ଲକ୍ଷ୍ନୌ : ଦେଶକୁ ଗ୍ରୀଷ୍ମ ଋତୁର ଏବେ ଆଗମନ ହୋଇଛି, ତେବେ ଆରମ୍ଭରୁ ଉତ୍ତରପ୍ରଦେଶରେ ଅଧିକାଂଶ ସ୍ଥାନର ତାପମାତ୍ରା ୪୫ ଡିଗ୍ରି ସେଲସିୟସ ପାର କରିଛି। ଏଣୁ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ରାଜ୍ୟର ଅନେକ ଅଞ୍ଚଳ ପାଇଁ ରବିବାର ଲୁ ଚେତାବନୀ ଜାରି କରିଛନ୍ତି। ଖାସ କରି ବୁନ୍ଦେଲଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶର ଦକ୍ଷିଣାଞ୍ଚଳରେ ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ଲୁ ବହିବାର ପୂର୍ବାନୁମାନ କରାଯାଉଛି। ଏଣୁ ପାଣିପାଗ ବିଭାଗ ଦିନର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରି ସେଲସିୟସ ଅଥବା ଉପରକୁ ପହଞ୍ଚି ପାରେ ବୋଲି ପୂର୍ବାନୁମାନ କରିଥିବା ବେଳେ ଲୋକଙ୍କୁ ସତର୍କ କରାଇଛନ୍ତି।

ପାଣିପାଗ ବିଜ୍ଞାନ ବିଭାଗ କହିଛନ୍ତି ଯେ ପୁରା ରାଜ୍ୟର ପାଗ ଏବେ ଶୁଷ୍କ ରହିଛି ଓ ଲଗାତାର ପଶ୍ଚିମା ପବନ ବହୁଛି। ଏହି କାରଣରୁ ଦିନବେଳା ଭୀଷଣ ଖରା ସାଙ୍ଗକୁ ଗରମ ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ମଧ୍ୟାହ୍ନ ସମୟରେ ଏବେ ଘରୁ ବାହାରିବା କଷ୍ଟକର ହେଉଛି। ଏଣୁ ଡାକ୍ତର ମଧ୍ୟ ପରାମର୍ଶ ଦେଉଛନ୍ତି ଅତ୍ୟନ୍ତ ଜରୁରି କାମ ନ ଥିଲେ ମଧ୍ୟାହ୍ନରେ ଘରୁ ପଦାକୁ ନ ବାହାରନ୍ତୁ ଓ ସାଙ୍ଗରେ ପର୍ଯ୍ୟାପ୍ତ ପାଣି ରଖନ୍ତୁ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବଢିଛି, ଏଥିରେ ପ୍ରୟାଗରାଜର ତାପମାତ୍ରା ସର୍ବାଧିକ ରହିଛି। ଏଠାରେ ଦିନର ତାପମାତ୍ରା ୪୪.୬ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି, ଯାହା ସ୍ୱଭାବିକରୁ ୪.୭ ଡିଗ୍ରି ସେଲସିୟସ ଅଧିକ ବୋଲି କୁହାଯାଉଛି। ସେହିପରି ବାରଣାସୀରେ ୪୨.୨ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସୁଲତାନପୁରରେ ୪୩.୮, ଝାଂସୀରେ ୪୩.୬, ହମୀରପୁରରେ ୪୩.୨, ଫୁରସତଗଞ୍ଜରେ ୪୩.୧ ଡିଗ୍ରି ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି। ସବୁ ସ୍ଥାନର ତାପମାତ୍ରା ସ୍ୱଭାବିକ ଠାରୁ ଉଚ୍ଚ ରହିଛି। ଏଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ଉତ୍ତରପ୍ରଦେଶରେ ଗରମର ପ୍ରଭାବ ଦ୍ରୁତ ବୃଦ୍ଧି ହେଉଛି।

ଲଗାତାର ବଢୁଥିବା ଗରମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଷ ଦେଉଛି। ଏଥିରେ ପିଲା, ବୟଷ୍କ ଓ ଅସୁସ୍ଥ ଲୋକଙ୍କ ଖାସ ଧ୍ୟାନ ରଖିବାକୁ କୁହାଯାଇଛି। ଦିନରେ ଛତାଟାଣି ଯିବା ଆସିବା କରିବା. ହାଲୁକା ପୋଷାକ ପିନ୍ଧିବା ଓ ଯେତେ ସମ୍ଭବ ଅଧିକରୁ ଅଧିକ ତରଳ ପଦାର୍ଥ ସେବନ କରିବାକୁ କୁହାଯାଉଛି। ଯଦି ଏପରି ପରିସ୍ଥିତି ଜାରି ରହେ ତେବେ ଆଗାମୀ ଦିନରେ ଦେଶରେ ଗରମ ରେକର୍ଡ ଭାଙ୍ଗିବ ବୋଲି ଆଶଙ୍କା କରାଯାଉଛି।