ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିଭିନ୍ନ ଜେଲରେ ବନ୍ଦୀ ବିଚାରାଧୀନ ଗ୍ୟାଙ୍ଗଷ୍ଟର, ସଙ୍ଗଠିତ ଅପରାଧୀ ଓ ଅଧିକ ବିପଦପୂର୍ଣ୍ଣ କଏଦୀଙ୍କୁ ଆବଶ୍ୟକତା ପଡିଲେ ଅନ୍ୟ ରାଜ୍ୟର ଜେଲମାନଙ୍କୁ ସ୍ଥାନାନ୍ତରିତ କରାଯାଇ ପାରିବ। ଏହାକୁ ନେଇ ଦିଲ୍ଲୀ ସରକାର ‘ଟ୍ରାନ୍ସଫର ଅଫ ପ୍ରିଜିନର୍ସ (ପଞ୍ଜାବ ଆମେଡମେଣ୍ଟ) ଆକ୍ଟ-୨୦୨୫’କୁ ଲାଗୁ କରିବା ପାଇଁ ବିଚାର କରୁଛନ୍ତି। ଏହା ଉଦ୍ଦେଶ୍ୟ ହେଉଛି ଜେଲ ସୁରକ୍ଷା ଓ ଆଇନଶୃଙ୍ଖଳାକୁ ନିୟନ୍ତ୍ରିତ କରିବା ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି। ସାର୍ବଜନିକ ହୀତକୁ ଧ୍ୟାନରେ ରଖି ଏପରି ବନ୍ଦୀଙ୍କୁ ଅନ୍ତରରାଜ୍ୟ ସ୍ଥାନାନ୍ତର କରି ସଙ୍ଗଠିତ ଅପରାଧ ମୁକାବିଲାରେ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରେଖା ଗୁପ୍ତା କହିଛନ୍ତି ଯେ ଦିଲ୍ଲୀ ଜେଲରେ ଦୋଷୀ ଅପରାଧୀଙ୍କ ସହିତ ବହୁ ସଂଖ୍ୟାରେ କୁଖ୍ୟାତ ଅପରାଧୀ ମଧ୍ୟ ବିଚାରାଧୀନ ବନ୍ଦୀ ଭାବେ ଅଛନ୍ତି। ଗତ ମେ ମାସରେ ଦିଲ୍ଲୀରେ ୨୬ଟି ଗ୍ୟାଙ୍ଗାର ୧୮୮ଜଣ ସଦସ୍ୟଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୦୭ ଜଣ ଗ୍ୟାଙ୍ଗଷ୍ଟର ଗିରଫ ହୋଇଛନ୍ତି। ଏପରି ବିଚାରାଧୀନ ବନ୍ଦୀ ଜେଲ ଭିତରେ ମଧ୍ୟ ଅପାରଧିକ ଗତିବିଦ୍ଧିରେ ସାମିଲ ରହୁଛନ୍ତି। ବର୍ତ୍ତମାନର ବ୍ୟବସ୍ଥାରେ ଏପରି ବନ୍ଦୀଙ୍କୁ ଦିଲ୍ଲୀ ଜେଲରୁ ଅନ୍ୟ ରାଜ୍ୟ ଜେଲକୁ ସ୍ଥାନାନ୍ତର କରିବା ସମ୍ଭବ ନୁହେଁ। ତେବେ ଟ୍ରାନ୍ସଫର ଅଫ ପ୍ରିଜିନର୍ସ ଆକ୍ଟ ୧୯୫୦ ଅନୁସାରେ କେବଳ ଦୋଷୀ ସାବ୍ୟସ୍ତ କୈଦୀଙ୍କୁ ସ୍ଥାନାନ୍ତରଣର ପ୍ରାବଧାନ ରହିଛି। ଏଣୁ ଆଇନଗତ ଅସୁବିଧା ଦୂର କରିବାକୁ ପଞ୍ଜାବ ସରକାର ଟ୍ରାନ୍ସଫର ଅଫ ପ୍ରିଜିନର୍ସ (ପଞ୍ଜାବ ଆମେଡମେଣ୍ଟ) ଆକ୍ଟ ୨୦୨୫ ଉପସ୍ଥାପନ କରିଥିଲେ।

ଏହି ସଂଶୋଧନ ଅଧିନିୟମକୁ ୨୧ ଏପ୍ରିଲ ୨୦୨୫ରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିଲା। ସଂଶୋଧନରେ ସୁରକ୍ଷା, ଆଇନଶୃଙ୍ଖଳା ଅଥବା ଜନହୀତରେ ବିଚାରାଧୀନ ବନ୍ଦୀଙ୍କୁ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ପଠା ଯାଇ ପାରିବ। ଏହି ସଂଶୋଧନକୁ ଏବେ ଦିଲ୍ଲୀରେ ଲାଗୁ କରିବା ପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି। ଏଥିରେ ଗୁରୁତର ଓ ଅଧିକ ବିପଦପୂର୍ଣ୍ଣ ବନ୍ଦୀଙ୍କୁ ପରିସ୍ଥିତି ଅନୁସାରେ ଅନ୍ୟ ରାଜ୍ୟଙ୍କ ଜେଲକୁ ପଠା ଯାଇ ପାରିବ।

ସରକାରଙ୍କ ଅନୁସାରେ କିଛି ବିଚାରାଧୀନ ବନ୍ଦୀ ଜେଲରେ ଥାଇ ମଧ୍ୟ ସ୍ଥାନୀୟ ନେଟୱାର୍କ ଓ ଅନ୍ୟ ଗୋଷ୍ଠୀର ସମ୍ପର୍କ ବ୍ୟବହାର କରି ନିଜ ଅପରାଧୀ ମେଣ୍ଟକୁ ସମ୍ପ୍ରସାରଣ କରୁଛନ୍ତି। ଏପରି କୈଦୀଙ୍କ ମଧ୍ୟରେ ଗ୍ୟାଙ୍ଗୱାର ଓ ପ୍ରତିଶୋଧାତ୍ମକ ବାଦବିବାଦ ଲାଗି ରହୁଛି। ଏହି ପ୍ରସ୍ତାବରେ ଏପରି କଠୋର ଓ କୁଖ୍ୟାତ ବିଚାରାଧାନ ବନ୍ଦୀମାନଙ୍କୁ ଦିଲ୍ଲୀ ବାହାରର ଜେଲମାନଙ୍କୁ ସ୍ଥାନାନ୍ତରିତ କରାଗଲେ ସାକ୍ଷୀଙ୍କୁ ପ୍ରଭାବିତ କରିବା ଓ କୋର୍ଟ କାର୍ଯ୍ୟାନୁଷ୍ଠାନରେ ବାଧା ସୃଷ୍ଟି କରିବାକୁ ସେମାନଙ୍କ କ୍ଷମତା ହ୍ରାସ କରିବ। ଏହା ସହିତ ସେମାନଙ୍କ ଅପରାଧିକ ଗତିବିଦ୍ଧି ଉପରେ ମଧ୍ୟ ଅଂକୁଶ ଲାଗି ପାରିବ।