ନୂଆଦିଲ୍ଲୀ: ଭାରତର ଶକ୍ତି ସୁରକ୍ଷାକୁ ନେଇ ବଢୁଥିବା ଅନିଶ୍ଚିତତା ମଧ୍ୟରେ, ଓମାନ ଏବଂ ଗୁଜରାଟକୁ ସଂଯୋଗ କରୁଥିବା ଏକ ପ୍ରସ୍ତାବିତ ୨,୦୦୦ କିମି ଦୀର୍ଘ ସମୁଦ୍ରତଳ ଗ୍ୟାସ ପାଇପଲାଇନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଯୋଜନା ବିଷୟରେ ଗତ ତିନି ଦଶନ୍ଧି ଧରି ଚର୍ଚ୍ଚା ହୋଇଆସୁଛି। କିନ୍ତୁ ଅତ୍ୟଧିକ ଖର୍ଚ୍ଚ, ବୈଷୟିକ ଜଟିଳତା ଏବଂ ବ୍ୟବସାୟିକ ସଫଳତା ନେଇ ସନ୍ଦେହ ଯୋଗୁ ଏହା କେବଳ ଯୋଜନା ସ୍ତରରେ ରହିଯାଇଥିଲା।

ବର୍ତ୍ତମାନ ଏହି ଆଲୋଚନା ସଫଳ ହେବା ଉପରେ । କାରଣ ଏହି ପ୍ରକଳ୍ପର କାମ କରୁଥିବା ଘରୋଇ କନସୋର୍ଟିୟମ୍ 'SAGE' (South Asia Gas Enterprise) ଦ୍ୱାରା ବୈଷୟିକ ଏବଂ ଆର୍ଥିକ ସ୍ଥିତି ଅଧ୍ୟୟନ ସମ୍ପୂର୍ଣ୍ଣ ହେବା ପରେ ଏହି ପ୍ରକଳ୍ପ ଏବେ ଦ୍ରୁତ ଗତିରେ ଆଗେଇବ ବୋଲି ଆଲୋଚନା ଚାଲିଛି। ଏଥିପାଇଁ ସମୁଦ୍ରତଳ ସର୍ଭେ ମଧ୍ୟ କରାଯାଇଛି।

ସର୍ଭେ ଅନୁସାରେ ଏହି ପ୍ରକଳ୍ପରେପ୍ରାୟ ୪୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଓମାନରୁ ସିଧାସଳଖ ଭାରତର ପଶ୍ଚିମ ଉପକୂଳ (ଗୁଜରାଟ)କୁ ଯୋଡ଼ିବ। ଏହା ବିଶ୍ୱର ଅନ୍ୟତମ ଗଭୀରତମ ସମୁଦ୍ରତଳି ପାଇପଲାଇନ ହେବ, ଯାହାର କିଛି ଅଂଶ ସମୁଦ୍ର ପତ୍ତନରୁ ୩,୦୦୦ ମିଟରରୁ ଅଧିକ ଗଭୀରରେ ରହିବ।

Also Read- OPEC+ର ବଡ଼ ନିଷ୍ପତ୍ତି: ତେଲ କୋଟା ବଢ଼ାଇଲେ ୨୨ ଦେଶ, ଜାଣନ୍ତୁ ଭାରତ ଉପରେ କ'ଣ ପଡ଼ିବ ପ୍ରଭାବ

କେତେ ଗୁରୁତ୍ୱପୂର୍ଣ୍ଣ ଏହି ପ୍ରକଳ୍ପ?

ଶକ୍ତି ନିର୍ଭରଶୀଳତା:ଭାରତ ଏହାର ଅଧିକାଂଶ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ (LNG) ଆମଦାନୀ କରେ। ଏହି ଆମଦାନୀର ଏକ ବଡ଼ ଅଂଶ ପାରସ୍ୟ ଉପସାଗରରୁ 'ଷ୍ଟ୍ରେଟ୍ ଅଫ୍ ହରମୁଜ' ଦେଇ ଭାରତକୁ ଆସେ। ବର୍ତ୍ତମାନର ଇରାନ ଯୁଦ୍ଧ ଏହି ଜଳପଥକୁ ଅବରୋଧ କରୁଥିବାରୁ ଭାରତ ବର୍ତ୍ତମାନ ଇନ୍ଧନ ଆଣିପାରୁ ନାହିଁ। ହେଲେ ପ୍ରକଳ୍ପ କାମ ହୋଇଗଲେ ହରମୁଜ ଅବରୋଧ ହେଲେ ବୋଲି କୌଣସି ସମସ୍ୟା ହେବ ନାହିଁ।

