ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦ ପାକିସ୍ତାନ ବାହାବଲପୁରରେ ଥିବା ତାର ମୁଖ୍ୟାଳୟ ମରକଜ ସୁଭାନ ଅଲ୍ଲାହକୁ କଥିତ ରୂପେ ଦ୍ୱିତୀୟବାର ଚାଲୁ କରିସାରିଲାଣି। ଏହା ସେହି ଆତଙ୍କବାଦୀ ଆଡ୍ଡା ଯାହାକୁ ଅପରେସନ ସିନ୍ଦୂରରେ ଭାରତୀୟ ସେନା ମାଟିରେ ମିଶାଇ ଦେଇଥିଲା। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସେନାର ଜୈସ-ଏ-ମହମ୍ମଦ ସମ୍ପର୍କିତ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରାଯିବାର ବର୍ଷକ ମଧ୍ୟରେ ପୁଣି ନିର୍ମାଣ କରିଥିବାର ଖବର ସାମ୍ନାକୁ ଆସିଛି।

ମରକଜ ସୁଭାନ ଅଲ୍ଲାହ ଜୈସ-ଏ-ମହମ୍ମଦର ଗୁରୁତ୍ୱପୂର୍ଣ୍ଣ ଆଡ୍ଡା ମଧ୍ୟରୁ ଅନ୍ୟତମ ଥିଲା। ଜାତୀୟ ରାଜମାର୍ଗ ନମ୍ବର ୫ରେ ଥିବା ଜାମିୟା ସୁଭାନ ଅଲ୍ଲାହ କମ୍ପ୍ଲେକ୍ସର ମରାମତି ହୋଇଥିବାର ସୂଚନା ଆସୁଛି। ପାକିସ୍ତାନର ଦକ୍ଷିଣ ପଞ୍ଜାବ ପ୍ରାନ୍ତରେ ପାଖାପାଖି ୧୦୦ କିଲୋମିଟର ଭିତରକୁ ଥିବା ବହାବଲପୁର ଦୀର୍ଘ ସମୟରୁ ଆତଙ୍କବାଦ ସମୂହଙ୍କ ଆଇଡୋଲଜିକାଲ ଓ ଅପରେସନାଲ ସେଣ୍ଟର ଭାବେ କାର୍ଯ୍ୟ କରିଆସିଛି। ୨୦୧୫ରେ ଏହା ଆରମ୍ଭ ହେବା ପରଠାରୁ ଜାମିୟା ମସଜିଦ ସୁଭାନ ଅଲ୍ଲାହ ଜୈସ-ଏ-ମହମ୍ମଦ ଲାଗି ପ୍ରାଇମେରୀ ହବ ଭାବେ କାମ କରିଛି,ଯାହା ଅପରେସନାଲ ହେଡକ୍ୱାର୍ଟର ସହିତ ଜରୁରି ଟ୍ରେନିଂ ଫ୍ୟାସେଲିଟି ଭାବେ କାମ କରୁଥିଲା।

ଅପରେସନ ସିନ୍ଦୂର କାଳରେ ବହାବଲପୁର ଭାରତର ଟାର୍ଗେଟ ମଧ୍ୟରେ ଅନ୍ୟତମ ଥିଲା। ସଠିକ ଆକ୍ରମଣ ଯୋଗୁ ନିର୍ମାଣର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଆକ୍ରମଣ ପରେ ଜୈସ-ଏ-ମହମ୍ମଦ ମୁଖ୍ୟ ଅଜହର ଦାବି କରିଥିଲା ଯେ ଭାରତର ଅପରେସନରେ ତା ପରିବାରର ୧୦ ଜଣ ଓ ତାର ୪ ସାଥୀ ପ୍ରାଣ ହରାଇଛନ୍ତି। ଅଜହରର ଏକ ବୟାନରେ, ଯାହାକୁ ଭାରତରେ ୧୯୯୪ ମସିହାରେ ଗିରଫ କରାଯାଇଥିଲା ଓ ଏୟାର ଇଣ୍ଡିଆ ଆଇସି ୮୧୪ ଅପହରଣ ପରେ ମୁକ୍ତ କରାଯାଇଥିଲା କହିଥିଲା ଯେ ତା ବଡ଼ ଭଉଣୀ, ତାଙ୍କ ସ୍ୱାମୀ, ଜଣେ ଭଣଜା ଓ ତାର ପତ୍ନୀ ଓ ବଡ଼ ପରିବାରର ୫ ଜଣ ପିଲା ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି।

ତେବେ ଭାରତର ଆକ୍ରମଣ ପରେ ଏହି ସମୂହ ପାକିସ୍ତାନୀ ଅଧିକାରୀଙ୍କ ସାମାନ୍ୟ ବିରୋଧ ସତ୍ତ୍ୱେ ପୂର୍ବ ଭଳି କାମ କରିବା ଆରମ୍ଭ କରିବାକୁ ଏବେ ଉଦ୍ୟମ କରୁଛି। ରିପୋର୍ଟ ଅନୁସାରେ ମସଜିଦର ଗମ୍ବୁଜ ଯାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା ତାକୁ ଏବେ ମରାମତି କରିଦିଆଯାଇଛି। ନୂଆ କରି ହୋଇଥିବା ଗମ୍ବୁଜରେ ଗାଢ଼ ରଙ୍ଗ ଦିଆଯାଇଛି, ଯାହା ନୂଆ ସିମେଣ୍ଟ କାମର ଇଶାରା କରୁଛି। ତେବେ ଆକ୍ରମଣ ପୂର୍ବରୁ ଥିବା ଗମ୍ବୁଜଟି ହାଲୁକା ରଙ୍ଗର ଥିଲା। ଏଥିରୁ ଜଣାପଡୁଛି ଯେ ଫ୍ୟାସେଲିଟିକୁ ଅପରେସନାଲ ଅବସ୍ଥାକୁ ଆଣିବାକୁ ପୁଣି ଉଦ୍ୟମ କରାଯାଉଛି। ଏହି କମ୍ପ୍ଲେକ୍ସରେ ଅନ୍ୟ ଆକ୍ଟିଭିଟି ମଧ୍ୟ ଦେଖାଯାଉଛି। ଏହା ପୂର୍ବରୁ ଜୈସ ସମ୍ପର୍କିତ ସୋସିଆଲ ମିଡିଆ କଥିତରୂପେ ବହାବଲପୁର କମ୍ପ୍ଲେକ୍ସକୁ ପୁଣି ଥରେ ନିର୍ମାଣ କରିବା ପାଇଁ ସହାୟତା ନିମନ୍ତେ ଡିଜିଟାଲ ୱାଲେଟ ମାଧ୍ୟମରେ ଫଣ୍ଡ ରାଇଜିଂ କ୍ୟାମ୍ପେନ ଚଳାଇଥିଲା।