ତେହେରାନ ୨୫।୩: ଇସ୍ରାଏଲ-ଆମେରିକା ଓ ଇରାନ ମଧ୍ୟରେ ଜାରି ଯୁଦ୍ଧରେ ମଧ୍ୟସ୍ଥତା କରିବାକୁ ଚାହୁଁଥିବା ପାକିସ୍ତାନକୁ ଷ୍ଟ୍ରେଟ୍ ଅଫ ହୋର୍ମୁଜରେ ତେହେରାନ ବଡ଼ ଝଟକା ଦେଇଛି। ରିପୋର୍ଟ ଅନୁସାରେ ଷ୍ଟ୍ରେଟ୍ ଅଫ ହୋର୍ମୁଜରେ ଇରାନ ରିଭଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ପାକିସ୍ତାନୀ ଜାହାଜକୁ କରାଚୀ ଆଡକୁ ଯିବାକୁ ଅନୁମତି ଦେଇ ନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଓ ଫିଲ୍ଡ ମାର୍ଶଲ ଅସୀମ ମୁନିର ଇରାନ-ଆମେରିକା ମଧ୍ୟରେ ମଧ୍ୟସ୍ଥତା କରିବାକୁ ଉଦ୍ୟମ କରିବା ପରେ ତେହେରାନ ପକ୍ଷରୁ ପାକିସ୍ତାନକୁ ଦିଆଯାଇଥିବା ଏହା ପ୍ରଥମ ବଡ଼ ଝଟକା।

ଇରାନର କାବୁଲ ଦୂତାବାସ ଏକ ବୟାନରେ କହିଛି ଯେ ପାକିସ୍ତାନର କରାଚୀ ବନ୍ଦରକୁ ଯାଉଥିବା ଏକ ଜାହାଜକୁ ହୋର୍ମୁଜ ପ୍ରଣାଳୀରେ ଯିବାକୁ ଇରାନର ଅନୁମତି ନ ମିଳିବାରୁ ତାକୁ ଫେରସ୍ତ କରିଦିଆଯାଇଛି। ଫଳରେ ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ଉଲ୍ଲେଖଯୋଗ୍ୟ ଯେ ବିଶ୍ୱ ତୈଳ ଓ ଗ୍ୟାସ ବାଣିଜ୍ୟର ଏକ ପଞ୍ଚମାଂଶ ହୋର୍ମୁଜ ପ୍ରଣାଳୀ ଦେଇ ଯାଇଥାଏ। ତେବେ ପଶ୍ଚିମ ଏସିୟାରେ ଜାରି ଯୁଦ୍ଧ ଯୋଗୁ ଏହି ଜଳମାର୍ଗ ଏବେ ବନ୍ଦ ପଡିଛି। ଏ ନେଇ ଇରାନ ଦୂତାବାସ ପକ୍ଷରୁ ଦିଆଯାଇଥିବା ବୟାନରେ କଣ୍ଟୈନର ଜାହାଜ ‘ଏସଇଏଲଇଏନ’ ଆଇଆରଜିସି ନୌସେନାର ପ୍ରୋଟକଲ ପାଳନ ନ କରିବାରୁ ତାକୁ ହୋର୍ମୁଜ ପ୍ରଣାଳୀ ପାର କରିବାକୁ ଅନୁମତି ଦିଆଯାଇନି। ତାକୁ ଫେରସ୍ତ ପଠେଇ ଦିଆଯାଇଛି।

