ଦିଗପହଣ୍ଡି: ଆଠ ଦିନ ହେଲା ନିଖୋଜ ଥିଲେ ସ୍ବାମୀ। ମିଳୁନଥିଲା ପତ୍ତା। ସ୍ତ୍ରୀ ଥାନାକୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ କେହି ଗୁରୁତ୍ୱ ଦେଲେନି କି ତଦନ୍ତ କରିଥିଲେ। ହେଲେ ଏବେ ଟ୍ରକ୍ ଡ୍ରାଇଭର ବାପୁଜୀ ସ୍ୱାଇଁ ମୃତଦେହ ମିଳିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର କୋଟାବୋମାଲି ଗ୍ରାମ ନିକଟରୁ। ଆଉ ମୃତଦେହ ମିଳିବା ପରେ ବାପୁଜୀଙ୍କ ଘରେ ଶୋକାକୂଳ ପରିବେଶ। କାନ୍ଦବୋବାଳିରେ ଫାଡ଼ିପଡ଼ୁଛି ଘର। ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଟ୍ରକ୍ ଡ୍ରାଇଭର ବାପୁଜୀ ସ୍ୱାଇଁ ୨୫ରୁ ନିଖୋଜ ଥିଲେ ଥିବାବେଳେ ଆନ୍ଧ୍ରରୁ ତାଙ୍କର କ୍ଷତାକ୍ତ ମୃତଦେହ ମିଳିଛି। ସେ ପ୍ରାୟ ୮ ଦିନ ହେବ ନିଖୋଜ ଥିଲେ। ଅବଶ୍ୟ ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଆଉ ଶବ ମିଳିବା ପରେ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏମିତିରେ ବାପୁଜୀଙ୍କ ମୃତ୍ୟୁ ପଛରେ ବଡ଼ ରହସ୍ୟ ଲୁଚି ରହିଥିବା ଏବେ ସନ୍ଦେହ କରାଯାଉଛି।

ସେପଟେ ସଂପୃକ୍ତ ମାମଲାରେ ଆନ୍ଧ୍ର ପୁଲିସ ଜଣେ ଟ୍ରକ୍ ଡ୍ରାଇଭର ଏବଂ ବାପୁଜୀଙ୍କ ଟ୍ରକ୍ ମାଲିକଙ୍କୁ ଥାନାକୁ ନେଇଥିବା ସୂଚନା ମିଳିଛି। ବାପୁଜୀ କିଛିବର୍ଷ ହେଲା ଛତ୍ରପୁର ଆସି କବାଡ଼ି ଦୋକାନ କରିଥିବା ଜଣେ ବ୍ୟବସାୟୀଙ୍କ ଟ୍ରକ୍ ଚଳାଉଥିଲେ । ଯେଉଁ ଟ୍ରକ୍ ଚଳାଇ ବାପୁଜୀ ଆନ୍ଧ୍ରପ୍ରଦେଶ ଯାଉଥିଲେ, ସେହି ଟ୍ରକଟି ଗୋଳନ୍ଥରା ଥାନା ହରିପରୁ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ଠିଆ ହୋଇଥିଲା । କିନ୍ତୁ ବାପୁଜୀ ନିଖୋଜ ଥିଲେ। ଏବେ ତାଙ୍କ ମୃତଦେହ ମିଳିଛି। ଏହି ଘଟଣା ପରେ ପୁରା ଗାଁ ଭାଙ୍ଗି ପଡ଼ିଥିବା ବେଳେ, ଅଭିଯୁକ୍ତଙ୍କୁ ଫାଶି ଦଣ୍ଡ ଦାବି କରିଛନ୍ତି ପରିବାରବର୍ଗ।

Also Read: ୨୩ ବର୍ଷ ପରେ ମିଳିଲା ନ୍ୟାୟ: ଦମ୍ପତିଙ୍କୁ ନଗ୍ନ କରି ବୁଲାଇବା ମାମଲାରେ ୧୪ ମହିଳା ଦୋଷୀ ସାବ୍ୟସ୍ତ

