• ଯୋଗୀ ଓ ଅଖିଳେଶ ପର୍ସନାଲଟି ରେଟିଂ ମାମଲାରେ ପାଖାପାଖି ଅଛନ୍ତି
  • ମୁଖ୍ୟମନ୍ତ୍ରୀ ଭାବେ ୩୫.୩% ଲୋକେ ଯୋଗୀ ଆଦିତ୍ୟନାଥଙ୍କୁ ବାଛିଛନ୍ତି
  • ମହିଳାଙ୍କ ମଧ୍ୟରୁ ୪୨% ଏନଡିଏ ସପକ୍ଷରେ ଥିବା ୪୧.୯% ପୁରୁଷ ସପାକୁ ସମର୍ଥନ କରୁଛନ୍ତି

ଲକ୍ଷ୍ନୌ : ’ସ୍କୋର’ ଓପିନିୟନ ପୋଲର ପ୍ରଥମ ପର୍ଯ୍ୟାୟ ଫଳାଫଳ ଆସିଯାଇଛି। ଏଥିରେ ଯଦି ଏବେ ନିର୍ବାଚନ ହୁଏ ତେବେ ଉତ୍ତରପ୍ରଦେଶ (ୟୁପି)ରେ କେଉଁ ଦଳ ବାଜିମାତ କରିବ ତାର ଚିତ୍ର ମିଳିଯାଉଛି। ତେବେ ଏହି ନିର୍ବାଚନରେ ରାଜନୈତିକ ମେଣ୍ଟମାନଙ୍କୁ କଡ଼ା ପ୍ରତିଦ୍ୱନ୍ଦ୍ୱୀତାର ସମ୍ମୁଖୀନ ହେଉଥିବା ଦେଖା ଯାଉଛି। ସର୍ଭେରେ ଶାସକ ବିଜେପିକୁ ଏକାକୀ ୧୭୭ରୁ ୨୧୫ଟି ଆସନ ମିଳୁଥିବା ବେଳେ ସମାଜବାଦୀ ପାର୍ଟି (ସପା)କୁ ୧୬୦ରୁ ୨୦୨ଟି ଆସନ ମିଳୁଥିବା ଅନୁମାନ କରାଯାଉଛି। ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ଓ ମେଣ୍ଟ ୨୫୫ଟି ଆସନ ଜିତିଥିବା ବେଳେ ସପା ୧୧୧ଟି ସିଟରେ ଅଟକି ଯାଇଥିଲା।

ସର୍ଭେରେ ଅଂଶଗ୍ରହଣ କରିଥିବା ଲୋକଙ୍କୁ ସେମାନେ କେଉଁ ପାର୍ଟିକୁ ଭୋଟ ଦେବେ ବୋଲି ପଚରା ଯାଇଥିଲା। କାରଣ ଏସପି ଓ କଂଗ୍ରେସ ଏବେ ପର୍ଯ୍ୟନ୍ତ ଏ କଥାରେ ସହମତ ହୋଇ ପାରି ନାହାନ୍ତି ଯେ ସେମାନେ କେଉଁ ଆସନରୁ ନିର୍ବାଚନ ଲଢିବେ। ତେବେ ସ୍କୋର ଯେତେବେଳେ ଉଭୟ ପାର୍ଟିଙ୍କ ସିଟ୍ ଅନୁସାରେ ସମର୍ଥନକୁ ଯୋଡିଲା ସେତେବେଳେ ଇଣ୍ଡିଆ ବ୍ଲକକୁ ୧୭୪ରୁ ୨୧୯ଟି ଆସନ ମିଳୁଥିବା ଓ ଏନଡିଏକୁ ୧୮୧ରୁ ୨୨୬ଟି ଆସନ ମିଳୁଥିବା ଦେଖାଯାଇଛି। ଏଥିରେ ଭୋଟ ସେୟାରରେ ଏନଡିଏ ଇଣ୍ଡିଆ ବ୍ଲକ୍ ଠାରୁ ୨.୩୫% ଆଗରେ ରହୁଥିବା ଦେଖାଯାଇଛି।

