ମୁମ୍ବାଇ: ମୁମ୍ବାଇରେ ଠାକରେ ଭାଇଙ୍କ ନେତୃତ୍ୱରେ 'ଗର୍ଜନ ମୋର୍ଚ୍ଚା' ଆରମ୍ଭ ହୋଇଯାଇଛି। ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେ ଏହି ରାଲିରେ SIR ବ୍ୟବସ୍ଥାକୁ ତୁରନ୍ତ ବାତିଲ କରିବା ପାଇଁ ଦାବି କରିଛନ୍ତି। ଏହାସହ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଆଗାମୀ ସମସ୍ତ ନିର୍ବାଚନରେ ଇଭିଏମ୍ ପରିବର୍ତ୍ତେ ବାଲାଟ୍ ପେପର ବ୍ୟବହାର କରିବାକୁ ଅପିଲ କରିଛନ୍ତି। ନିର୍ବାଚନ ପରିଚାଳନାରେ ଅନିୟମିତତା ନେଇ ସେ ମୁଖ୍ୟ ନିର୍ବାଚନ କମିଶନରଜ୍ଞାନେଶ କୁମାରଙ୍କୁ ଦାୟୀ କରିବା ସହ ତାଙ୍କର ଇସ୍ତଫା ଦାବି କରିଛନ୍ତି।

ମେଟ୍ରୋ ସିନେମାରୁ ବୃହନମୁମ୍ବାଇ ମହାନଗର ନିଗମ ମୁଖ୍ୟାଳୟ ପର୍ଯ୍ୟନ୍ତ ବାହାରିଥିବା ଏହି ବିଶାଳ ପଦଯାତ୍ରାରେ ବିରୋଧୀ ଦଳଗୁଡ଼ିକର ଅଭୂତପୂର୍ବ ଏକତା ଦେଖିବାକୁ ମିଳିଥିଲା । ଏହି ମୋର୍ଚ୍ଚାରେ MNS ପ୍ରମୁଖ ରାଜ୍ ଠାକରେ ଏବଂ ଶିବସେନା (UBT) ସଭାପତି ଉଦ୍ଧବ ଠାକରେଙ୍କ ସମେତ କଂଗ୍ରେସ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଶରଦ ପାୱାର), ବାମପନ୍ଥୀ ଦଳ ଏବଂ ପିଜାଣ୍ଟସ୍ ଆଣ୍ଡ ୱାର୍କର୍ସ ପାର୍ଟିର ବହୁ ସଂଖ୍ୟକ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ । କୌଣସି ଦଳୀୟ ପତାକା ବଦଳରେ କେବଳ ଜାତୀୟ ପତାକା ଧରି ହଜାର ହଜାର ପ୍ରଦର୍ଶନକାରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।

ଏସଆଇଆର ପ୍ରକ୍ରିୟାରେ ଆଇନଗତ ବୈଧତା ଉପରେ ପ୍ରଶ୍ନ ଉଠାଇ ରାଜ୍ ଠାକରେ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ଆଇନଗତ ଆଧାର ବିନା ସାରା ଦେଶରେ ଏପରି ଭୋଟର ତାଲିକା ସଂଶୋଧନ କରାଯାଇପାରିବ ନାହିଁ। ସାଧାରଣତଃ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ଭୂକମ୍ପ କିମ୍ବା ବ୍ୟାପକ ବିସ୍ଥାପନ ଭଳି ଅସାଧାରଣ ପରିସ୍ଥିତିରେ ହିଁ କେତେକ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀ ପାଇଁ SIR ପ୍ରକ୍ରିୟା କରାଯାଇଥାଏ। ସମଗ୍ର ଦେଶରେ ଏପରି ବ୍ୟାପକ ସଂଶୋଧନ ଗ୍ରହଣଯୋଗ୍ୟ ନୁହେଁ। ଏହି ପ୍ରକ୍ରିୟା ମାଧ୍ୟମରେ ସାରା ଦେଶରୁ ପ୍ରାୟ ୨ କୋଟି ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି । ଏହାସହ ଲୋକସଭା ନିର୍ବାଚନର ମାତ୍ର ଛଅ ମାସ ମଧ୍ୟରେ ମହାରାଷ୍ଟ୍ରରେ ୪୦ ରୁ ୬୦ ଲକ୍ଷ ନୂଆ ଭୋଟର କିପରି ବୃଦ୍ଧି ପାଇଲେ, ସେ ନେଇ ରାଜ ଠାକରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।