ଗୋଆ : ବମ୍ବେ ହାଇକୋର୍ଟ ‘ତହଲକା’ ମ୍ୟାଗଜିନର ପୂର୍ବତନ ସମ୍ପାଦକ ତଋଣ ତେଜପାଲଙ୍କୁ ୨୦୧୩ ଯୌନ ଉତ୍ପୀଡ଼ନା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ କଠୋର ଜେଲଦଣ୍ଡାଦେଶ କରିଛନ୍ତି। ତେବେ ଏହି ମାମଲାରେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା କୋର୍ଟଙ୍କ ଦଣ୍ଡାଦେଶ ପରେ ମଧ୍ୟ ତଋଣ ତେଜପାଲଙ୍କୁ ଗିରଫ କରାଯାଇନି ବରଂ ତାଙ୍କୁ ଘରକୁ ପଠାଇ ଦିଆଯାଇଛି। ତେବେ ତାଙ୍କୁ ହାଜତକୁ ପଠା ନଯିବାର କାରଣ କ’ଣ ଓ ତାଙ୍କୁ ସରେଣ୍ଡର କରିବାକୁ କାହିଁକି ସମୟ ଦିଆଗଲା? ଆସନ୍ତୁ ଜାଣିବା।

ମାମଲାରେ ହାଇକୋର୍ଟଙ୍କ ରାୟ ଆସିବା ପୂର୍ବରୁ ତଋଣ ତେଜପାଲ ଜେଲ ହାଜତରେ ନଥିଲେ। ତାଙ୍କୁ ମେ ୨୦୨୧ରେ ଗୋଆ ଟ୍ରାୟଲ କୋର୍ଟ ନିର୍ଦ୍ଦୋଷରେ ମୁକ୍ତ କରିଦେଇଥିଲା। ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବମ୍ବେ ହାଇକୋର୍ଟଙ୍କ ଗୋଆ ପୀଠରେ ଏହି ରାୟ ବିରୋଧରେ ଅପିଲ କରାଯାଇଥିଲା। ଏବେ ହାଇକୋର୍ଟ ତେଜପାଲଙ୍କୁ ମୁକ୍ତ କରିଥିବା ଟ୍ରାୟଲ କୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି ଓ ତାଙ୍କୁ ଦୁଷ୍କର୍ମ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଣୁ ଯଦି କୌଣସି ବ୍ୟକ୍ତି ଜାମିନରେ ଥାଆନ୍ତି ଓ ଅପିଲିୟ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ କୋର୍ଟ ତାଙ୍କୁ ତୁରନ୍ତ ହାଜତକୁ ପଠେଇ ଦେଇ ପାରନ୍ତି ଅଥବା ଦୋଷୀଙ୍କୁ ଏକ ନିଶ୍ଚିତ ସମୟ ସୀମା ମଧ୍ୟରେ ସରେଣ୍ଡର କରିବାକୁ ଆଦେଶ ଦେଇ ପାରନ୍ତି।

ଏଠାରେ ହାଇକୋର୍ଟ ତେଜପାଲଙ୍କ ଲାଗି ଦ୍ୱିତୀୟ ରାସ୍ତା ଆପଣେଇଛନ୍ତି ଓ ତାଙ୍କୁ ସୀମିତ ସମୟ ଲାଗି ଗିରଫରୁ ଆଶ୍ୱସ୍ତି ଦେଇଛନ୍ତି ଓ ତାଙ୍କୁ କୋର୍ଟ ଅଥବା ଜେଲକୁ ଯାଇ ସରେଣ୍ଡର କରିବାକୁ ସୁଯୋଗ ଦେଇଛନ୍ତି। ତେବେ ତଋଣ ତେଜପାଲଙ୍କୁ କୋର୍ଟରୁ ମିଳିଥିବା ଏହି ଆଶ୍ୱସ୍ତି ତାଙ୍କୁ ଅପରାଧୀ ହେବାରୁ ଆଦୌ ଆଶ୍ୱସ୍ତି କରି ନାହିଁ କି ଏହାର ଅର୍ଥ ନୁହେଁ ତାଙ୍କୁ ହୋଇଥିବା ଦଣ୍ଡାଦେଶ ଉପରେ ସ୍ଥାୟୀ ରୋକ ଲାଗିଛି। ଏହା କେବଳ ଦଣ୍ଡ ଆରମ୍ଭ ହେବା ପୂର୍ବରୁ ଅପରାଧୀକୁ ମିଳିଥିବା ସୀମିତ ସମୟ ବୁଝା ଯାଇପାରେ।

ଉଲ୍ଲେଖଯୋଗ୍ୟ ଯେ କୋର୍ଟ ତେଜପାଲଙ୍କୁ ସରେଣ୍ଡର କରିବା ପାଇଁ ୨ ସପ୍ତାହ ସମୟ ଦେଇଛନ୍ତି। ତେବେ ସେ ଅନୁରୋଧ କରିବା ଯୋଗୁ ଏଥି ପାଇଁ ତାଙ୍କୁ ଆଉ ୨ ସପ୍ତାହ ଅଧିକ ଅର୍ଥାତ ୪ ସପ୍ତାହ ସମୟ ମିଳିଛି। ହାଇକୋର୍ଟଙ୍କ ଆଦେଶ ଅନୁସାରେ ଦୋଷୀଙ୍କୁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆତ୍ମସମର୍ପଣ କରିବାକୁ ପଡିବ।

କାହିଁକି ମିଳିଲା ସମୟ?
ଦୋଷୀଙ୍କୁ ଏପରି ମହଲତ ସେଥି ପାଇଁ ଦିଆଯାଏ ଯାହାଦ୍ୱାରା ତାଙ୍କୁ ରାୟ ବିରୋଧରେ ଅପିଲ କରିବା ପାଇଁ ସୁଯୋଗ ମିଳେ। ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବା ଲାଗି ତଋଣ ତେଜପାଲଙ୍କ ଅଧିକାର ରହିଛି। ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିବା ପାଇଁ ତାଙ୍କୁ ହାଇକୋର୍ଟ ରାୟର କପି ନେବାକୁ ପଡିବ। ତାଙ୍କୁ ସ୍ପେଶାଲ ଲିଭ ପିଟିସନ ନେବାକୁ ପଡିବ ଓ ତାଙ୍କ ଦୋଷ ସିଦ୍ଧି ଏବଂ ଦଣ୍ଡକୁ ଚ୍ୟାଲେଞ୍ଜ କରିବାର ଆଧାର ଜଣାଇବାକୁ ହେବ। କୋର୍ଟଙ୍କ ରାୟ ଉପରେ ରୋକ ଅଥବା ଏହାକୁ ନିଲମ୍ବିତ କରିବା ଲାଗି ପୃଥକ ଆବେଦନ ଦେବାକୁ ପଡିବ। ଏହା ଛଡା ଦୋଷୀଙ୍କୁ ମାମଲାର ତ୍ୱରିତ ଶୁଣାଣି ପାଇଁ ମଧ୍ୟ ନିବେଦନ କରିବାକୁ ପଡିବ।