ଭୁବନେଶ୍ୱର ୧୯। ୧୧ : କୋଟିଆ କାହାର ? କୋଟିଆ ଆମର। ଏହି ନାରା ଦେଇ ବିଧାନସଭାରେ ଗର୍ଜିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। କୋଟିଆ ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଥିବା ବିଜେପି ସରକାରକୁ ଘେରିଛନ୍ତି ତାରା। ୨୦ ଜଣ ବିଜେପି ସାଂସଦଙ୍କୁ ନେଇ ହାଉସ୍ କମିଟି ଗଠନ ସହ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଦାବି କରିଛନ୍ତି। ଆବଶ୍ୟକ ପଡ଼ିଲେ ବିଧାନସଭା ଗୃହରେ ଆତ୍ମାହୁତି ଦେବାକୁ ମଧ୍ୟ ଚେତାବନୀ ଦେଇଛନ୍ତି।

କୋଟିଆକୁ ନେଇ ପୁଣି ତେଜିଲା ରାଜନୀତି। ବିଧାନସଭାରେ କୋଟିଆ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ତାରା କହିଛନ୍ତି, ଟ୍ରିପଲ୍ ଇଞ୍ଜିନ୍ ସରକାର ଥିବା ସତ୍ତ୍ୱେ କୋଟିଆ ସମସ୍ୟାର ସମାଧାନ ହୋଇପାରୁନାହିଁ। ଓଡ଼ିଶାବାସୀ ୨୦ ଜଣ ବିଜେପି ସାଂସଦଙ୍କୁ ନିର୍ବାଚିତ କରି ସଂସଦକୁ ପଠାଇଛନ୍ତି। ତେଣୁ ସେମାନଙ୍କୁ ନେଇ ଏକ ହାଉସ୍ କମିଟି ଗଠନ କରାଯାଉ। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ସମୟ ନେଇ କୋଟିଆ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି। ବିଧାନସଭାରେ ଏହି ପ୍ରସଙ୍ଗରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଯାଉ ବୋଲି ମଧ୍ୟ କହିଛନ୍ତି। କୋଟିଆ ଓଡ଼ିଶାର ଥିଲା, ଓଡ଼ିଶାର ରହିବ। କୌଣସି ପରିସ୍ଥିତିରେ କୋଟିଆକୁ ଛାଡ଼ିବୁ ନାହିଁ। ଆନ୍ଧ୍ର ସରକାରଙ୍କ ସହ ଆଇନଗତ ଓ ଗଣତାନ୍ତ୍ରିକ ଉପାୟରେ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ତାରା।

Also Read:-Odisha Assembly : ବିରୋଧୀଙ୍କ ହଟ୍ଟଗୋଳ ଥମିଲାନି, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ସେ ଆହୁରି କହିଛନ୍ତି, କୋଟିଆ ପ୍ରସଙ୍ଗର ସମାଧାନ ପାଇଁ ସଂସଦରେ ଆଇନ ପ୍ରଣୟନର ରାସ୍ତା ରହିଛି। ବିଜେପି ସରକାର ଚାହିଁଥିଲେ ପୂର୍ବରୁ ମଧ୍ୟ ଏହାର ସମାଧାନ ହୋଇପାରିଥାନ୍ତା। ଏବେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଏହା ଏକ ବଡ଼ ସୁଯୋଗ। ଏହି ଦାବି ନେଇ ବିଧାନସଭାରେ ବିରୋଧ ଜାରି ରଖିବା ସହ ଆବଶ୍ୟକ ପଡ଼ିଲେ ଗୃହ ଭିତରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ତାରା ପ୍ରସାଦ ବାହିନୀପତି।