ନୂଆଦିଲ୍ଲୀ ୧୮।୦୩; ଥାଇଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସ୍ୱାମୀଙ୍କ ପ୍ରତାରଣା ବିଷୟରେ ଜାଣିବା ପରେ ଏକ ନିଆରା ଓ ଆଶ୍ଚର୍ଯ୍ୟଚକିତ ନିଷ୍ପତ୍ତି ନେଇଛନ୍ତି। ସେ ସ୍ୱାମୀଙ୍କୁ ନିଜ ପ୍ରେମିକାଙ୍କ ସହ ରହିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଏହା ବଦଳରେ ପ୍ରତି ମାସ ଟଙ୍କା ନେବେ ବୋଲି ସ୍ପଷ୍ଟ କରିଛନ୍ତି । ୩୧ ବର୍ଷୀୟା ଖୁନ୍ ନାମ୍ନୀ ମହିଳା ଜଣେ ପୁଲିସ ଅଧିକାରୀଙ୍କୁ ବିବାହ କରିଥିଲେ । ଉଭୟଙ୍କର ୮ ବର୍ଷୀୟ ପୁଅ ଅଛି । ପ୍ରଥମେ ସେମାନଙ୍କ ବୈବାହିକ ଜୀବନ ସ୍ୱାଭାବିକ ଓ ସୁଖଦ ଥିଲା । ଉଭୟ ପରସ୍ପରର ଗୋପନୀୟତାକୁ ସମ୍ମାନ କରୁଥିଲେ ଏବଂ କେହି କାହାର ଫୋନ୍ କିମ୍ବା ବ୍ୟକ୍ତିଗତ ଜୀବନରେ ଦଖଲ ଦେଉନଥିଲେ ।

ଖୁନଙ୍କର ସେତେବେଳେ ସନ୍ଦେହ ହେଲା, ଯେତେବେଳେ ସେ ଦେଖିଲେ ଯେ ଜଣେ ଅଜଣା ମହିଳା ତାଙ୍କ ସୋସିଆଲ ମିଡିଆ ପୋଷ୍ଟ୍ ଦେଖୁଛନ୍ତି ଏବଂ ତାଙ୍କ ସ୍ୱାମୀଙ୍କୁ ଫଲୋ କରୁଛନ୍ତି । ତେବେ ସେତେବେଳେ ସେ ଏହାକୁ ଏତେ ଗମ୍ଭୀର ଭାବେ ନେଇନଥିଲେ । ଧୀରେ ଧୀରେ ସ୍ୱାମୀଙ୍କ ବ୍ୟବହାର ବଦଳିଲା । ସେ ବିଳମ୍ବରେ ଘରକୁ ଫେରିଲେ ଏବଂ ପ୍ରତି ଥର କାମର ବାହାନା କଲେ । ଥରେ ସେ ରାତି ୧ଟା ପର୍ଯ୍ୟନ୍ତ ଘରକୁ ଫେରିଲେ ନାହିଁ ଏବଂ ତାଙ୍କ ଫୋନ୍ ମଧ୍ୟ ବନ୍ଦ ଥିଲା । ଏହା ପରେ ଖୁନ୍ଙ୍କ ସନ୍ଦେହ ବଢ଼ିଲା । ସତ ଜାଣିବାକୁ ଖୁନ୍ ଜଣେ ବ୍ୟକ୍ତିଗତ ଗୁପ୍ତଚରଙ୍କୁ ଭଡ଼ାରେ ନେଲେ । ମାତ୍ର ଗୋଟିଏ ଦିନର ଯାଞ୍ଚରେ ଗୁପ୍ତଚର ଜାଣିଗଲେ ଯେ ଖୁନଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ଘରକୁ ଯାଉଛନ୍ତି। ଖୁନ୍ ସେଠାରେ ପହଞ୍ଚିବା ବେଳକୁ ତାଙ୍କ ସ୍ୱାମୀ ସେଠାରେ ନ ଥିଲେ । ପରେ ସ୍ୱାମୀଙ୍କ ସହ କଥା ହେବା ପରେ ସତ ସାମ୍ନାକୁ ଆସିଲା । ଜଣେ ମହିଳାଙ୍କ ସହ ତାଙ୍କର ସମ୍ପର୍କ ଅଛି ବୋଲି ସ୍ୱାମୀ ସ୍ୱୀକାର କଲେ । ଖୁନ୍‌ଙ୍କ ସ୍ୱାମୀ ବିବାହିତ ଓ ତାଙ୍କର ପରିବାର ଅଛି ବୋଲି ପ୍ରେମିକା ଜାଣିଥିଲେ । ତଥାପି ସମ୍ପର୍କ ତୁଟାଇବାକୁ ସେ ମନା କରିଦେଲେ । ଏପରିକି ସମ୍ପର୍କ ଭାଙ୍ଗିଲେ ନିଜର କ୍ଷତି କରିବାକୁ ମଧ୍ୟ ସେ ଧମକ ଦେଲେ । ଘଟଣାର କିଛି ଦିନ ପରେ ସ୍ୱାମୀ ନିଜ ଘରକୁ ଫେରିଲେ । କିନ୍ତୁ ପ୍ରେମିକାଙ୍କୁ ଭୁଲିପାରିଲେ ନାହିଁ ।

ଖୁନ୍ ମାମଲାର ଏକ ଅଜବ ସମାଧାନ ବାହାର କଲେ । ସେ କହିଲେ, ସ୍ୱାମୀ ଓ ତାଙ୍କ ପ୍ରେମିକା ଯଦି ଏକାଠି ରହିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ପ୍ରତି ମାସ ପ୍ରାୟ ୮୫ ହଜାର ଟଙ୍କା ଭଡ଼ା ରୂପେ ଦେବାକୁ ପଡ଼ିବ । ପ୍ରେମିକା ଏଥିରେ ରାଜି ହୋଇଗଲେ । କିନ୍ତୁ ସ୍ୱାମୀ ଏ ପ୍ରସ୍ତାବକୁ ମାନିବାକୁ ମନା କଲେ । ବିଶେଷଜ୍ଞଙ୍କ ଅନୁସାରେ, ସ୍ୱାମୀଙ୍କୁ ଭଡ଼ାରେ ଦେବାର ବୁଝାମଣା ଆଇନ ବିରୁଦ୍ଧ । ଥାଇଲାଣ୍ଡରେ ଏକ ସମୟରେ ଗୋଟିଏ ବିବାହର ମାନ୍ୟତା ରହିଛି । ସେଥିପାଇଁ ଏ ପ୍ରକାର କୌଣସି ବୁଝାମଣା କୋର୍ଟରେ ସ୍ୱୀକାର କରାଯିବ ନାହିଁ । ମାମଲା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି।

ଅଧିକ ପଢନ୍ତୁ- LPG Crisis and Twinkle : ଟ୍ୱିଙ୍କିଲ୍ ଖାନ୍ନା କାହିଁକି କିଣିଲେ ଏକାଥରକେ ଦୁଇଟା ଇଣ୍ଡକ୍ସନ ? ଅକ୍ଷୟଙ୍କ ପାଟିରୁ ବାହାରିଗଲା ସତ