ହୋର୍ମୁଜରେ ନିୟମ ପାଳନ କରିବା ଜରୁରିଆଇଆରଜିସିର ଏକ ବୟାନରେ କୁହାଯାଇଛି ଯେ ‘ଏହି ଜଳମାର୍ଗ ଦେଇ କୌଣସି ଜାହାଜ ଯାତ୍ରା କରିବା ଇସ୍ଲାମିକ ଗଣରାଜ୍ୟ ଇରାନର ସାମୁଦ୍ରିକ ପ୍ରାଧିକରଣ ସହିତ ପୂର୍ଣ୍ଣ ସମନ୍ୱୟ ପରେ ସମ୍ଭବ’। ଆଇଆରଜିସି ନେଭି ପରେ ପୁଷ୍ଟି କରିଛି ଯେ ପାକିସ୍ତାନୀ ଜାହାଜ ପ୍ରୋଟକଲ ପାଳନ କରୁନଥିଲା। ଏଣୁ ତାକୁ ରୋକି ଦିଆଯାଇଛି। ଆଇଆରଜିସି ନେଭିର ରିୟର ଆଡମିରାଲ ଅଲିରେଜା ତଙ୍ଗସିରି କହିଛନ୍ତି ଯେ ଜାହାଜ ହୋର୍ମୁଜ ଦେଇ ଯିବା ଲାଗି ଅନୁମତି ନେଇ ନଥିଲା। ଏବେ ଏହି ମାର୍ଗ ଦେଇ ଯିବା ଲାଗି ଇରାନ ସମୁଦ୍ର ପ୍ରାଧିକରଣ ସହ ସମନ୍ୱୟ କରିବା ବାଧ୍ୟତା ମୂଳକ। ଏହି ଘଟଣା ଏପରି ସମୟରେ ହୋଇଛି ଯେତେବେଳେ ତେହେରାନ ହୋର୍ମୁଜ ଉପରେ ନିଜ ନିୟନ୍ତ୍ରଣ ମଜଭୁତ କରିବା ଲାଗି କିଛି ଜାହାଜଙ୍କ ଠାରୁ ଟ୍ରାଞ୍ଜିଟ ଫି ବାବଦକୁ ୨୦ଲକ୍ଷ ଡଲାର (୧୮.୮କୋଟି ଟଙ୍କା) ଆଦାୟ କରୁଛି।

ଅନେକ ଜାହାଜରୁ ଅସୁଲ ହେଲାଣି ଟ୍ରାଞ୍ଜିଟ ଫିଇରାନୀ ସାଂସଦ ଅଲାଉଦ୍ଦିନ ବୋରୁଜର୍ଦ୍ଦି ସରକାରୀ ପ୍ରସାରଣକର୍ତ୍ତା ଆଇଆରଆଇବିଙ୍କୁ କହିଛନ୍ତି ଯେ ଜାହାଜଙ୍କଠାରୁ ଟ୍ରାଞ୍ଜିଟ ଫି ବାବଦକୁ ୨୦ଲକ୍ଷ ଡଲାର ଅସୁଲ କରାଯିବା ଇରାନର ତାକତକୁ ପ୍ରମାଣିତ କରୁଛି। ଦୀର୍ଘ ଦଶନ୍ଧୀ ପରେ ହୋର୍ମୁଜ ପ୍ରଣାଳୀରେ ଏକ ‘ସଭରେନ ରିଜିମ’ ସ୍ଥାପିତ ହୋଇ ପାରିଛି। ସେ କହିଛନ୍ତି ଯେହେତୁ ଯୁଦ୍ଧର ଖର୍ଚ୍ଚ ରହୁଛି ଏଣୁ ସ୍ୱଭାବିକ ରୂପେ ଆମେ ଜାହଜଙ୍କଠାରୁ ଟ୍ରାଞ୍ଜିଟ ଫି ଅସୁଲ କରିବୁ।

ଶହବାଜଙ୍କ ପୋଷ୍ଟକୁ ରିପୋଷ୍ଟ କରିଥିଲେ ଟ୍ରମ୍ପପାକିସ୍ତାନୀ ଜାହାଜକୁ ଇରାନ ହୋର୍ମୁଜରେ ଯିବାକୁ ଦେଇ ନାହିଁ। ପାକିସ୍ତାନକୁ ଏହି ଝଟକା ସେତେବେଳେ ଦିଆଯାଇଛି ଯେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଆମେରିକା-ଇରାନ ଯୁଦ୍ଧରେ ମଧ୍ୟସ୍ଥଥା ଲାଗି କିଛି ଘଣ୍ଟା ପୂର୍ବରୁ ଏକ ପୋଷ୍ଟ କରିଥିଲେ। ପାକ୍ ପ୍ରଧାନମନ୍ତ୍ରୀଙ୍କ ଏହି ପୋଷ୍ଟକୁ ଟ୍ରମ୍ପ ରିପୋଷ୍ଟ କରିଥିଲେ। ହେଲେ ପାକିସ୍ତାନକୁ ଆଇନା ଦେଖାଇ ଦେଇଛି ଇରାନ।

Also Read..
ଗଲ୍ଫରୁ ଘାଟି ହଟାଅ, ଯୁଦ୍ଧର କ୍ଷତିପୂରଣ ଦିଅ ଏବଂ ସ୍ଥାୟୀ ସୁରକ୍ଷା ଗ୍ୟାରେଣ୍ଟି : ଆମେରିକା ପାଖରେ ଯୁଦ୍ଧ ବିରତି ଲାଗି ଆଉ କ'ଣ କ'ଣ ସର୍ତ୍ତ ରଖିଛି ଇରାନ୍ ?