ମାଲକାନଗିରି: ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ମାର୍ଚ୍ଚ ୩୧ ତାରିଖ ଡେଡଲାଇନ ଦେଇଥିଲେ କେନ୍ଦ୍ର ସରକାର। ଏହି ଚରମ ଆହ୍ୱାନରେ ଭୟଭୀତ ହୋଇ ଶତାଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ହେଲେ ଏବେ ବି ଏକାଧିକ ମାଓବାଦୀ ସୁରକ୍ଷା ବଳ ନଜରୁ ନିଜକୁ ଲୁଚାଇ ରଖିଛନ୍ତି ଘନ ଜଙ୍ଗଲ ଭିତରେ। ଶୁକ୍ରବାର ୪୭ ଜଣ ମାଓବାଦୀ ତେଲେଙ୍ଗାନା ପୁଲିସ ପାଖେ ଆତ୍ମସମର୍ପଣ କରିବା ପରେ ଏହା ସ୍ପଷ୍ଟ ହୋଇଛି। ଏଥିରେ ଏହା ବି ସ୍ପଷ୍ଟ ହୋଇଛି ଯେ ଡେଡ୍ ଲାଇନ୍ ସରିଯାଇଥିଲେ ମଧ୍ୟ ମାଓବାଦୀମାନେ ସ୍ୱତଃ ଆତ୍ମସମର୍ପଣ କରିଛନ୍ତି। ଅର୍ଥାତ୍ ମାଓବାଦୀଙ୍କ ପାଖରେ ନା ତ ଆଉ ବିଚାରଧାରା ବଞ୍ଚିଛି ନା କୌଣସି ସାଂଗଠନିକ ଯୋଜନା।
Also Read:ମମତା କୁଲକର୍ଣ୍ଣିଙ୍କ ଆଶ୍ଚର୍ଯ୍ୟଜନକ ବୟାନ, କହିଲେ- ସେ ଆତଙ୍କବାଦୀ ନୁହଁନ୍ତି... ତାଙ୍କୁ ଭୁଲ ଚିତ୍ରଣ କରାଯାଇଛି

ତେଲେଙ୍ଗାନାରେ ୩୨ଟି ଅତ୍ୟାଧୁନିକ ବନ୍ଧୁକ ସହ ୪୭ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହାକୁ ଏକ ପ୍ରମୁଖ ସଫଳତା ବୋଲି କହିଛନ୍ତି ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବି. ଶିବଧର ରେଡ୍ଡୀ। ସେ ସୂଚନା ଦେଇ କହିଛନ୍ତି ଯେ ଆଜି ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ୍ କମିଟି (ଡିକେଏସଜେଡସି), ପିପୁଲ୍ସ ଲିବରେସନ୍ ଗରିଲା ଆର୍ମି (ପିଏଲଜିଏ) ଏବଂ ଦକ୍ଷିଣ ବସ୍ତର ଆଞ୍ଚଳିକ କମିଟିର ନବମ ଏବଂ ୩୦ତମ ପ୍ଲାଟୁନ୍ ସହିତ ଜଡିତ ୪୭ ଜଣ ମାଓ କର୍ମୀ ଆତ୍ମସମର୍ପଣ କରିଛନ୍ତି। ଏଥିରେ ଜଣେ ରାଜ୍ୟ କମିଟି ସଦସ୍ୟ (ଏସସିଏମ), ତିନି ଜଣ ଡିଭିଜନାଲ୍ କମିଟି ସଦସ୍ୟ (ଡିଭିସିଏମ), ୨୪ ଜଣ ଏରିଆ କମିଟି ସଦସ୍ୟ (ଏସିଏମ) ଏବଂ ୧୯ ଜଣ ଦଳୀୟ ସଦସ୍ୟ ରହିଛନ୍ତି।

ଡିଜିପି ଆହୁରି କହିଛନ୍ତି ଯେ ଏହି କ୍ୟାଡରମାନେ ସେମାନଙ୍କ ସହିତ ୩୨ଟି ଅସ୍ତ୍ରଶସ୍ତ୍ର ଆଣିଥିଲେ, ଯେଉଁଥିରେ ଗୋଟିଏ LMG, ଚାରୋଟି AK-47, ତିନୋଟି SLR, ଦୁଇଟି INSAS ରାଇଫଲ୍, ଦୁଇଟି 410 ମସ୍କେଟ୍, ଗୋଟିଏ 9mm ପିସ୍ତଲ ଏବଂ ଗୋଟିଏ .35mm ଅସ୍ତ୍ରଶସ୍ତ୍ର ରହିଥିଲା। ୩୨ଟି ଅସ୍ତ୍ରଶସ୍ତ୍ର ବ୍ୟତୀତ, ୨୬ଟି ମାଗାଜିନ୍, ୫୧୫ ରାଉଣ୍ଡ ଗୁଳି ଏବଂ ୧୦ଟି କର୍ଡେକ୍ସ ତାର ବଣ୍ଡଲ୍ ମଧ୍ୟ ଉଦ୍ଧାର କରାଯାଇଛି। ତେଲେଙ୍ଗାନାରେ ମାଓ ଆନ୍ଦୋଳନ ଏବେ ବନ୍ଦ ହୋଇଯାଇଛି।

Also Read- Salim Dola Arrested: ମୁମ୍ବାଇରୁ ଦୁବାଇ... ଦୁନିଆର ମୋଷ୍ଟ ଓ୍ବାଣ୍ଟେଡ୍ ଡ୍ରଗ୍ସ ମାଫିଆ ଗିରଫ

ପ୍ରମୁଖ କ୍ୟାଡର ହେଉଛନ୍ତି ବଡସେ ସୁନ୍ଦରୀ ଓରଫ ବିମଳା, ସାଭଲମ ବିଚମ ଓରଫ ବିଜୁ, ହେମଲା ବିଜୟ, ଏବଂ ପୋଡିୟମ୍ ଲାଚୁ ଓରଫ ବିନୋଦ। ମାଓ ସଂଗଠନରେ ଥିବା ସମସ୍ତ ଅସ୍ତ୍ର ଶସ୍ତ୍ର ଓ ୩୨ ଟି ବନ୍ଧୁକ ସହ ତେଲେଙ୍ଗାନା ଡିଜିପିଙ୍କ ପାଖରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ସରକାରଙ୍କ ନିୟମ ଅନୁଯାଇ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି ତେଲାଙ୍ଗାନା ଡିଡିପି କହିଛନ୍ତି ।