ନୂଆଦିଲ୍ଲୀ: ଭିଏନାରେ ଅନୁଷ୍ଠିତ ଓପେକ୍ ପ୍ଲସ୍ (OPEC+) ମନ୍ତ୍ରୀସ୍ତରୀୟ ବୈଠକରେ ଜୁଲାଇ ମାସ ପାଇଁ ତେଲ କୋଟାକୁ ଦୈନିକ ମୋଟ ୧,୮୮,୦୦୦ ବ୍ୟାରେଲ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ପଦକ୍ଷେପ ଦ୍ୱାରା ତେଲ ଦର ଉପରେ କୌଣସି ବିଶେଷ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ । ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଆଗରୁ ହିଁ ଦାମ ବଢ଼ି ରହିଛି ।

ଭାରତ ଉପରେ କ'ଣ ପଡ଼ିବ ପ୍ରଭାବ

ଓପେକ୍ ପ୍ଲସର ଏହି ପଦକ୍ଷେପ ସତ୍ତ୍ୱେ କ୍ରୁଡ୍ ଅଏଲ୍ ଅଶୋଧିତ ତେଲ ଦର କମିବ ନାହିଁ, ଯାହାଫଳରେ ଭାରତକୁ ମହଙ୍ଗା ଇନ୍ଧନରୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ । ଏହାଦ୍ୱାରା ଦେଶର ତେଲ ଆମଦାନୀ ବିଲ୍ ଏବଂ କରେଣ୍ଟ ଆକାଉଣ୍ଟ ଡେଫିସିଟ୍ ଉଚ୍ଚ ସ୍ତରରେ ରହିବ । ଡଲାରର କ୍ରମାଗତ ଚାହିଦା ବୃଦ୍ଧି ଯୋଗୁଁ ଭାରତୀୟ ଟଙ୍କା ଉପରେ ଚାପ ଜାରି ରହିବ ।

ଏହି ବୃଦ୍ଧିର ବିଶେଷ ମହତ୍ତ୍ୱ ନାହିଁ

'Rystad Energy'ର ଆନାଲିଷ୍ଟ ଜର୍ଜ ଲିଓନଙ୍କ କହିବା ଅନୁସାରେ, ଯେପର୍ଯ୍ୟନ୍ତ 'ହର୍ମୁଜ ପ୍ରଣାଳୀ' ବନ୍ଦ ରହିଛି, ସେପର୍ଯ୍ୟନ୍ତ ଏହି ବୃଦ୍ଧିର କୌଣସି ବିଶେଷ ଗୁରୁତ୍ୱ ନାହିଁ । ବଜାରରେ ଘୋଷଣାର ଅଭାବ ନାହିଁ, ଅଭାବ ଅଛି ପ୍ରକୃତ ବ୍ୟାରେଲର ଯାହାକୁ ରପ୍ତାନୀ କରାଯାଇପାରିବ । ତେଣୁ ଦୈନିକ ୧,୮୮,୦୦୦ ବ୍ୟାରେଲର ବୃଦ୍ଧି ବାସ୍ତବ ଯୋଗାଣ ଅପେକ୍ଷା କେବଳ ଏକ ନୀତିଗତ ସଂକେତ ସଦୃଶ ।

ରବିବାର ଭିଡିଓ କନଫରେନ୍ସିଂ ଜରିଆରେ OPEC+ର ପ୍ରମୁଖ ଦେଶ ଯଥା- ସାଉଦି ଆରବ, ରୁଷ, ଇରାକ, କୁଏତ, କଜାକିସ୍ତାନ, ଆଲଜେରିଆ ଏବଂ ଓମାନର ତେଲ ମନ୍ତ୍ରୀମାନଙ୍କ ବୈଠକରେ ଏହି ଉତ୍ପାଦନ ବୃଦ୍ଧି ଉପରେ ସହମତି ପ୍ରକାଶ ପାଇଛି । ଓପେକ୍ ପ୍ଲସରେ ମୋଟ ୨୨ଟି ଦେଶ ସାମିଲ ଅଛନ୍ତି ।

ଓପେକ୍ ପ୍ଲସ୍ ବ୍ୟାନରରେ କୁହାଯାଇଛି ଯେ, ବର୍ତ୍ତମାନର ବୃଦ୍ଧିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତେଲ ବଜାରରେ ସ୍ଥିରତା ବଜାୟ ରଖିବା । କିନ୍ତୁ ୭ଟି ଦେଶ ଏହି ଦର ବୃଦ୍ଧି ସମୟରେ ନିଜର କ୍ଷତିପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାର ସୁଯୋଗ ମଧ୍ୟ ଦେଖିଛନ୍ତି । ମନ୍ତ୍ରୀମାନେ ସତର୍କତା ଅବଲମ୍ବନ କରିବା ସହ ସ୍ଵେଚ୍ଛାକୃତ ଉତ୍ପାଦନ ହ୍ରାସକୁ ଧୀରେ ଧୀରେ ଶେଷ କରିବା ପ୍ରକ୍ରିୟାକୁ ବଢ଼ାଇବା କିମ୍ବା ବନ୍ଦ କରିବା ପାଇଁ ସମ୍ପୂର୍ଣ୍ଣ ଫ୍ଲେକ୍ସିବିଲିଟି ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି।

ବିଶେଷଜ୍ଞଙ୍କ ମତରେ, ଅଧିକ ଉତ୍ପାଦନ ମଧ୍ୟ ଚିନ୍ତା ବଢାଇପାରେ । ଯଦି ମଧ୍ୟପ୍ରାଚ୍ୟ ଯୁଦ୍ଧର ସ୍ଥିତି ବଦଳେ ଏବଂ ହର୍ମୁଜ ପ୍ରଣାଳୀ ଉପରେ ଇରାନ କୋହଳ ହୁଏ, ତେବେ ବଜାରରେ ହଠାତ ତେଲର ଅଭାବ ଦୂର ହେବ । ଏହା ବଦଳରେ ବଳକା ତେଲ ବା ଓଭର-ସପ୍ଲାଇର ସମସ୍ୟା ଦେଖାଦେଇପାରେ ।