ନୂଆଦିଲ୍ଲୀ: ଗତକାଲି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ ସମାପ୍ତ ହୋଇଛି। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ଏବେ ବି ଦଳର ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନ ରହିଛି। ବିଶେଷ କରି ବୋଲିଂ ଏବଂ ଫିଲ୍ଡିଂକୁ ନେଇ ଦଳର ପ୍ରଦର୍ଶନ ନିରାଶଜନକ ରହିଛି। ସେପଟେ ଦିନିକିଆ ବିଶ୍ଵକପକୁ ଆଉ ଗୋଟିଏ ବରଷ ସମୟ ବାକି ରହିଛି। ଦଳ କେଉଁ ଖେଳାଳିଙ୍କୁ ନେଇ ବିଶ୍ଵକପ୍ ଖେଳିବ, କେମିତି ଦଳର ସଂଯୋଜନା ରହିବ ତାକୁ ନେଇ ଅଧିନାୟକ ଶୁବମନ ଗିଲ୍ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ମ୍ୟାଚ୍ ପରେ ଗିଲ୍ କହିଛନ୍ତି, ଦଳରେ ଆଉ ଅଧିକ ପ୍ରୟୋଗ କିମ୍ବା ପରୀକ୍ଷା ନିରୀକ୍ଷା ପାଇଁ ସମୟ ନାହିଁ। ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତରୁ ହିଁ ଭାରତ ନିଜର ଚୂଡ଼ାନ୍ତ ଓ ନିୟମିତ ବିଶ୍ୱକପ୍ ସମ୍ଭାବ୍ୟ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ।

ଆହତ ସମସ୍ୟା ଓ ନିୟମିତ ଖେଳାଳିଙ୍କ ଅନୁପସ୍ଥିତି

ଗତ କିଛି ଦିନିକିଆ ସିରିଜରେ ଖେଳାଳିଙ୍କ ଆହତ ସମସ୍ୟା ଏବଂ ବ୍ୟସ୍ତବହୁଳ କ୍ରୀଡ଼ାସୂଚୀ ଯୋଗୁଁ ଭାରତ ଏକ ସ୍ଥାୟୀ ଚୂଡ଼ାନ୍ତ ଏକାଦଶ ସହ ଖେଳିପାରି ନଥିଲା। ନିକଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତିଥିଲେ ବି ଦଳର ମୁଖ୍ୟ ବୋଲର ଅନୁପସ୍ଥିତ ଥିଲା। ଯଶସପ୍ରୀତ ବୁମରା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କ ଭଳି ପ୍ରମୁଖ ଖେଳାଳି ଏସୀୟ କ୍ରୀଡ଼ା ଯୋଗୁଁ ଦଳରୁ ବାହାରେ ଥିଲେ। ଏହାସହ ପ୍ରସିଦ୍ଧ କୃଷ୍ଣା ମଧ୍ୟ ଦ୍ୱିତୀୟ ମ୍ୟାଚ୍ ସମୟରେ ଆହତ ହୋଇଥିଲେ।

Also Read: ପରାଜୟ ପାଇଁ ବୋଲର ଦାୟୀ, କ୍ୟାଚ୍ ଧରିପାରୁ ନାହାଁନ୍ତି ଫିଲ୍ଡର ! ଗମ୍ଭୀରଙ୍କ ଉପରେ ରାଗିଗଲେ କି ଗିଲ୍ ?

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଦିନିକିଆରେ ପରାଜୟ ପରେ ସାମ୍ବାଦିକ ସମ୍ମିଳନୀରେ ଗିଲ୍ କହିଛନ୍ତି, ସତ କହିବାକୁ ଗଲେ ଆମ ପାଖରେ ଆଉ ପ୍ରୟୋଗ କରିବାର ଆଉ ସମୟ ନାହିଁ। ମୁଁ ଆଶା କରୁଛି ଯେଉଁ ସଂଯୋଜନା ସହ ଆମେ ବିଶ୍ୱକପ୍ ଖେଳିବାକୁ ଚାହୁଁଛୁ, ଆଗାମୀ ନ୍ୟୁଜିଲାଣ୍ଡ ସିରିଜରୁ ସେହି ସମସ୍ତ ନିୟମିତ ଖେଳାଳି ଉପଲବ୍ଧ ହେବେ ଏବଂ ଆମେ ଏକ ସ୍ଥାୟୀ ଏକାଦଶ ସହ ମଇଦାନକୁ ଓହ୍ଲାଇବୁ।

