ଭୁବନେଶ୍ୱର, ୨୬।୦୭ : ଅଣ୍ଡାପ୍ରେମୀଙ୍କୁ ଆଶ୍ୱସ୍ତି। ରବିବାର ୟୁନିଟ୍ -୪ ବଜାରରେ ଅଣ୍ଡା ଦର ଦେଢ଼ଟଙ୍କା କମିଛି। ନୂଆ ଦର ଅନୁସାରେ ୭.୫୦ରେ ଅଣ୍ଡା ବିକ୍ରି ହେଉଥିଲା । କେହି କେହି ୮ଟଙ୍କାରେ ବିକ୍ରି କରୁଥିଲେ। ହେଲେ ରାଜଧାନୀର ଅନ୍ୟ ବଜାର, ଛକରେ ଦର ସେହି ୯ଟଙ୍କା ଥିଲା । ଯେତେବେଳେ ହାଟ ବିଷୟରେ ଖବର ମିଳିଲା, ବେପାରୀମାନେ ଧାଇଁଥିଲେ ।

ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କାଉଁଣ୍ଟରରେ ବେପାରୀଙ୍କ ଭିଜ ଜମିଥିବାର ଦେଖିବାକୁ ମିଳିଥିଲା। ଆଶା କରାଯାଉଛି, ଆଜିଠୁ ଦର କମିପାରେ। ନିଖିଳ ଉତ୍କଳ ଆମିଷ ବ୍ୟବସାୟୀ ସଂଘର ସଭାପତି ଶେଖ୍ ମୁନ୍ତାକିମ୍ ବକ୍ସ କହିଛନ୍ତି, ଶନିବାର କାର୍ଟୁନ ପିଛା ୨୦୦ ଟଙ୍କା କମିଛି। ନୂଆ ଦର ଅନୁସାରେ ୧୪୦୦ ଟଙ୍କା ପଡୁଛି। ହେଲେ ଏବେ ବି ବେପାରୀମାନେ ପୁରୁଣା ଦର ଦେଖାଇ ୧୪୬୦ରୁ ୧୪୮୦ ଟଙ୍କାରେ ବିକୁଛନ୍ତି। ଯାହା ଦ୍ୱାରା ଖୁଚୁରା ବଜାରରେ ଦର ଅଧିକ ରହିଛି।

Also Read :- ୩ ଦିନ ଯାଏଁ ଅତି ପ୍ରବଳ ବର୍ଷା, ଫୁଲିବ ମହାନଦୀ...ଏହି ସବୁ ଜିଲ୍ଲାକୁ ଅରେଞ୍ଜ୍ ଓ୍ୱାର୍ଣ୍ଣିଂ

ସେପଟେ ବଜାରରେ ମହଙ୍ଗା ହେବାକୁ ବସିଲାଣି ପାଉଁରୁଟି। ସାଧାରଣ ଲୋକଙ୍କ ଖାଦ୍ୟ ଭାବରେ ପରିଚିତ ପାଉଁରୁଟିର ଦର ଗତ ମାସକ ମଧ୍ୟରେ ଧୀରେଧୀରେ କରି ୫ଟଙ୍କା ବଢ଼ିସାରିଲାଣି। ୨୦ଟଙ୍କିଆ ପ୍ୟାକେଟ୍ ଏବେ ୨୫ ଟଙ୍କା ଓ ୪୦ ଟଙ୍କିଆ ବ୍ରାଉନ ବ୍ରେଡ୍ ୪୫ଟଙ୍କାରେ ବିକ୍ରି ହେଲାଣି। ଏହାର କାରଣ ଦେଶରେ ଗହମ ଉତ୍ପାଦନ ପ୍ରଭାବିତ ହୋଇଛି। ଚିନି ଦର ବଢିବା ମଧ୍ଯ ଦାୟୀ। ଆଗକୁ ବି ପାଉଁରୁଟି ଦର ବଢ଼ିଚାଲିବ ବୋଲି ବେପାରମାନେ ଆଶଙ୍କା ପ୍ରକାଶ କରିଛନ୍ତି ।