ଚେନ୍ନାଇ: ତାମିଲନାଡୁ ବିଧାନସଭାର ସମସ୍ତ ୨୩୪ ଆସନ ନିମନ୍ତେ ଗୁରୁବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ ହୋଇଛି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ତଥ୍ୟ ଅନୁସାରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ସନ୍ଧ୍ୟା ୬ଟା ସୁଦ୍ଧା ୮୪.୨୯% ଭୋଟ ଗ୍ରହଣ ହୋଇଛି, ଯାହା ଏହାର ପିଛିଲା ମତଦାନ ହାରକୁ ପାର କରିଯାଇଛି। ନିର୍ବାଚନରେ କୌଣସି ପାର୍ଟି ବିଜୟୀ ହୋଇ ସରକାର ଗଢିବା ପାଇଁ ୧୧୮ ସିଟ୍ ର ଆବଶ୍ୟକତା ରହିଛି। ଭୋଟ ଗଣନା ମେ ୪ ତାରିଖରେ ହେବ।

ଦୀର୍ଘ ଦଶନ୍ଧୀ ଧରି ତାମିଲନାଡୁ ନିର୍ବାଚନ ରାଜନୀତି ଅନେକାଂଶରେ ଡିଏମକେ ଓ ଏଆଇଏଡିଏମକେ ମଧ୍ୟରେ ପାଳି କରି ଶାସନ କରିବାର ପାଟର୍ଣ୍ଣକୁ ଅନୁସରଣ କରି ଆସୁଛି। ତେବେ ଡିଏମକେ ନେତା ତଥା ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍ ଐତିହାସିକ ଦ୍ୱିତୀୟ କାର୍ଯ୍ୟକାଳ ହାସଲ ନିମନ୍ତେ ଉଦ୍ୟମ କରିଛନ୍ତି। ହେଲେ ଷ୍ଟାଲିନ ଲଗାତାର ଦ୍ୱିତୀୟ ବାର ଶାସନ କରିବା ପାଇଁ ଏପରି ସମୟରେ ପ୍ରୟାସ କରିଛନ୍ତି ଯେତେବେଳେ ରାଜ୍ୟ ରାଜନୀତିର ଲୟ ବଦଳି ଥିବାର ଦେଖା ଯାଉଛି।ଏନଡିଏ ସହିତ ମେଣ୍ଟ କରି ଏଆଇଏଡିଏମକେ ଶାସନକୁ ଫେରିବାକୁ ଉଦ୍ୟମ କରୁଛି। ସେହିପରି ଅଭିନେତାରୁ ନେତା ପାଲଟିଥିବା ବିଜୟଙ୍କ ଟିଭିକେ ପାର୍ଟିର ପ୍ରବେଶ ନିର୍ବାଚନକୁ ଅଧିକ ପ୍ରତିଦ୍ୱନ୍ଦ୍ୱୀ କରିଛି।

ଯଦିଓ ରାଜ୍ୟରେ ଭୋଟ ଗ୍ରହଣ ସମାପ୍ତ ହୋଇଛି ତେବେ ଗୁରୁବାର ଏଗଜିଟ୍ ପୋଲ ପରିଣାମ ଘୋଷଣା ହେବ ନାହିଁ। ନିର୍ବାଚନ ଆୟୋଗ ମିଡିଆ ପ୍ଲାଟଫର୍ମ ଓ ପ୍ରସାରକଙ୍କୁ ଏକ ପରାମର୍ଶ ଜାରି କରି ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଓ ୮ ଉପନିର୍ବାଚନ ଲାଗି ଏଗଜିଟ୍ ପୋଲ ଉପରେ କଟକଣା ଲଗାଇ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ୯ ଏପ୍ରିଲ ସକାଳ ୭ଟାରୁ ଆରମ୍ଭ କରି ୨୯ ଏପ୍ରିଲ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ପ୍ରିଣ୍ଟ ଅଥବା ଇଲେକ୍ଟ୍ରୋନିକ୍ ମିଡିଆ ମାଧ୍ୟମରେ ଏଗଜିଟ୍ ପୋଲ ଆୟୋଜନ କରିବା ଓ ପ୍ରକାଶନ କରିବା ଉପରେ କଟକଣା ରହିବ। ଏଣୁ ରାଜ୍ୟରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନ ର ଏଗଜିଟ ପୋଲ ଫଳାଫଳ ୨୯ ଏପ୍ରିଲ ସନ୍ଧ୍ୟା ୬ଟା ପରେ ଦେଖିବାକୁ ପାଇ ପାରିବେ।