାବେ ହଟିବ ସୁବର୍ଣ୍ଣରେଖାର ବନ୍ୟା ପାଣି ଏବଂ କେବେ ନିଜ ଘରକୁ, ନିଜ ଜମିକୁ ଫେରିବେ ଜଳବନ୍ଦୀ ଲୋକ।