ମୁମ୍ବାଇ: କ୍ୟାମ୍ପବେଲ ୱିଲସନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ, 'ଏୟାର ଇଣ୍ଡିଆ'ର ନୂତନ ଚିଫ୍ ଏକଜିକ୍ୟୁଟିଭ୍ ଅଫିସର (CEO) ଏବଂ ମ୍ୟାନେଜିଂ ଡାଇରେକ୍ଟର (MD) ଭାବରେ Tewolde Gebremariam ନିଯୁକ୍ତ ହୋଇଛନ୍ତି। ବୁଧବାର କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କ ପକ୍ଷରୁ ଏହି ବିଶେଷ ଘୋଷଣା କରାଯାଇଛି। ଏୟାର ଇଣ୍ଡିଆକୁ ବିଶ୍ୱସ୍ତରୀୟ ଏବଂ ପ୍ରମୁଖ ବିମାନ ସେବା ପ୍ରଦାନକାରୀ ଭାବେ ଗଢ଼ିତୋଳିବା ଦିଗରେ ଏହି ପରିବର୍ତ୍ତନକୁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଭାବେ ବିବେଚନା କରାଯାଉଛି।

ତେୱୋଲଡେ ଗେବ୍ରେମାରିଅମ ବିଶ୍ୱ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଜଣେ ଅତ୍ୟନ୍ତ ସଫଳ ନେତା ଭାବରେ ପରିଚିତ ।
 ସେ 'ଇଥିଓପିଆନ୍ ଏୟାରଲାଇନ୍ସ ଗ୍ରୁପ୍'ର ମୁଖ୍ୟ ଭାବରେ କାର୍ଯ୍ୟ କରି ଏକ ଆଞ୍ଚଳିକ ବିମାନ ସେବା କମ୍ପାନୀକୁ ଆଫ୍ରିକାର ସବୁଠାରୁ ବଡ଼, ଲାଭପ୍ରଦ ଏବଂ ପୁରସ୍କୃତ ଏୟାରଲାଇନ୍ସ ଗ୍ରୁପ୍‌ରେ ପରିଣତ କରିଥିଲେ। ଜଟିଳ ପରିଚାଳନା କ୍ଷେତ୍ରକୁ ସୁଚାରୁରୂପେ ପରିଚାଳନା କରିବା, ବିଶ୍ୱସ୍ତରୀୟ 'MRO' ଏବଂ ବୈଷୟିକ ତାଲିମ ଭିତ୍ତିଭୂମି ନିର୍ମାଣ କରିବାରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି।

 ଅନ୍ତର୍ଜାତୀୟ ରୁଟର ସମ୍ପ୍ରସାରଣ, ଉଚ୍ଚମାନର ସୁରକ୍ଷା ବ୍ୟବସ୍ଥା ଏବଂ ନିର୍ଭରଯୋଗ୍ୟ ସେବା ଯୋଗାଇବାରେ ତାଙ୍କର ପ୍ରଶଂସନୀୟ ରେକର୍ଡ ରହିଛି। ଟାଟା ସନ୍ସ ଏବଂ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ୍ ତେୱୋଲଡେଙ୍କୁ ସ୍ୱାଗତ କରି କହିଛନ୍ତି, ‘କ୍ୟାମ୍ପବେଲଙ୍କ ନେତୃତ୍ୱରେ ପ୍ରାରମ୍ଭିକ ସ୍ଥିରତା ଏବଂ ବିମାନ କ୍ରୟ ପ୍ରକ୍ରିୟା ଶେଷ ହେବା ପରେ, ଏୟାର ଇଣ୍ଡିଆ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ପର୍ଯ୍ୟାୟରେ ପ୍ରବେଶ କରୁଛି। ଗୋଟିଏ ବୃହତ୍ତ ଏୟାରଲାଇନ୍ସ ଗ୍ରୁପ୍‌କୁ ବିଶ୍ୱର ଅନ୍ୟତମ ଲାଭପ୍ରଦ କମ୍ପାନୀରେ ପରିଣତ କରିବାରେ ତେୱୋଲଡେଙ୍କ ସଫଳତା, ତାଙ୍କୁ ଏୟାର ଇଣ୍ଡିଆର ନେତୃତ୍ୱ ନେବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ କରିପାରିଛି।’

ନୂତନ ସିଇଓଙ୍କ ବାର୍ତ୍ତା
ନିଜର ନୂତନ ଦାୟିତ୍ୱ ସମ୍ପର୍କରେ ତେୱୋଲଡେ କହିଛନ୍ତି ଯେ, ଏୟାର ଇଣ୍ଡିଆ ଭଳି ଏକ ଐତିହାସିକ କମ୍ପାନୀର ନେତୃତ୍ୱ ନେବା ଗୌରବର ବିଷୟ। ଭାରତର ଆର୍ଥିକ ପ୍ରଗତି ସହ ତାଳ ଦେଇ ଏୟାର ଇଣ୍ଡିଆକୁ ବିଶ୍ୱସ୍ତରୀୟ ବିମାନ ସେବା ସଂସ୍ଥାରେ ପରିଣତ କରିବା, ଗ୍ରାହକଙ୍କୁ ଉନ୍ନତ ଭାରତୀୟ ଆତିଥ୍ୟ ପ୍ରଦାନ କରିବା ଏବଂ ନିର୍ଭରଯୋଗ୍ୟ ସେବା ଯୋଗାଇବା ପାଇଁ ସେ ବୋର୍ଡ ଓ ସମସ୍ତ କର୍ମଚାରୀଙ୍କ ସହ ମିଶି କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି।