ଭୁବନେଶ୍ବର: ଦୁଇ ଦିନର ବ୍ୟବଧାନ ପରେ ପୁଣି ଓଡ଼ିଶାରେ ସକ୍ରିୟ ହୋଇଛି ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ । ସୋମବାର ଉପକୂଳ ସହ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଛୁଇଁଛି ମୌସୁମୀ। ସେହିଭଳି ଆଗାମୀ ୪ରୁ ୫ ଦିନ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ବଜ୍ରପାତ ଓ ପବନ ଆଶଙ୍କା ରହିଥିବା ବେଳେ, ଏନେଇ ସତର୍କ କରିଛନ୍ତି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି।

ସେ ଆହୁରି କହିଛନ୍ତି, ବର୍ତ୍ତମାନ ମୌସୁମୀ ଉତ୍ତର ସୀମା ହର୍ନାଇ, ସୋଲାପୁର, ହାଇଦ୍ରାବାଦ, ଭଦ୍ରାଦ୍ରି କୋଠାଗୁଡେମ୍, କଳିଙ୍ଗପାଟନମ୍, ପାରାଦୀପ, ବାରିପଦା, ପୁରୁଲିଆ, ଧାନବାଦ ଓ ମୁଜାଫରପୁର ଦେଇ ଗତି କରୁଛି। ଆଗାମୀ ୪-୫ ଦିନରେ ମୌସୁମୀ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶାର ଆହୁରି ଅନେକ ଅଞ୍ଚଳ, ଝାଡ଼ଖଣ୍ଡ, ବିହାର ଏବଂ ଦକ୍ଷିଣ ଛତିଶଗଡ଼କୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି।

Also Read: ସକ୍ରିୟ ହେଲା ‘ଏଲ୍‌ନିନୋ’, ଓଡ଼ିଶାରେ ବିଗିଡ଼ିବ ପାଣିପାଗ

ସେହିଭଳି ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ନିକଟରେ ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତାରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଗତ ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଏବଂ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ ଓ ଯାଜପୁରର ଗୋଟିଏ-ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ବର୍ଷା ବୋଲଗଡ଼ରେ ୯ ସେମି ରେକର୍ଡ ହୋଇଛି।

ଗତକାଲି ବଜ୍ରପାତ ଯୋଗୁ ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ ଜଣ ଆହତ ହୋଇଛନ୍ତି। କଟକରେ ୩, ସୋନପୁର, ବୌଦ୍ଧ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।ସର୍ବାଧିକ ତାପମାତ୍ରା ବୌଦ୍ଧରେ ୪୨.୮ ଡିଗ୍ରୀ ଓ ସର୍ବନିମ୍ନ ଫୁଲବାଣୀରେ ୨୧.୫ ଡିଗ୍ରୀ ରେକର୍ଡ ହୋଇଛି।

Also Read: ଉତ୍ତର ଓଡ଼ିଶା ଦେଇ ଆସିଲା ମୌସୁମୀ; ୨ରୁ ୩ ଡିଗ୍ରୀ କମିବ ପାରଦ, ଆଜି ଅନେକ ସ୍ଥାନରେ ବର୍ଷା ସମ୍ଭାବନା​​​​​​​​​​​​​​

ଆଗାମୀ ୪ ଦିନ ପାଇଁ ଚେତାବନୀ:

ଅରେଞ୍ଜ ଓ୍ବାର୍ଣ୍ଣିଂ: କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାରେ ବଜ୍ରପାତ ସହ ୫୦ରୁ ୬୦ କିମି ବେଗରେ ପବନ ଓ ପ୍ରବଳ ବର୍ଷା ସମ୍ଭାବନା।

ୟୋଲୋ ଓ୍ବାର୍ଣ୍ଣିଂ: ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ୪୦ରୁ ୫୦ କିମି ବେଗରେ ପବନ। କନ୍ଧମାଳ ଓ ରାୟଗଡ଼ାରେ ପ୍ରବଳ ବର୍ଷା। ଉପକୂଳ ଜିଲ୍ଲାରେ ଗୁଳୁଗୁଳି ଓ ଗରମ ଅନୁଭୂତ ହେବ।