ନୂଆଦିଲ୍ଲୀ : ନୂଆ ଏଲପିଜି ସିଲିଣ୍ଡର ବୁକିଂ ନିୟମକୁ ନେଇ ଲୋକେ ଏବେ ବି ଭ୍ରମ ରହିଛନ୍ତି। ଖାସ କରି ୩୫ ଦିନ ଅପେକ୍ଷା ଅବଧିକୁ ନେଇ ଲୋକଙ୍କ ମଧ୍ୟରେ ଏପରି ଭ୍ରମ ସୃଷ୍ଟି ହୋଇଛି। ତେବେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଏପରି କୌଣସି ନିୟମ ଲାଗୁ ହୋଇ ନଥିବାର ସ୍ପଷ୍ଟ କରିଛନ୍ତି। ସଂଶୋଧିତ ଅପେକ୍ଷା ସମୟକୁ ନେଇ ଭାଇରାଲ ହେଉଥିବା ଦାବିକୁ ସରକାର ମିଥ୍ୟା ବୋଲି କହିଥିବା ବେଳେ ଏ ନେଇ ଥିବା ଗାଇଡଲାଇନ ଏବେବି ବଳବତ୍ତର ଥିବା ସ୍ପଷ୍ଟ କରିଛନ୍ତି।

ଏଲପିଜି ବୁକିଂ ଅନ୍ତରାଳରେ ହୋଇନି କୌଣସି ପରିବର୍ତ୍ତନ
ଏବେକା ନିୟମ ଅନୁସାରେ ଏଲପିଜି ବୁକିଂ ମଧ୍ୟରେ ଥିବା ଅପେକ୍ଷା ଅବଧି ପୂର୍ବଭଳି ରହିଛି। ଯେପରି ସହରାଞ୍ଚଳରେ ୨୫ ଦିନ ଓ ଗ୍ରାମାଞ୍ଚଳ ପାଇଁ ୪୫ ଦିନ ବ୍ୟବଧାନ ରହିଛି। ଏହି ସମୟ ସୀମାରେ କୌଣସି ସଂଶୋଧନ କରାଯାଇ ନାହିଁ। ଏଣୁ ଉପଭୋକ୍ତାଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଏଲପିଜି ବୁକିଂକୁ ନେଇ ବିଚଳିତ ନ ହୁଅନ୍ତୁ ଓ ତରବରିଆ ବୁକିଂ ନ କରନ୍ତୁ। କାରଣ ସାରା ଦେଶରେ ଏଲପିଜି ଯୋଗାଣ ସ୍ୱଭାବିକ ରହିଛି।

ଏହି ଭ୍ରମର କାରଣ କଣ?
ଏପରି ଭୁଲ ଧାରଣା ମୁଖ୍ୟତଃ ସୋସିଆଲ ମିଡିଆ ପୋଷ୍ଟ ଓ ବୁକିଂ କଟକଣା ଦାବିକୁ ନେଇ ଉପୁଜିଛି। କିଛି ପୋଷ୍ଟରେ ଅଲଗା ଅଲଗା କନେକ୍ସନକୁ ନେଇ ଅଲଗା ଅଲଗା ସମୟସୀମା ମଧ୍ୟ ଦିଆଯାଉଛି। ତେବେ ଏପରି ଦାବିକୁ ସରକାର ସ୍ପଷ୍ଟ ଖଣ୍ଡନ କରିଛନ୍ତି ଓ ନାଗରିକଙ୍କୁ କେବଳ ଅଧିକାରୀକ ସୂଚନା ଉପରେ ଭରସା କରିବାକୁ କୁହାଯାଇଛି। ଗ୍ୟାସ ଯୋଗାଣ ପାଇଁ କୌଣସି ନୂଆ ଶ୍ରେଣୀ ସୃଷ୍ଟି କରାଯାଇନି କି ଅପେକ୍ଷା ଅବଧିରେ କୌଣସି ସଂଶୋଧନ କରାଯାଇନି। ଏପରିକି କୌଣସି ଅତିରିକ୍ତ କଟକଣା ମଧ୍ୟ ଲାଗୁ କରାଯାଇ ନାହିଁ ବୋଲି କୁହାଯାଇଛି।

ପୂର୍ବ ଭଳି କାମ କରୁଛି ଏଲପିଜି ବୁକିଂ ପ୍ରଣାଳୀ
ଦେଶରେ ଏଲପିଜି ବୁକିଂ ପ୍ରଣାଳୀ ପୂର୍ବଭଳି କାମ କରୁଛି ଓ ଅପେକ୍ଷା ଅବଧିରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ସରକାର ସ୍ପଷ୍ଟ କରିଛନ୍ତି ଯେ ଯୋଗାଣ ସ୍ୱଭାବିକ ରହିଛି। ଏଣୁ ଗ୍ୟାସ୍ ଉପଲବ୍ଧତାକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଗ୍ୟାସ ବୁକିଂ ପାଇଁ ଆପଣ ଅଧିକାରୀକ ବୁକିଂ ଚ୍ୟାନେଲର ଉପଯୋଗ କରନ୍ତୁ। ଏ ନେଇ ପ୍ରସାରିତ ହେଉଥିବା ଭୁଲ ସୂଚନାରେ ପ୍ରଭାବିତ ହୁଅନ୍ତୁ ନାହିଁ। ବୁକିଂ ପାଇଁ ଆପଣ ଏସଏମଏସ କରନ୍ତୁ କି ହ୍ୱାଟସ୍ ଆପ୍ ଅଥବା ଫୋନ କଲ ଏଲପିଜି ସିଲିଣ୍ଡର ବୁକ୍ କରିବା ସବୁବେଳେ ସହଜ ଓ ସମସ୍ୟାମୁକ୍ତ ରହି ଆସିଛି।