ପୁରୀ ୨୬।୭: ସୁନାବେଶରେ ଝଟକିଲେ ରଥାରଢ଼ ଶ୍ରୀଜିଉ । ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ହୋଇ ଯାଇଥିଲା ଶ୍ରୀଜଗନ୍ନାଥମୟ । ସବୁ କିଛି ଭୁଲି ବଡ଼ଦାଣ୍ଡକୁ ସୁନାମି ଭଳି ମଡ଼ି ଆସିଥିଲେ ଭକ୍ତ । ବଡ଼ଦାଣ୍ଡ ସମେତ ସାହି ଗଳିକନ୍ଦି ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଥିଲା । ସଭିଙ୍କ ଲକ୍ଷ୍ୟ ଥିଲା ସିଂହଦ୍ଵାରରେ ପହଞ୍ଚିବା । ଆଉ କାଳିଆ ସାଆନ୍ତଙ୍କ ଦିବ୍ୟ ସୁନାବେଶ ଦର୍ଶନ କରିବା I ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଥିଲା । ଅବିରତ ଭାବେ ଗତିଶୀଳ ଥିଲା ଭକ୍ତଙ୍କ ଭିଡ଼ । ସୁରକ୍ଷାବାହିନୀଙ୍କ କଡ଼ା ନଜର ରହିଥିଲା ଭିଡ଼ ଉପରେ ।

ମହାପ୍ରଭୁ ଶକ୍ତି ଦେଉଥିଲେ ଚାଲିବା ପାଇଁ । ପୁଣି ଦର୍ଶନ ଦେଇ କଷ୍ଟ ନେଇଯାଉଥିଲେ । ଲକ୍ଷ ଲକ୍ଷ ଦର୍ଶନାର୍ଥୀ ଠାକୁରଙ୍କୁ ସୁନାବେଶରେ ଦେଖି ନିଜକୁ ଧନ୍ୟ ମଣିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଭଗବାନ ଓ ଭକ୍ତଙ୍କ ମଧ୍ୟରେ ଭାବର ଲହରି ଖେଳୁ ଥିଲା । ସୁନାବେଶରେ ଝଟକୁଥିଲେ କାଳିଆ ସାଆନ୍ତ । ରତ୍ନଖଚିତ ମହଣ ମହଣ ସୁବର୍ଣ୍ଣ ଆଭୂଷଣରେ ବିଭୂଷିତ ହୋଇଥିଲେ ବ୍ରହ୍ମାଣ୍ଡ ଅଧିପତି ।

Also Read:- କମିଲା ଅଣ୍ଡା ରେଟ୍, ଏବେ ମାତ୍ର ଏତିକି ଟଙ୍କାରେ ମିଳୁଛି ଅଣ୍ଡା : ହେଲେ ବଢୁଛି ପାଉଁରୁଟି !

ରଥାରୂଢ଼ ଦାରୁବ୍ରହ୍ମଙ୍କ ଅପୂର୍ବ ଆଭାରୁ ଦର୍ଶନାର୍ଥୀଙ୍କ ଆଖି ହଟୁ ନଥିଲା । ରଥ ସମ୍ମୁଖରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଢେର ଭାଙ୍ଗୁଥିଲା । ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବାକୁ ଠାକୁରେ ଅପଲକ ନୟନରେ ଚାହିଁ ରହିଥିଲେ । ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଠାକୁରଙ୍କ ସୁନାବେଶ ଦର୍ଶନର ଦିବ୍ୟ ଅନୁଭବ ପାଇଥିବା ଆକଳନ କରାଯାଉଛି ।