ରାଉରକେଲା: ମନ୍ଦିରରୁ ଲୁଟ ଏବେ ହୁଏତ ଏକ ସାଧାରଣ ଘଟଣା ପାଲଟିଗଲାଣି। ତଥାପି ଯେତେବେଳେ ଏଭଳି କୌଣସି ଘଟଣା ସାମ୍ନାକୁ ଆସେ ଲୋକେ କୁହନ୍ତି, ‘ଯୁଗ କ’ଣ ହେଲାଣି, ଚୋରମାନେ ଭଗବାନଙ୍କୁ ବି ଛାଡ଼ୁନାହାଁନ୍ତି।’ ହେଲେ ଏବେ ମନ୍ଦିରରୁ ଲୁଟର ଯେଉଁ ଘଟଣା ସାମ୍ନାକୁ ଆସିଛି, ତାହା ଦେଖିଲେ ଆପଣ ନିଶ୍ଚୟ ଭାବିବେ। ଘଟଣା ଘଟିଛି ରାଉରକେଲା ଉଦିତନଗର ଜଗନ୍ନାଥ ମନ୍ଦିରରେ।

କାରଣ ଏଠାରେ ଦେଖିବାକୁ ମିଳିଛି ଏକ ଭିନ୍ନ ଧରଣର ଚୋରି। ଠାକୁରଙ୍କୁ ପ୍ରଣାମ କରି ଚୋରି କରୁଛି ଚୋର । ଆଉ ଏହି ଚୋରିର ସମ୍ପୂର୍ଣ୍ଣ ଭିଡିଓ ସିସିଟିଭିରେ ହୋଇଛି କଏଦ। ସିସିଟିଭିରେ ରେକର୍ଡ ହୋଇଥିବା ଦୃଶ୍ୟରେ, ଜଣେ ଯୁବକଙ୍କ ରାତିରେ ମନ୍ଦିର ଭିତରକୁ ପଶୁଛନ୍ତି। ପ୍ରଥମେ ଯୁବକ ଜଣକ ଅରୁଣ ସ୍ତମ୍ଭ ନିକଟରେ ମୁଣ୍ଡିଆ ମାରିଥିଲା । ଏହାପରେ ଶିବଙ୍କ ନିକଟରେ ମଧ୍ୟ ମୁଣ୍ଡିଆ ମାରି ବାହାର ଦାନ ବାକ୍ସକୁ ମନ୍ଦିର ପଛ ପାଖକୁ ଟାଣିନେଇଥିଲା। ଆଉ ସେଠାରେ ଦାନହୁଣ୍ଡି ଭାଙ୍ଗି ସେଥିରୁ ଦାନ ଅର୍ଥ ଲୁଟ୍ କରିଥିଲା।

Also Read: ଅନଲାଇନରେ ମହାପ୍ରସାଦ ବିକ୍ରି ଘଟଣା, ପୁରୀ ସାଇବର ଥାନାରେ ଏତଲା ଦେଲା ଶ୍ରୀମନ୍ଦିର ପ୍ରଶାସନ

ଏହାପ​‌ରେ ପୁଣି ଜଗନ୍ନାଥ ମନ୍ଦିର ଗର୍ଭ ଗୃହ ଯିବା ପାଇଁ କବାଟକୁ ଭାଙ୍ଗି ସେଠାରୁ ମଧ୍ୟ ଏକ ଦାନ ବାକ୍ସକୁ ଚୋରି କରିଛି ଚୋର। ତେବେ ଏହି ଚୋର ଜଣଙ୍କ ମନ୍ଦିର ହୁଣ୍ଡିରେ ପ୍ରାୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଥିବା ଅନୁମାନ କରୁଛନ୍ତି ମନ୍ଦିର କର୍ତ୍ତୃପକ୍ଷ। ଉଦିତନଗର ଥାନାରେ ଏନେଇ ଅଭିଯୋଗ ପରେ ବର୍ତ୍ତମାନ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ କରୁଛି ରାଉରକେଲା ପୋଲିସ।