କଟକ ୨୩।୧୨: କଟକ ମଙ୍ଗଳାବାଗ ସ୍ଥିତ କାଠଗୋଲା ଅଞ୍ଚଳରେ ଥିବା ବିଏସଆର ଡାଇଗ୍ନୋଷ୍ଟିକ୍ ସେଣ୍ଟର ଉପରେ ରାଜ୍ୟ ଓ କଟକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି । ୨୦୧୯ରୁ ବିନା କୌଣସି ପଞ୍ଜୀକରଣରେ ଚାଲିଥିଲା ଏହି ଡାଇଗ୍ନୋଷ୍ଟିକ୍ ସେଣ୍ଟର । ବିନା ଅନୁମତିରେ ଚାଲିଥିଲା ଅଲଟ୍ରାସାଉଣ୍ଡ । ଏ ନେଇ ସୂଚନା ପାଇବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସ୍ପେଶାଲ ସ୍କ୍ବାଡ୍ ଓ ଜିଲ୍ଲା ପ୍ରଶାସନର ଏକ ଟିମ୍ ଏହି ଚଢାଉ କରି ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ସିଲ୍ କରିଛି । ତେବେ ଯାଞ୍ଚ ବେଳେ କେବଳ ବିନା ପଞ୍ଜୀକରଣ ବ୍ୟତୀତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଜାଣିବାକୁ ପାଇଥିଲା ସ୍ଵାସ୍ଥ୍ୟ ବିଭାଗ ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍ ଓ କଟକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍, ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ ଚଢ଼ାଉରେ ସାମିଲ ହୋଇଥିବା ବେଳେ କମ୍ପ୍ୟୁଟର ହାର୍ଡ ଡିସ୍କ, ରେଜିଷ୍ଟ୍ରର ସବୁକୁ ଜବତ କରାଯାଇଛି । ଏହାକୁ ସିଲ୍ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାର ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଚିନ୍ତାମଣି ମିଶ୍ର ।

​​​​​​​

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଟିମ୍ ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଟିମ୍ ମଧ୍ୟ ଏହି ଚଢ଼ାଉରେ ସାମିଲ ହୋଇଥିଲା । ଏହି ବିଏସଆର ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ କୌଣସି ବୈଧ ଦସ୍ତାବିଜ୍ ନଥିବା ବେଳେ ଫେକ୍ ଭାବେ ଚାଲିଥିଲା, ତେଣୁ ଏହାକୁ ସିଲ୍ କରାଯାଇଛି । ଏହାସହ ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଆଗକୁ ମଧ୍ୟ ଏହାର ଯାଞ୍ଚ ଜାରି ରହିବ ବୋଲି ପିସିପିଏନଡିଟିର ରାଜ୍ୟ ନୋଡାଲ ଅଫିସର ଅଭିଜିତ କୁଅଁର କହିଛନ୍ତି ।