ଯୁବ ଖେଳାଳିଙ୍କ ପାଇଁ ସୁଯୋଗ

ମୁଖ୍ୟ ବୋଲରଙ୍କ ଅନୁପସ୍ଥିତି ଦୁର୍ଭାଗ୍ୟଜନକ ହୋଇଥିଲେ ବି ଏହା ନୂଆ ଖେଳାଳିଙ୍କ ପାଇଁ ନିଜ ଦକ୍ଷତା ପ୍ରଦର୍ଶନ କରିବାର ଏକ ଭଲ ସୁଯୋଗ ଥିଲା ବୋଲି ଗିଲ୍ ମାନିଛନ୍ତି। ଆକିବ ନବୀ ଓ ଅଂଶୁଲ କମ୍ବୋଜଙ୍କ ଭଳି ନବାଗତ ଖେଳାଳି ଅନ୍ତର୍ଜାତୀୟ ମଞ୍ଚରେ ଅଭିଜ୍ଞତା ହାସଲ କରିଛନ୍ତି ଏବଂ ସେମାନେ ନିଜ ଭୁଲରୁ ଶିଖିବେ ବୋଲି ଅଧିନାୟକ ଆଶାପ୍ରକାଶ କରିଛନ୍ତି।

Also Read: Asian Games : କ୍ରିକେଟରେ ଟିମ୍ ଇଣ୍ଡିଆକୁ ସୁନା : ୧୯ ରନରେ ହାରିଲା ପାକିସ୍ତାନ

କ୍ୟାଚ୍ ଛାଡ଼ିବା ବଡ଼ ସମସ୍ୟା

ସେହିପରି ଦଳର ଫିଲ୍ଡିଂ ଏବଂ କ୍ୟାଚ୍ ଛାଡ଼ିବା ସମସ୍ୟା ନେଇ ଗିଲ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମ୍ପୂର୍ଣ୍ଣ ସିରିଜରେ ଭାରତୀୟ ଫିଲ୍ଡରମାନେ ପ୍ରାୟ ୭ଟି କ୍ୟାଚ୍ ଛାଡ଼ିଥିବା ବେଳେ ଶେଷ ମ୍ୟାଚରେ ୩ରୁ ୪ଟି ସୁଯୋଗ ହାତଛଡ଼ା କରିଥିଲେ। ବିଶ୍ୱକପକୁ ଦୃଷ୍ଟିରେ ରଖି ଫିଲ୍ଡିଂରେ ତୁରନ୍ତ ସୁଧାର ଆଣିବା ଜରୁରୀ ବୋଲି ସେ ଜୋର ଦେଇଛନ୍ତି।

ଜାଡେଜାଙ୍କ ସ୍ଥାନ ଓ ଆଗାମୀ କାର୍ଯ୍ୟପନ୍ଥା

ତୃତୀୟ ଦିନିକିଆରେ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ନୀତିଶ ରେଡ୍ଡୀଙ୍କୁ ସୁଯୋଗ ମିଳିବା ପ୍ରଶ୍ନରେ ଗିଲ୍ ସ୍ପଷ୍ଟ କରିଛନ୍ତି ଯେ, ଜାଡେଜାଙ୍କୁ ଦଳରୁ ବାଦ୍ ଦିଆଯାଇ ନାହିଁ। କେବଳ ଦଳୀୟ ସଂଯୋଜନା ଏବଂ ବିରୋଧୀ ଦଳର ସ୍ଥିତିକୁ ଆଖିଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା। ବିଶ୍ୱକପ୍ ପାଇଁ ଚୟନକର୍ତ୍ତାଙ୍କ ସହ ଆଲୋଚନା କରି ମଜବୁତ ଦଳ ଗଠନ କରାଯିବ। ଚଳିତ ମାସ ଶେଷ ଆଡ଼କୁ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବ, ଯେଉଁଠାରେ ସୀମିତ ଓଭର ସିରିଜ୍ ଖେଳାଯିବ। ଏହି ସିରିଜ୍ରୁ ହିଁ ଭାରତର ପୂର୍ଣ୍ଣ ଶକ୍ତିଶାଳୀ ଦିନିକିଆ ଏକାଦଶର ପ୍ରକୃତ ରୂପରେଖ ଦେଖିବାକୁ ମିଳିବ।

Also Read: ୟୁଜବେନ୍ଦ୍ର ଚହଲଙ୍କ ସନ୍ନ୍ୟାସ ଘୋଷଣା, କହିଲେ-ସ୍ୱପ୍ନ ଅଧା ରହିଗଲା