ପହଲଗାମ: ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଉତ୍ସାହ ଏବେ କାହିଁରେ କ’ଣ। ଅମରନାଥ ଗୁମ୍ଫା ମନ୍ଦିରରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁ ଦର୍ଶନ କଲେଣି। ତେବେ ପ୍ରାକୃତିକ ରୂପେ ନିର୍ମିତ ହିମଲିଙ୍ଗ ଯାହାଙ୍କୁ ‘ବାବା ବର୍ଫାନୀ’ ମଧ୍ୟ କୁହାଯାଏ, ଏବେ ୯୦% ତରଳିଗଲେଣି। କିଛି ରିପୋର୍ଟରେ ଏହା ବି ଦାବି କରାଯାଉଛି ଯେ ୫୭ ଦିନର ଯାତ୍ରାର ମାତ୍ର ୫ ଦିନରେ ହିମଲିଙ୍ଗ ପାଖାପାଖି ଅଦୃଶ୍ୟ ହୋଇ ସାରିଲେଣି। ସୋସିଆଲ ମିଡିଆରେ ମଧ୍ୟ ଲୋକେ ଏପରି ଦାବି କରୁଛନ୍ତି। ପ୍ୟୁପିଲସ୍ ଡେମୋକ୍ରାଟିକ ପାର୍ଟି (ପିଡିପି) ନେତା ଇଲତଜା ମୁଫ୍ତି ଏ ନେଇ ଉଦବେଗ ପ୍ରକାଶ କରିଥିବା ବେଳେ ତରଳୁଥିବା ଶିବଲିଙ୍ଗର ଛବି ସେୟାର କରି ଅମରନାଥ ଯାତ୍ରା କାଳରେ ତୀର୍ଥଯାତ୍ରା ପ୍ରବନ୍ଧନକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଗୁମ୍ଫା ମନ୍ଦିର ଉପରେ ପଡୁଥିବା ପରିବେଶ ପ୍ରଭାବକୁ ନେଇ ମୁଫ୍ତି ଚିନ୍ତା ବ୍ୟକ୍ତ କରିଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ଦୈନିକ ତୀର୍ଥ ଯାତ୍ରୀଙ୍କ ସଂଖ୍ୟା କଥା ଉଠାଇଛନ୍ତି। ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ଏଥି ପାଇଁ ଦୈନିକ ୧୦ ହଜାର ତୀର୍ଥ ଯାତ୍ରୀଙ୍କୁ ଅନୁମତି ଦେଇଥିଲେ। ମୁଫ୍ତିଙ୍କ ବୟାନ ଏପରି ସମୟରେ ଆସିଛି ଯେତେବେଳେ ଅଧିକାରୀ ଗତବର୍ଷର ଆତଙ୍କବାଦୀ ଆକ୍ରମଣ ପରେ ତୀର୍ଥ ଯାତ୍ରୀଙ୍କ ସଂଖ୍ୟାରେ ହୋଇଥିବା ବୃଦ୍ଧିକୁ ନେଇ ଉତ୍ସାହିତ ଅଛନ୍ତି। ତେବେ ବର୍ଫାନୀଙ୍କ ସଂରଚନା ହ୍ରାସ ହେବା ଯୋଗୁ ପୁଣି ଥରେ ଏକ ପୁରୁଣା ବିବାଦ ଉଭା ହୋଇଛି। ଏଥିରେ ପ୍ରତିବର୍ଷ ଆପଣାଛାଏଁ ସୃଷ୍ଟି ହେଉଥିବା ବରଫ ଶିବଲିଂଗକୁ କଣ ଜଳବାୟୁ ପରିବର୍ତ୍ତନର ପ୍ରଭାବିତ କରୁଛି? ଏହା ବର୍ତ୍ତମାନ ସମୟର ମୁଖ୍ୟ ପ୍ରଶ୍ନ ପାଲଟିଛି।

