ଭୁବନେଶ୍ବର ୬।୪: ଓଡ଼ିଶା ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର' ପୁରସ୍କାର । ଏହି ପୁରସ୍କାର ପାଇବା ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା ପୋଲିସ I ଏହି ପୁରସ୍କାର କୌଣସି ସାଧାରଣ ପୁରସ୍କାର ନୁହେଁ । ଏହା ହେଉଛି ଜଣେ ସୈନ୍ୟ କିମ୍ବା ପୋଲିସ ବାହିନୀକୁ ମିଳୁଥିବା ସର୍ବୋଚ୍ଚ ସମ୍ମାନ ।

ଏହି ପୁରସ୍କାର ପ୍ରଦାନ କରିବା ନିମନ୍ତେ ଖୁବ୍‌ଶୀଘ୍ର ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ପୋଲିସକୁ ଦେବେ ‘ପ୍ରେସିଡେଣ୍ଟସ୍ କଲର' ପୁରସ୍କାର । ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଭାରତରେ ଏକ ସାମରିକ ୟୁନିଟ୍, ତାଲିମ ପ୍ରତିଷ୍ଠାନ କିମ୍ବା ପୋଲିସ ଫୋର୍ସକୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ହେଉଛି ‘ପ୍ରେସିଡେଣ୍ଟସ୍ କଲର' । ସାହସିକତା ଏବଂ ବୃତ୍ତିଗତତାକୁ ସ୍ୱୀକୃତି ଦେଇଥାଏ ଏହି ପୁରସ୍କାର । ଏକ ଆନୁଷ୍ଠାନିକ ପତାକା ଏବଂ ଉତ୍କର୍ଷତାର ପ୍ରତୀକ ସ୍ୱରୂପ ମେଡାଲ କିମ୍ବା ବ୍ୟାଚ୍ ଦିଆ ଯିବାର କାର୍ଯ୍ୟକ୍ରମ ରହିଛି । ସାରା ଦେଶରେ ଏହା ଓଡ଼ିଶା ପୋଲିସକୁ ବଡ଼ ସଫଳତା ବୋଲି କୁହାଯାଉଛି । ଏହା ଓଡ଼ିଶା ପୋଲିସର ବର୍ଷ ବର୍ଷର ନିଷ୍ଠା, ବଳିଦାନ ଏବଂ ସେବାର ସ୍ୱୀକୃତି । ଏଥିପାଇଁ ଅତିକମ୍‌ରେ ୨୫ ବର୍ଷର ନିଷ୍କଳଙ୍କ ସେବା ଆବଶ୍ୟକ । ଆମ ପୋଲିସ ବାହିନୀ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ନକ୍ସଲ ବିରୋଧୀ ଅଭିଯାନ ହେଉ କିମ୍ବା ବାତ୍ୟା ସମୟରେ ଜନସାଧାରଣଙ୍କୁ ସୁରକ୍ଷା ଦେବା ସବୁଥିରେ ନିଜର ଶ୍ରେଷ୍ଠତା ପ୍ରମାଣିତ କରିଛି ।

Also Read:- ଓଡ଼ିଶାରେ ପଶିପାରିବନି ବାହାର ରାଜ୍ୟର ଗାଡ଼ି, ୧୦ ବର୍ଷରୁ ଅଧିକ ହେଲେ ମିଳିବନି ପରମିଟ୍

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ, ପରେଡ ପ୍ରସ୍ତୁତ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ବିଭାଗ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି I ଡିଜିପିଙ୍କ କ୍ୟାମ୍ପ ଅଫିସରେ ଡିଜିପି ୱାଇ.ବି. ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର, ADG ଆଇନଶୃଙ୍ଖଳା ସଞ୍ଜୟ କୁମାର, ADG ଆଧୁନିକୀକରଣ ସୌମେନ୍ଦ୍ର ପ୍ରିୟଦର୍ଶୀ, ADG କମ୍ୟୁନିକେସନ ଦୟାଲ ଗଙ୍ଗୱାର, ADG ସଂଜୀବ ପଣ୍ଡା, ADG ରାଜେଶ କୁମାର, ADG ICAW ଏସ୍ ସାଇନି, HRPC ଯତୀନ୍ଦ୍ର କୋଏଲ, ପୋଲିସ କମିଶନର ଦେବଦତ୍ତ ସିଂ, ADG ମୁଖ୍ୟାଳୟ ପ୍ରତୀକ ମହାନ୍ତି, IG ପ୍ରବୀଣ କୁମାର, IG କ୍ରାଇମବ୍ରାଞ୍ଚ ସାର୍ଥକ ଷଡଙ୍ଗୀ ପ୍ରମୁଖ ଯୋଗଦେଇଥିଲେ ।

ଡ଼ିଶା ପୋଲିସର କାର୍ଯ୍ୟଦକ୍ଷତା, ପରାକାଷ୍ଠାର ନିଦର୍ଶନକୁ ଦେଖି ଏହା ପ୍ରଥମ ଥର ପାଇଁ ଓଡ଼ିଶା ପୋଲିସକୁ ପ୍ରଦାନ କରାଯାଉଛି ‘ପ୍ରେସିଡେଣ୍ଟସ୍ କଲର' ପୁରସ୍କାର । ଯାହା ଓଡ଼ିଶା ପୋଲିସ ପ୍ରତିଷ୍ଠାର ୯୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରଦାନ କରାଯାଉଛି । ଯାହାକୁ ନେଇ ଡିଜିପି ଓ୍ବାଇ.ବି. ଖୁରାନିଆ ସବୁ ସ୍ତରର ସହକର୍ମୀ, ଅଧିକାରୀଙ୍କୁ ଶ୍ରେୟ ଦେଇଛନ୍ତି ।