ତେବେ ସ୍କୋର ଯେଉଁ ୪୨ଟି ଆସନ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇ ପାରିନି ସେଥିରେ ୩୮ଟିରେ ବିଜେପି ଓ ଏସପି ମଧ୍ୟରେ ସିଧା ପ୍ରତିଦ୍ୱନ୍ଦ୍ୱୀତା ହେଉଥିବା ଦେଖାଯାଇଛି। ଏହାଛଡା ଅବଧର ୧୫ଟି ଆସନ ଟାଇ ହେଉଛି। ସ୍କୋରର ସଂସ୍ଥାପକ ନରେଶ ଆରୋରା କହିଛନ୍ତି ଯେ ସିଟ୍ ନମ୍ବରରୁ ଅଧିକ ଭୋଟ ସେୟାର ଅଧିକ ଆକର୍ଷଣୀୟ। ସର୍ଭେରେ ସାମିଲ ମହିଳାଙ୍କ ମଧ୍ୟରୁ ୪୨% ଏନଡିଏ ସପକ୍ଷରେ ଥିବା ବେଳେ ୩୧.୫% ସପାକୁ ସମର୍ଥନ କରିଛନ୍ତି। ଅନ୍ୟପଟେ ୪୧.୯% ପୁରୁଷ ସପାକୁ ସମର୍ଥନ କରୁଥିବା ବେଳେ ଏନଡିଏକୁ ୩୫.୧% ସମର୍ଥନ ମିଳୁଛି। ପୁରା ରାଜ୍ୟରେ କରାଯାଇଥିବା ସର୍ଭେକ୍ଷଣରେ ସପାର ଭୋଟ ସେୟାର ୨୦୨୨ର ୩୨.୧%ରୁ ବଢି ୩୭% ହୋଇଯାଇଛି। ତେବେ ଏହି ସମୟରେ ବିଜେପିର ଭୋଟ ସେୟାର ୪୧.୩%ରୁ ହ୍ରାସ ହୋଇ ୩୬.୭% ହୋଇଯାଇଛି।

ପଶ୍ଚିମ ଉତ୍ତରପ୍ରଦେଶରେ ଏନଡିଏ ଆଗରେ ଚାଲୁଛି। ଏଠାରେ ସ୍କୋର ଅନୁମାନ କରିଥିଲା ଯେ ଏଠାକାର ୧୩୬ ସିଟରୁ ବିଜେପି ୮୪ରୁ ୯୦ ଆସନ ଜିତିବ। ସର୍ଭେରେ ସେଠାରେ ବିଜେପିର ଭୋଟ ସେୟାର ୨୦୨୨ର ୪୫.୪%ରୁ ହ୍ରାସ ହୋଇ ୩୮.୧% ହୋଇଯାଇଛି। ସେପଟେ ପୂର୍ବାଞ୍ଚଳରେ ସପା ବିଜେପିଠାରୁ ୭% ଆଗରେ ରହି ୩୧.୬% ତୁଳନାରେ ୩୮.୬% ସମର୍ଥନ ହାସଲ କରିଛି। ଅବଧରେ ବିଜେପି ୪୦.୩ ଓ ସପା ୩୯.୪% ସହ ପାଖାପାଖି ରହୁଛନ୍ତି। ତେବେ ବୁନ୍ଦେଲଖଣ୍ଡ ଏକାକୀ ଏକ ଏପରି ଅଞ୍ଚଳ ଯେଉଁଠି ବିଜେପିର ଭୋଟ ସେୟାର ୨୦୨୨ର ସ୍ତରରୁ ବଢି ୪୧.୧% ହୋଇଛି।

ତେବେ ଲୋକଙ୍କୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଭାବେ କାହାକୁ ଅଧିକ ପସନ୍ଦ କରନ୍ତି ପଚରାଗଲା ସତେବେଳେ ୩୫.୩% ଲୋକେ ଯୋଗୀ ଆଦିତ୍ୟନାଥଙ୍କୁ ବାଛିଛନ୍ତି। ୨୬.୫% ଲୋକେ ଅଖିଳେଶ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଚାହୁଁଥିବା ବେଳେ ୮.୬% ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା କହିଛନ୍ତି। ତେବେ ଦୁଇ ବଡ ଦାବିଦାର ଯୋଗୀ ଓ ଅଖିଳେଶ ପର୍ସନାଲଟି ରେଟିଂ ମାମଲାରେ ପାଖାପାଖି ଅଛନ୍ତି। ଆଦିତ୍ୟନାଥଙ୍କ ବ୍ୟକ୍ତିତ୍ୱକୁ ୧୦୦ ଜଣଙ୍କ ମଧ୍ୟରୁ୬୯.୬ ପ୍ରତିଶତ ପସନ୍ଦ କରୁଥିବା ବେଳେ ଏଥିରେ ଅଖିଳେଶଙ୍କୁ ୬୮.୩% ସ୍କୋର ମିଳିଛି।