ସେହିପରି ହିମାଳୟ ପାରିସ୍ଥିତିକ ତନ୍ତ୍ରରେ ବଢୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ଓ ବଢୁଥିବା ଭିତ୍ତି ଭୂମି ଶିବଲିଂଗ ତରଳିବାର ବେଗକୁ ଦ୍ରୁତ କରୁଛି କି? ଏହା ମଧ୍ୟ ଏବେ ଏକ ବଡ଼ ପ୍ରଶ୍ନ ପାଲଟିଛି। ଅମରନାଥ ଗୁମ୍ଫା ତୀର୍ଥ ସ୍ଥଳ ଜମ୍ମୁ ଓ କାଶ୍ମୀରର ଅନନ୍ତ ନାଗ ଜିଲ୍ଲାରେ ହିମାଳୟର ପାଖାପାଖି ୩,୮୮୮ ମିଟର ଉଚ୍ଚରେ ଅବସ୍ଥିତ। ଏହା କାଶ୍ମୀର ହିମାଳୟର ଲିଦ୍ଦର ଘାଟି ତଳେ ରହିଛି। ଏଥି ପାଇଁ ତୀର୍ଥ ଯାତ୍ରୀ ପାରମ୍ପରିକ ୪୮ କିଲୋମିଟର ଦୀର୍ଘ ପହଲଗାମ ମାର୍ଗ ଅଥବା ସଂକ୍ଷିପ୍ତ ତଥା ଅତ୍ୟନ୍ତ ଦୁର୍ଗମ ରାସ୍ତା ୧୪ କିଲୋମିଟର ଦୀର୍ଘ ବାଲଟାଲ ରାସ୍ତାରେ ତୀର୍ଥ ସ୍ଥଳ ପର୍ଯ୍ୟନ୍ତ ପହଞ୍ଚି ପାରୁଛନ୍ତି। ତୀର୍ଥଯାତ୍ରୀ ଏଠାରେ ପ୍ରାକୃତିକ ରୂପେ ନିର୍ମିତ ବରଫ ଶିବଲିଂଗକୁ ପୂଜା କରନ୍ତି, ଯାହା ଏକ ଋତୁକାଳୀନ ବରଫର ସ୍ତମ୍ବ ଓ ଗୁମ୍ଫାର ତାପମାତ୍ରା ତଥା ଋତୁର ସ୍ଥିତି ସହିତ ବୃଦ୍ଧି ଓ ହ୍ରାସ ହୋଇଥାଏ।

ଚଳିତବର୍ଷ ପ୍ରଥମ ୪ ଦିନରେ ଅନୁନ୍ୟ ୯୩ ହଜାର ତୀର୍ଥ ଯାତ୍ରୀ ଏହି ତୀର୍ଥ ସ୍ଥଳ ଦର୍ଶନ କରିଛନ୍ତି। ‘ଦି ହିନ୍ଦୁ’ ସମ୍ବାଦପତ୍ର ଅନୁସାରେ ଜୁଲାଇ ୫ ତାରିଖ ସୁଦ୍ଧା ୩୨,୦୦୦ ରୁ ଅଧିକ ଶ୍ରଦ୍ଧାଳୁ ହିମ ଶିବଲିଂଗ ପୂଜାର୍ଚନା କରିଛନ୍ତି। ତେବେ ଯାତ୍ରାର ଦ୍ୱିତୀୟ ଦିନ ୨୦ ହଜାରରୁ ଅଧିକ ତୀର୍ଥ ଯାତ୍ରୀ ଦର୍ଶନ ପାଇଁ ପହଞ୍ଚିଥିଲେ। ଗତ ଅନେକ ବର୍ଷର ସଂଖ୍ୟା ଅନୁସାରେ ଦ୍ୱିତୀୟ ଦିନ ହୋଇଥିବା ଭିଡ଼ ବେଶ୍ ଅଧିକ ଥିଲା। ଜମ୍ମୁ ଓ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଯିଏ ଅମରନାଥ ଶ୍ରାଇନବୋର୍ଡର ମୁଖ୍ୟ ମଧ୍ୟ ଅଟନ୍ତିଗତ ୪ ବର୍ଷରେ ଏହା ସବୁଠୁ ଅଧିକ ବୃଦ୍ଧି ବୋଲି କହିଛନ୍ତି।

ତେବେ ପ୍ରଶାସନର ଅନିବାର୍ଯ୍ୟ ସ୍ୱାସ୍ଥ୍ୟ ପ୍ରମାଣପତ୍ର ଓ ବିନା ପଞ୍ଜିକରଣରେ ଆସିଥିବା ତୀର୍ଥ ଯାତ୍ରୀଙ୍କୁ ନେଇ ଗଭର୍ଣ୍ଣର ଚିନ୍ତା ବ୍ୟକ୍ତ କରିଛନ୍ତି। ସିହ୍ନା କହିଛନ୍ତି ଯେ ଏପରି ଶ୍ରଦ୍ଧାଳୁ ସୁରକ୍ଷା ବ୍ୟବସ୍ଥା ଓ ଭିତ୍ତିଭୂମି ଉଭୟ ଉପରେ ଚାପ ସୃଷ୍ଟି କରୁଛନ୍ତି। ତେବେ ସ୍ରାଇନବୋର୍ଡ ପହଲଗାମ ଓ ବାଲଟାଲ ମାର୍ଗରେ ପ୍ରତିଦିନ ତୀର୍ଥ ଯାତ୍ରୀଙ୍କ ସଂଖ୍ୟା ୧୦,୦୦୦କୁ ହ୍ରାସ କରିଛନ୍ତି।