ନୟାଗଡ଼ : ମା' ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳା କନା ବୁଲାଇଲେ ଦୁର୍ବୁତ୍ତ ।  ଦ୍ୱିତୀୟ ବୈଷ୍ଣୋଦେଵୀଙ୍କ ପୀଠ ଭାବେ ଖ୍ୟାତ ନୟାଗଡ଼ ଜିଲ୍ଲା ଜାମୁକୋଣ ପାହାଡ଼ରେ ପୂଜା ପାଉଥିବା ଏହି ମନ୍ଦିରରୁ ଚୋରି ହୋଇଛି । ୧୮୦ ଫୁଟର ଗୁମ୍ଫା ଭିତରକୁ ଯାଇ ଦୁର୍ବୃତ୍ତମାନେ ମା' ପିନ୍ଧିଥିବା ସମସ୍ତ ଅଳଙ୍କାର ଚୋରି କରିନେଇଛନ୍ତି ।  ଚୋରି ହୋଇଥିବା ସୁନା ଅଳଙ୍କାରର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଗୁରୁବାରର ଘଟଣା।  ସନ୍ଧ୍ୟାରେ ପ୍ରବଳ ପବନ ଏବଂ ବର୍ଷା ପ୍ରଭାବରୁ ଲାଇନ ନଥିଲା ।  ଫଳରେ ସିସି କ୍ୟାମେରା ବି ବନ୍ଦ ହୋଇଯାଇଥିଲା । ଏହାର ପୂରା ସୁଯୋଗ ନେଇଥିଲେ ଚୋର। ଅନ୍ଧାରର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଚୋର ।  ମୁଖ୍ୟ ଫାଟକକୁ କାଟି ଗୁମ୍ଫା ଭିତରେ ପ୍ରବେଶ କରି ମା' ବୈଷ୍ଣୋଦେବୀଙ୍କ ସମସ୍ତ ସୁନା ଅଳଙ୍କାର ଚୋରି କରି ନେଇଛନ୍ତି । 

ମା' ବୈଷ୍ଣୋଦେବୀ ଚାରିଟେବୁଲ ଟ୍ରଷ୍ଟ ଏବଂ ଭକ୍ତଙ୍କ ଦ୍ୱାରା ଦିଆଯାଇଥିଲା ଏହି ସମସ୍ତ ସୁନା ଅଳଙ୍କାର । ହେଲେ ଏବେ କଳାକନା ବୁଲାଇବା ପରେ ଗୁମ୍ଫା ଭିତର ଯେମିତି  ଶ୍ରୀହୀନ ହୋଇଯାଇଛି । ବଡ଼ କଥା ହେଉଛି ସୁରକ୍ଷାକର୍ମୀ ଥିବା ସତ୍ତ୍ୱେ ଚକମା ଦେଇ ଚୋରି ହୋଇଛି । ଚୋର ସ୍ଥାନୀୟ ଅଞ୍ଚଳର ହୋଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି l ଶରଣକୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also Read- ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରୀ ମେଡିସିନ, କୁଣ୍ଡିଆ ରୋଗ ପାଇଁ ଦେଇଦେଲେ କାନ ଡ୍ରପ ଔଷଧ