ପୁରୀ: ଅନଲାଇନରେ ମହାପ୍ରସାଦ ବିକ୍ରି ଘଟଣାକୁ ଗୁରୁତର ସହ ନେଇ ପୁରୀ ସାଇବର ଥାନାରେ ଏତଲା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ମଙ୍ଗଳବାର ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏନେଇ ସାଇବର ଥାନାରେ ଏତଲା ଦେଇଛନ୍ତି।  ଏତଲା ପରେ ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତେବେ ଅନଲାଇନରେ ଏଭଳି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ନିକଟରେ ଅଭିଯୋଗ କରିଛି ଶ୍ରୀମନ୍ଦିର ପ୍ରଶାସନ।

ସେପେଟ ଏହି ଘଟଣାକୁ ନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ଅନଲାଇନରେ ମହାପ୍ରସାଦ ବିକ୍ରି କରିବା ସମ୍ପୂର୍ଣ୍ଣ ବେଆଇନ। କିଛି ଲୋକ ଅନଲାଇନ ମାଧ୍ୟମରେ ଲୋକଙ୍କୁ ଠକେଇ କରୁଛନ୍ତି। ଏନେଇ ପୋଲିସ ଅବଗତ ଥିବାବେଳେ ପୂର୍ବରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଅନଲାଇନରେ ବେଆଇନ ଭାବେ ମହାପ୍ରସାଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭକ୍ତମାନେ ଅନଲାଇନରେ ମହାପ୍ରସାଦ ନକିଣି ଏଭଳି ଠକେଇ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପୋଲିସ ନିକଟରେ ଅଭିଯୋଗ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

Also Read: ୫ ଦିନରେ ୪ ଡିଗ୍ରୀ ବଢିପାରେ ପାରଦ, ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ନେଇ ପୂର୍ବାନୁମାନ

ସୂଚନାଥାଉକି, ଅନଲାଇନରେ ଜଗନ୍ନାଥ ମହାପ୍ରସାଦ ବିକ୍ରି ନେଇ ବ୍ରଜ ମେଳା ନାମକ ଏକ ସଂସ୍ଥା ସୋସିଆଲ ମିଡ଼ିଆରେ ବିଜ୍ଞାପନ ଦେଇଥିଲା। ଶୁଖିଲା ମହାପ୍ରସାଦ ଓ ଖଜା ପ୍ରସାଦ ବିକ୍ରି ନେଇ ବିଜ୍ଞାପନ ଦେଇଥିଲା। ହରେକୃଷ୍ଣ ଟେଲିଭିଜନ ନାମକ ଏକ ଇନଷ୍ଟାଗ୍ରାମ ଆଇଡିରୁ ଏହି ବିଜ୍ଞାପନ ଦିଆଯାଇଥିଲା। ମହାପ୍ରସାଦ ବରାଦ ପାଇଁ ଯୋଗାଯୋଗ ନମ୍ବର ମଧ୍ୟ ଦିଆଯାଇଥିଲା। ମହାପ୍ରଭୁଙ୍କ ପ୍ରସାଦକୁ ଏଭଳି ଅପମାନକୁ ନେଇ ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ସାଇବର ଥାନାରେ ଏତଲା ଦିଆଯାଇଛି।