ଭୁବନେଶ୍ବର ୧୨।୭: ବଢୁଛି ସହରର କାୟା, ଆଉ ବଢୁଛି ନକଲି ଅଫିସରଙ୍କ ସଂଖ୍ୟା। ଲୁଟ୍ ପାଇଁ ଖଣ୍ଡା, ବନ୍ଧୁକ ନୁହେଁ, ଏବେ ନକଲି ଆଇ କାର୍ଡ ଆଉ ନକଲି ୱେବସାଇଟ୍ ସାଜିଛି ଅସ୍ତ୍ର । ଆଉ ରାଜଧାନୀ ଭୁବନେଶ୍ବରରେ ଏବେ ନକଲି ଅଫିସରଙ୍କ ରାଜ୍। ଲୁଟ୍ ହେଉଛି ସତ, କିନ୍ତୁ ଫର୍ମୁଲା ପୁରା ଅଲଗା। ଦାମୀ ପୋଷାକ, ଷ୍ଟାଇଲିଷ୍ଟ ଲୁକ୍, ଦୁଇପଦ ବିଶ୍ବାସ ଭରା କଥା ଆଉ ନକଲି ଆଇକାର୍ଡ ସହ ନକଲି ଅଫିସ୍ ଦେଖାଇ କୋଟି କୋଟି ଟଙ୍କା ଠକେଇ ହେଉଛି। ଗତକାଲି ଜଣେ ନିଜକୁ ଆଇପିଏସ୍ ଅଫିସର ଓ ଆଡିସନାଲ୍ ଏସ୍‌ପି ପରିଚୟ ଦେଇ ଦୀର୍ଘବର୍ଷ ଲୋକଙ୍କୁ ଠକୁଥିବା ରଜନୀକାନ୍ତ ମହାନ୍ତିଙ୍କୁ ଖାରବେଳ ନଗର ଥାନା ପୋଲିସ ଗିରଫ କରିଛି । ସେପଟେ ଲିଙ୍ଗରାଜ ଥାନା ପୋଲିସ ଜଣେ ନକଲି ଆଇଏଏସ୍ ଅଫିସରକୁ ଗିରଫ କରିଛି ।

ନଜର ପକାନ୍ତୁ କିଛି ବଡ଼ ନକଲି ଅଫିସର୍‌ଙ୍କ ଅସଲି ଅପରାଧ ଉପରେ :

ଫେବୃଆରୀ ୭, ୨୦୨୬- ନକଲି ଡାକ୍ତର କରୁଥିଲେ ଯୁବତୀଙ୍କୁ ଟ୍ରାପ୍ । ମାଟ୍ରିମୋନିଆଲ ସାଇଟ୍‌ରେ ଅସଲି ଡାକ୍ତରଙ୍କ ସହ ପ୍ରେମ ସମ୍ପର୍କ ପରେ ଟଙ୍କା ନେଇ ମାରୁଥିଲା ଚମ୍ପଟ । ଅଭିଯୋଗ ପରେ ମଞ୍ଚେଶ୍ଵର ଥାନା ପୋଲିସ କରିଥିଲା ଗିରଫ ।

ମେ’ ୨୩, ୨୦୨୬- ଖାରବେଳନଗର ଥାନା ପୋଲିସ ହାତରେ ଧରା ପଡ଼ିଥିଲା ନକଲି NIA ଅଫିସର। ନାଲିବତୀ ଗାଡ଼ିରେ ବିଭିନ୍ନ ସରକାରୀ ଅଫିସ ଯାଇ ସେଠାରେ କର୍ମଚାରୀଙ୍କୁ ମିଛ ମାମଲାରେ ଫସାଇବାକୁ ଧମକ ଦେଇ ଟଙ୍କା ନେଉଥିଲେ ।