ବାପୁଜୀଙ୍କ ପତ୍ନୀ କହିଛନ୍ତି, ଗତ ଜୁନ୍ ୨୫ ତାରିଖରେ ତାଙ୍କ ସ୍ବାମୀ ଛତ୍ରପୁରରୁ ଟ୍ରକ୍ ନେଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଇଥିଲେ । ରାତି ପ୍ରାୟ ୮ଟାରେ ସ୍ତ୍ରୀଙ୍କ ସହ ସ୍ଵାମୀ ସେହିଦିନ ଶେଷ ଥର ପାଇଁ ମୋବାଇଲ ଫୋନରେ କଥା ହୋଇଥିଲେ। ପରେ ଭୋର ପ୍ରାୟ ୬ ଟାରେ ସ୍ତ୍ରୀ ପ୍ରଭାସିନା ତାଙ୍କ ସହ କଥା ହେବାପାଇଁ ଫୋନ୍ କରିବାରୁ ସ୍ବାମୀଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିବା ଜଣାପଡିଥିଲା। ଉକ୍ତ ଟ୍ରକଟି ଗୋଳନ୍ତରା ଥାନା ନିକଟ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଜଣାପଡିଥିଲା। ଟ୍ରକରେ ଚାବି ଲାଗିଥିବା ବେଳେ ସେଠାରେ ତାଙ୍କ ଚପଲ ପଡ଼ି ରହିଥିଲା।

ଖବର ପାଇ ସ୍ତ୍ରୀ ପ୍ରଭାସିନୀ ଗୋଳନ୍ଥରା ଥାନାକୁ ଯାଇ ଏତଲା ଦେଇଥିଲେ I ସେଠାକାର ପୋଲିସ ଏତଲା ଗ୍ରହଣ ନକରି ତାଙ୍କୁ ଛତ୍ରପୁର ଥାନାକୁ ଯାଇ ଏତଲା ଦେବାକୁ ପରାମର୍ଶ ଦେଇ ଫେରାଇ ଦେଇଥିଲେ। ସେ ଛତ୍ରପୁର ଥାନାକୁ ଯିବାରୁ ଜଣେ ପୋଲିସ ଅଧିକାରୀ ପୂରା ଘଟଣା ତାଙ୍କଠାରୁ ଶୁଣିବା ପରେ ଦିଗପହଣ୍ଡି ଥାନାକୁ ଯାଇ ସେଠାରେ ରିପୋର୍ଟ ଦେବାକୁ କହିଥିଲେ। ନିରୁପାୟ ହୋଇ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେବାରୁ ଛତ୍ରପୁର ପୋଲିସ ହିଁ ଏହାର ତଦନ୍ତ କରିବ କହି ଜଣେ ପୋଲିସ କର୍ମଚାରୀ ତାଙ୍କୁ ଫେରାଇ ଦେଇଥିଲେ। ପରେ ବ୍ରହ୍ମପୁର ସଦର ଥାନା ଯାଇ ଅଭିଯୋଗ କରିଥିଲେ ହେଲେ ସେଠି ମଧ୍ୟ ନିରାଶ ହୋଇଥିଲେ।

ଅପରପକ୍ଷରେ ଆନ୍ଧ୍ର ପ୍ରଦେଶ ପଲାସା ଥାନା ପୋଲିସ ଟ୍ରକ୍ ମାଲିକ ଏକ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଛତ୍ରପୁରରୁ ଉଠାଇ ନେଇ ମାରାଥନ ଜେରା ଚଳାଇଛନ୍ତି। ମୃତଦେହକୁ ପଲାସା ଗୁରୁବାର ଅପରାହ୍ନରେ ଜବତ କରିଛନ୍ତି । ପୋଲିସର ତଦନ୍ତରେ ଅବହେଳା କାରଣରୁ ବାପୁଜୀଙ୍କୁ ଅପହରଣକାରୀମାନେ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିବା ସହ ପୁଣି ଥରେ ଥରେ ଥାନାରେ ଏତଲା ଦିଆଯିବ ବୋଳି ବୋଲି କହିଛନ୍ତି।