LNG କୁ ତରଳ କରି ଜାହାଜରେ ଆଣିବା ପରିବର୍ତ୍ତେ, ପାଇପଲାଇନ ଦ୍ୱାରା ସିଧାସଳଖ ଗ୍ୟାସ ଆସିଲେ ଏହା ଅଧିକ ନିର୍ଭରଯୋଗ୍ୟ ହେବ ଏବଂ ଜଳପଥର ବାଧାବିଘ୍ନରୁ ମୁକ୍ତି ମିଳିବ। ଆକଳନ ଅନୁଯାୟୀ, ଗ୍ୟାସ ପରିବହନ ଖର୍ଚ୍ଚ ପ୍ରତି MMBtu ପିଛା ୨ - ୨.୨୫ ଡଲାର ରହିପାରେ।

ତେବେ ଏହି ପ୍ରକଳ୍ପ ଉପରେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି।ସରକାରୀ ସ୍ତରରେ, ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଦ୍ୱାରା GAIL, ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏବଂ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଭଳି କମ୍ପାନୀଗୁଡ଼ିକୁ SAGE ର ପ୍ରାରମ୍ଭିକ ଅଧ୍ୟୟନକୁ ଭିତ୍ତି କରି ଏକ ବିସ୍ତୃତ ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଏହି ପ୍ରକଳ୍ପ ପାଇଁ ଏକାଧିକ ସମସ୍ୟା ରହିଛି।ଯେମିତିକ ଯାନ୍ତ୍ରୀକ ତ୍ରୁଟି ଜନିତ ସମସ୍ୟ।୩,୦୦୦ ମିଟର ଗଭୀରତାରେ ପ୍ରବଳ ଚାପ ଏବଂ କଠିନ ସମୁଦ୍ରତଳି ଅବସ୍ଥାରେ ପାଇପ୍ ବିଛାଇବା ଅତ୍ୟନ୍ତ କଷ୍ଟକର। ଏଥିରେ କୌଣସି ଲିକେଜ୍ ହେଲେ ମରାମତି କରିବା ଅତ୍ୟନ୍ତ ବ୍ୟୟବହୁଳ ହେବ। ସେହିପରି ୪୦,୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ଦୀର୍ଘକାଳୀନ ଗ୍ୟାସ ମୂଲ୍ୟ ଏବଂ ଚାହିଦା ଉପରେ ନିର୍ଭର କରି ବ୍ୟବସାୟିକ ସଫଳତା ଆସିବ। ପ୍ରକଳ୍ପ ପାଇଁ କିଏ ପାଣ୍ଠି ଯୋଗାଇବ ଏବଂ ଦୀର୍ଘକାଳୀନ ଆର୍ଥିକ ଚୁକ୍ତି କିପରି ସୁନିଶ୍ଚିତ ହେବ, ତାହା ବଡ଼ ପ୍ରଶ୍ନ।

ନୀତି ନିର୍ଦ୍ଧାରକଙ୍କ ପାଇଁ ଏହା କେବଳ ଏକ ଗ୍ୟାସ ପ୍ରକଳ୍ପ ନୁହେଁ, ବରଂ ଭାରତର ଶକ୍ତି ସୁରକ୍ଷାକୁ ମଜବୁତ କରିବାର ଏକ ମାଧ୍ୟମ। ଭବିଷ୍ୟତରେ ଏହି ଭିତ୍ତିଭୂମି ବ୍ୟବହାର କରି ହାଇଡ୍ରୋଜେନ ଭଳି ବିକଳ୍ପ ଇନ୍ଧନ ମଧ୍ୟ ପରିବହନ କରାଯାଇପାରିବ।

ପରିଶେଷରେ, ତିନି ଦଶନ୍ଧିର ଚର୍ଚ୍ଚା ପରେ, ଏହି ପ୍ରକଳ୍ପ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ପ୍ରଶ୍ନ ଏହା ନୁହେଁ ଯେ ଏହି ଧାରଣାଟି ଆକର୍ଷଣୀୟ କି ନୁହେଁ, ବରଂ ପ୍ରଶ୍ନ ହେଉଛି କିପରି ବୈଷୟିକ ଜ୍ଞାନ, ଅର୍ଥନୀତି ଏବଂ ଆର୍ଥିକ ଯୋଜନାକୁ ଏକାଠି କରି ଏହାକୁ ବାସ୍ତବ ରୂପ ଦିଆଯାଇପାରିବ ତ?