ଉଦଳା: ଉଦଳା ମେଡିକାଲରେ ରୋଗୀଙ୍କୁ ଦିଆଯାଇଛି ଏକ୍ସପାଏରୀ ମେଡିସିନ। କୁଣ୍ଡିଆ ରୋଗ ପାଇଁ କାନ ଡ୍ରପ ଦିଆଯାଇଥିବାର ସାଂଘାତିକ ଅଭିଯୋଗ ଆସିଛି। ଉଦଳା ଥାନା ଖଲାଡି ଗ୍ରାମର ଲରେନ୍ସ ଖଣ୍ଡେଇ ଦେହରେ କୁଣ୍ଡାଇ ହୋଇ ଘାଆ ହେଉଥିବା ନେଇ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲକୁ ଆସିଥିଲେ।

ଉଦଳା ଡାକ୍ତରଖାନାରେ ଡାକ୍ତର ଦେଖାଇ ନିରାମୟରୁ ଔଷଧ ନେଇ ଘରକୁ ଫେରିଥିଲେ। ହେଲେ ରାତିରେ ଔଷଧ ଖାଇବାକୁ ଯିବା ସମୟରେ ଜାଣିବାକୁ ପାଇଥିଲେ ଦିଆଯାଇଥିବା ଲୋସନ ଏକ୍ସପାୟରୀ ହୋଇଯାଇଛି। ଯାହା ଜାଣିବା ପରେ ସେ ତାଙ୍କ ମାଆଙ୍କୁ ଘଟଣା ବାବଦରେ ଜଣାଇଥିଲେ।

କ୍ଲଟ୍ରିମାଜଲ ଲୋସନଟି ୨୦୨୫ ମସିହାରୁ ଏକ୍ସପାଏର ହୋଇଯାଇଥିବା ବେଳେ ତାହା ରୋଗୀଙ୍କୁ ଦିଆଯାଇଥିବାର ସାଙ୍ଘାତିକ ଅଭିଯୋଗ ଆଣିଥିଲେ ରୋଗୀ ଏବଂ ତାଙ୍କ ମାଆ। ଏହା ସହିତ କୁଣ୍ଡିଆ ରୋଗ ନିମନ୍ତେ କ୍ଲଟ୍ରିମାଜଲ ଲୋସନ ବଦଳରେ ସେହି କମ୍ପୋଜିସନ ଥିବା କାନ ଡ୍ରପ ଦିଆଯାଇଥିବା ଦେଖାଯାଇଛି।

ସେପଟେ ଏଭଳି ସାଙ୍ଘାତିକ ଅଭିଯୋଗ ବାବଦରେ ଏସଡିଏମଓଙ୍କୁ ପଚାରିବାରୁ ଉକ୍ତ ମେଡ଼ିସିନ ପ୍ରେସକ୍ରିପସନରେ ଲେଖା ନାହିଁ ଏବଂ ତାହା ଉଦଳା ମେଡିକାଲର ନୁହେଁ ବୋଲି କହି ଦୋଷ ଖସାଇ ଦେଇଛନ୍ତି। ପ୍ରଶ୍ନ ଉଠୁଛି କିଏ କହୁଛି ସତ। ଏସଡିଏମଓ ନା ରୋଗୀ। କର୍ମଚାରୀଙ୍କ ଅବହେଳାକୁ ଲୁଚାଇବାକୁ ଚେଷ୍ଟା କରୁ ନାହାନ୍ତି ତ ମେଡିକାଲ ଅଧିକାରୀ ? ଏହା ତଦନ୍ତ ସାପେକ୍ଷ।