କୋଲକାତା: ଡାଇମଣ୍ଡ ହାର୍ବର ଅନ୍ତର୍ଗତ ଫାଲଟା (Falta) ବିଧାନସଭା କ୍ଷେତ୍ରରେ ଆଉ ଥରେ ଭୋଟିଂ ହେବା ପୂର୍ବରୁ ଟିଏମସି ପ୍ରାର୍ଥୀଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ସେ ଶନିବାର ଡାଇମଣ୍ଡ ଫାଲ୍ଟା ବିଧାନସଭା କ୍ଷେତ୍ରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଆସନ୍ତା ୨୧ ମେ’ରେ ହେବାକୁ ଥିବା ପୁନଃ ମତଦାନ (Repoll) ପୂର୍ବରୁ ସେ ତୃଣମୂଳ କଂଗ୍ରେସ (TMC) ନେତା ଜହାଙ୍ଗୀର ଖାନଙ୍କୁ କଡ଼ା ଚେତାବନୀ ଦେବା ସହ ଅଭିଷେକ ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ମନ୍ତବ୍ୟ

ଫାଲ୍ଟାର ଟିଏମସି ପ୍ରାର୍ଥୀ ଜହାଙ୍ଗୀର ଖାନ୍ ନିଜକୁ ‘ପୁଷ୍ପା’ ବୋଲି କହୁଥିବା ବେଳେ ଶୁଭେନ୍ଦୁ ତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ‘ତଥାକଥିତ ପୁଷ୍ପା କଥା ଏବେ ମୁଁ ବୁଝିବି । ମୁଁ ବ୍ୟକ୍ତିଗତ ଭାବେ ଏହି ମାମଲାର ମୁକାବିଲା କରିବି।’ ସେ ଜହାଙ୍ଗୀରଙ୍କୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ବୋଲି କହିଛନ୍ତି।ଶୁଭେନ୍ଦୁ ଅଭିଯୋଗ କରିଛନ୍ତି ଯେ, ଦଶ ବର୍ଷ ପୂର୍ବରୁ ଯେତେବେଳେ ଅଭିଷେକ ବାନାର୍ଜୀ ରାଜନୀତିକୁ ଆସିଲେ, ସେବେଠାରୁ ଡାଇମଣ୍ଡ ହାର୍ବରର ଲୋକମାନେ ନିଜର ଭୋଟ୍ ଦେବାର ଅଧିକାର ହରାଇଥିଲେ। ସେଠାରେ ଭୟର ବାତାବରଣ ରହିଥିଲା।

ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ପଶ୍ଚିମବଙ୍ଗରେ ଏବେ ପରିସ୍ଥିତି ବଦଳିଛି ଏବଂ ବିଜେପି ସରକାର ଆସିବା ପରେ ଫାଲ୍ଟାରେ ହେବାକୁ ଥିବା ପୁନଃ ନିର୍ବାଚନ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ପୁନଃପ୍ରତିଷ୍ଠା କରିବ। ନିର୍ବାଚନ ଇସ୍ତାହାର ବ୍ୟତୀତ ଫାଲ୍ଟା ଅଞ୍ଚଳର ବିକାଶ ପାଇଁ ଏକ ସ୍ୱତନ୍ତ୍ର ବିକାଶମୂଳକ ପ୍ୟାକେଜ୍ ମଧ୍ୟ ସେ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଢ଼ିଛି ଏବଂ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଫାଲ ଆସନରେ ବ୍ୟାପକ ଅନିୟମିତତା ଏବଂ ଇଭିଏମ୍ (EVM) ରେ ଟେପ୍ ଲଗାଯିବା ଅଭିଯୋଗ ପରେ ନିର୍ବାଚନ କମିଶନ ମ’ ୨୧ରେ ସେଠାରେ ସମସ୍ତ ୨୮୫ଟି ବୁଥରେ ପୁଣି ଭୋଟିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।