Drug Mafia Salim Dola: ଭାରତର କୁଖ୍ୟାତ ଡ୍ରଗ ମାଫିଆ ଏବଂ ଅନ୍ତର୍ଜାତୀୟ ଡ୍ରଗ ନେଟଓ୍ବାର୍କ ସହ ଜଡ଼ିତ ଏକ ବଡ଼ ଅପରାଧୀ ସଲିମ ଡୋଲାକୁ ତୁର୍କୀଏ ସୁରକ୍ଷା ଏଜେନ୍ସି ଇସ୍ତାନବୁଲରୁ ଗିରଫ କରିଛି । ଭାରତୀୟ ସୁରକ୍ଷା ଏଜେନ୍ସି ସଲିମ ଡୋଲାର ଗିରଫଦାରୀ ନେଇ ସ୍ପଷ୍ଟ କରିଛି । ଅଣ୍ଡର ଓ୍ବାର୍ଲଡ୍ ଏବଂ ନାର୍କୋଟିକ୍ସ ନେଟଓ୍ବାର୍କ ବିରୋଧରେ ଏହା ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । ସଲିମ ଡୋଲା ଗିରଫ ହେବା ପରେ ଅନ୍ତର୍ଜାତୀୟ ଡ୍ରଗ୍ ସିଣ୍ଡିକେଟ୍କୁ ଲାଗିଛି ବଡ଼ ଝଟକା ।

ଗ୍ଲୋବାଲ୍ ଡ୍ରଗ ନେଟଓ୍ବାର୍କର ମୁଖିଆ ସଲିମ

ସୂତ୍ର ଅନୁଯାୟୀ, ସଲିମ୍ ଡୋଲା ଦୀର୍ଘ ଦିନ ଧରି ଏକ ବିଶ୍ୱସ୍ତରୀୟ ସିନ୍ଥେଟିକ୍ ଡ୍ରଗ୍ ନେଟୱାର୍କ ପରିଚାଳନା କରୁଥିଲା । ଏହାର ଚେର ଅନେକ ଦେଶରେ ବ୍ୟାପିଥିଲା ଏବଂ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟ କରୁଥିଲା। ତଦନ୍ତ ଏଜେନ୍ସିଗୁଡ଼ିକ ଦାବି କରିଛନ୍ତି ଯେ, ଭାରତର ମୋଷ୍ଟ ୱାଣ୍ଟେଡ୍ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ୍ ସହିତ ସଲିମ ନେଟୱାର୍କର ମଧ୍ୟ ସମ୍ପର୍କ ଥିଲା।

ଦୁବାଇଲେ ଚାଲିଥିଲା ଡ୍ରଗ୍ ସିଣ୍ଡିକେଟ୍‌

ସୂଚନା ଅନୁଯାୟୀ, ସଲିମ ଡୋଲା ପ୍ରଥମେ ମୁମ୍ବାଇରେ କାମ କରୁଥିଲା, କିନ୍ତୁ ପରେ ଦୁବାଇ ଚାଲିଯାଇଥିଲା । ଯେଉଁଠାରେ ସେ ତାର ସମ୍ପୂର୍ଣ୍ଣ ଡ୍ରଗ୍ସ ସିଣ୍ଡିକେଟ୍ ପରିଚାଳନା କରିବା ଆରମ୍ଭ କରିଥିଲା । ସୁରକ୍ଷା ଏଜେନ୍ସି ଅନୁସାରେ, ଭାରତରେ ଡ୍ରଗ୍ସ କାରବାରରେ ମୁଖ୍ୟ ଭୂମିକା ନେଇଥିଲା ସଲୀମ । ସେ ଅନେକ ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣ ସିଣ୍ଡିକେଟ୍ ସହିତ ମଧ୍ୟ ଜଡିତ ଥିଲା।

ପରିବାର ବିରୋଧରେ କାର୍ଯ୍ୟାନୁଷ୍ଠାନ

ଅକ୍ଟୋବର ୨୦୨୫ରେ, ମୁମ୍ବାଇ କ୍ରାଇମବ୍ରାଞ୍ଚ ତା’ ଘନିଷ୍ଠ ସହଯୋଗୀ ମହମ୍ମଦ ସଲିମ ସୋହେଲ ଶେଖକୁ ଦୁବାଇରୁ ଭାରତ ପ୍ରତ୍ୟର୍ପଣ କରିଥିଲା। ପରବର୍ତ୍ତୀ ସମୟରେ, ନଭେମ୍ବର ୨୦୨୫ରେ, ସଲିମ ଡୋଲାର ପୁଅ ତାହିର ଡୋଲା ଏବଂ ପରିବାରର ଅନ୍ୟ ଚାରି ଜଣ ସଦସ୍ୟଙ୍କୁ ମଧ୍ୟ ଦୁବାଇରୁ ଭାରତ ପ୍ରତ୍ୟର୍ପଣ କରାଯାଇ ଗିରଫ କରାଯାଇଥିଲା।

Also Read: ମମତା କୁଲକର୍ଣ୍ଣିଙ୍କ ଆଶ୍ଚର୍ଯ୍ୟଜନକ ବୟାନ, କହିଲେ- ସେ ଆତଙ୍କବାଦୀ ନୁହଁନ୍ତି... ତାଙ୍କୁ ଭୁଲ ଚିତ୍ରଣ କରାଯାଇଛି

ରେଡ୍ କର୍ଣ୍ଣର ନୋଟିସ୍‌

ସଲିମ ଡୋଲା ପୂର୍ବରୁ ଅନେକ ଏଜେନ୍ସିଙ୍କ ନଜରରେ ଥିଲା। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ତା ବିରୁଦ୍ଧରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ତାଙ୍କ ବିରୁଦ୍ଧରେ ରେଡ୍ କର୍ଣ୍ଣର ନୋଟିସ (RCN) ଜାରି କରାଯାଇଥିଲା। ମୁମ୍ବାଇ ପୋଲିସ ତାକୁ ଜଣେ ୱାଣ୍ଟେଡ୍ ଅପରାଧୀ ଘୋଷଣା କରିଥିଲା। ସୂତ୍ର ଅନୁସାରେ, ତା ପାଖରେ ସାଉଦି ଆରବ ପାସପୋର୍ଟ ମଧ୍ୟ ଥିବା ଜଣାପଡ଼ିଛି, ଯାହା ତାର ଆଇନଗତ ପ୍ରକ୍ରିୟାକୁ ଆହୁରି ଜଟିଳ କରିପାରେ।