ନୂଆଦିଲ୍ଲୀ: ଆଜି ଯାଏଁ ଆମେ ଶୁଣିଥିଲୁ, ଭାରତ ରୁଷ ଠାରୁ ତେଲ କିଣୁଛି । ଅଶୋଧିତ ତୈଳ କିଣିବା ମାମଲାରେ ଏକଦା ରୁଷ ସବୁଠୁ ଭାରତର ବଡ଼ ସପ୍ଲାୟର ଥିଲା । କିନ୍ତୁ ଏବେ ଏପରି ଏକ ରିପୋର୍ଟ ଆସିଛି, ଯାହା ଏକ ଭିନ୍ନ ଚିତ୍ର ପ୍ରଦାନ କରୁଛି । ନିଜ ତେଲ ଆବଶ୍ୟକତା ପୂରଣ ପାଇଁ ରୁଷ ଏବେ ଭାରତ ଠାରୁ ଆମଦାନୀ କରିବ ।

ୟୁକ୍ରେନର ଡ୍ରୋନ ଆକ୍ରମଣ ଯୋଗୁଁ ରୁଷରତୈଳ ବିଶୋଧନାଗାର ଗୁଡ଼ିକରେ ହୋଇଥିବା କ୍ଷତି ଏବଂ ପେଟ୍ରୋଲ ସଙ୍କଟର ମୁକାବିଲା କରିବା ପାଇଁ ରୁଷ ଏବେ ଭାରତରୁ ପେଟ୍ରୋଲ ଆମଦାନୀ କରିବା ଆରମ୍ଭ କରିଛି । ରଏଟର୍ସର ଏକ ରିପୋର୍ଟ ଅନୁସାରେ, ବାଣିଜ୍ୟିକ ସୂତ୍ର ଏବଂ ଜାହାଜ ଚଳାଚଳ ତଥ୍ୟରୁ ଏହି ସୂଚନା ମିଳିଛି । ସାଧାରଣତଃ ରୁଷିଆ ନିଜେ ଏକ ପ୍ରମୁଖ ତୈଳ ରପ୍ତାନିକାରୀ ଦେଶ, କିନ୍ତୁ ବର୍ତ୍ତମାନର ପରିସ୍ଥିତି ଯୋଗୁଁ ତାକୁ ଅନ୍ୟ ଦେଶରୁ ପେଟ୍ରୋଲ କିଣିବାକୁ ପଡ଼ୁଛି । ମଙ୍ଗଳବାର କ୍ରେମଲିନ୍ କହିଛି ଯେ ରୁଷ ଅନ୍ୟ ଦେଶମାନଙ୍କ ସହିତ ଯୋଗାଯୋଗରେ ଅଛି ଏବଂ ସୁଲଭ ମୂଲ୍ୟରେ ଇନ୍ଧନ ଆମଦାନୀ ବିଷୟରେ ଆଲୋଚନା କରୁଛି ।

ଏନଡିଟିଭି ରିପୋର୍ଟ ଅନୁଯାୟୀ, ଭାରତରୁ ରୁଷକୁ ଅତି କମରେ ୬୦,୦୦୦ ମେଟ୍ରିକ୍ ଟନ୍ ପେଟ୍ରୋଲ ପଠାଯାଇଛି । ଅନ୍ୟ ଏକ ଦାବି ଅନୁସାରେ ଭାରତରୁ ରୁଷକୁ ୩୦,୦୦୦ରୁ ୪୦,୦୦୦ ଟନ୍ କ୍ଷମତା ବିଶିଷ୍ଟ ଦୁଇଟି ଟ୍ୟାଙ୍କର୍ ପଠାଯାଇଛି । ତେବେ, କେଉଁ ଭାରତୀୟ ରିଫାଇନାରୀ ରୁଷକୁ ଏହି ଇନ୍ଧନ ଯୋଗାଣ କରୁଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ରୁଷ ବିଭିନ୍ନ ଦେଶରୁ ପ୍ରତି ମାସରେ ମୋଟ ୪,୦୦,୦୦୦ ଟନ୍ ପେଟ୍ରୋଲ ଆମଦାନୀ କରିବାକୁ ଯୋଜନା କରୁଛି । ରୁଷର ପଡ଼ୋଶୀ ଦେଶ ବେଲାରୁଷ ମଧ୍ୟ ଇନ୍ଧନ ରପ୍ତାନୀ କରିବା ଆରମ୍ଭ କରିସାରିଛି । ଗ୍ରୀଷ୍ମ ଋତୁରେ ରୁଷରେ ଇନ୍ଧନ ଚାହିଦା ସର୍ବାଧିକ ହୋଇଥାଏ, ପ୍ରତିଦିନ ଅତି କମରେ ୧,୧୦,୦୦୦ ଟନ୍ ବ୍ୟବହାର ହୋଇଥାଏ ।

ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ, ପାଶ୍ଚାତ୍ୟ ଦେଶଗୁଡ଼ିକର କଟକଣା ସତ୍ତ୍ୱେ ଭାରତ ରୁଷିଆରୁ ବହୁ ପରିମାଣରେ ଅଶୋଧିତ ତୈଳ ରିହାତି ଦରରେ କିଣୁଥିଲା । ଭାରତୀୟ ବିଶୋଧନାଗାରଗୁଡ଼ିକ ସେହି ତୈଳକୁ ପରିଶୋଧିତ କରି ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ କରନ୍ତି । ବର୍ତ୍ତମାନ ଏକ ଓଲଟା ପରିସ୍ଥିତି ଦେଖିବାକୁ ମିଳିଛି, ଯେଉଁଠି ରୁଷିଆ ନିଜେ ଭାରତରୁ ବିଶୋଧିତ ପେଟ୍ରୋଲ କିଣୁଛି ।