ଜୁନ୍ ୬, ୨୦୨୬- ଜଣେ ମହିଳା ନିଜକୁ ନକଲି IFS ଅଫିସର କହି ବିଭିନ୍ନ ଜିଲ୍ଲାରେ ପ୍ରୋଜେକ୍ଟ ଦେବା ଆଳରେ କୋଟି କୋଟି ଟଙ୍କା ଠକେଇ କରି ଫେରାର। ଚନ୍ଦକା ପୋଲିସ ତିନିଜଣ ଏଜେଣ୍ଟଙ୍କୁ ଗିରଫ କରିବା ସହ ସବୁ ଫେକ ଆଇକାର୍ଡ, ଷ୍ଟାମ୍ପ ସହ କାର୍ ଜବତ କରିଛି।

ଜୁନ୍ ୬, ତାରିଖରେ ମଧ୍ୟ ଜଣେ ଯୁବକ ନିଜକୁ ଆଇଏଏସ୍ ଅଫିସର କହି ବିଭିନ୍ନ ଜିଲ୍ଲାରେ ବିଳାସମୟ ଜୀବନଯାପନ କରୁଥିଲେ। ବଡ ବଡ ହୋଟେଲରେ ରହିବା ସହ ଦାମୀ ଗାଡ଼ିରେ ବୁଲୁଥିଲା କିନ୍ତୁ ଟଙ୍କା ମାଗିଲେ ରୋବାବ ଦେଖାଇ ଫେରାର ହେଉଥିଲା, ଯାହାକୁ ସହିଦ ନଗର ଥାନା ପୋଲିସ ଗିରଫ କରିଛି ।
ତେବେ ଏମାନଙ୍କ ବିରୋଧରେ କଡ଼ା ଆକ୍ସନ ହେଲେ ଆଗରୁ ଏପରି କେହି କରିବାକୁ ସାହସ କରିବେନାହିଁ ବୋଲି କହିଛନ୍ତି ଆଇନଜୀବୀ।

ଖାଲି ଟ୍ବିନ୍ ସିଟିରେ ନୁହେଁ, ସାରା ଓଡ଼ିଶାରେ ନକଲି ଅଫିସରଙ୍କ ଜାଲରେ ପଡ଼ୁଛନ୍ତି ଯୁବ ବର୍ଗ।

ଏପ୍ରିଲ୍ ୧୭, ୨୦୨୬- ନକଲି ଡାକ୍ତର ଯୁବତୀଙ୍କ ଗର୍ଭପାତ କରୁଥିଲେ ଏବଂ ମୋଟା ଅଙ୍କର ଟଙ୍କା ନେଉଥିବା ଡାକ୍ତରକୁ ବାନ୍ଧିଥିଲା ବଡ଼ମ୍ବା ଥାନା ପୋଲିସ।

ଜୁନ ୨୧ ୨୦୨୬- ନିଜକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ PA କହି ଅନେକ ଲୋକଙ୍କୁ ଚୂନ ଲଗାଇଥିବା ଯୁବକକୁ ଗିରଫ କରିଥିଲା ବ୍ରହ୍ମପୁର ଟାଉନ୍ ଥାନା ପୋଲିସ। ଖାଲି ସେତିକି ନୁହେଁ, ଜୁନ୍ ୨୧ ୨୦୨୬ ରେ ଜଣେ ନକଲି ଆର୍ମି ଅଫିସର୍ ଆର୍ମି ଡ୍ରେସ ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ସହ ଏଣେତେଣେ ବୁଲୁଥିଲେ। ଯାହାକୁ ପୁରୀ ପୋଲିସ ଗିରଫ କରିଥିଲା।

ତେବେ ନିଜକୁ କେହି ଗେଜେଟେଡ୍ ଅଫିସର୍ କହୁଥିବା ଲୋକଙ୍କ ହିଷ୍ଟ୍ରି ଯାଞ୍ଚ୍ କରି ଆଗକୁ ବଢ଼ିବା ଆବଶ୍ୟକ ବୋଲି କହିଛନ୍ତି ସାଇବର୍ ବିଶେଷଜ୍ଞ।