ଭୁବନେଶ୍ବର ୯।୯: ବାଲେଶ୍ବର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଉଦ୍ଧାର ପରେ ବଢୁଛି ସସପେନ୍ସ । ସେହି ସ୍ଥାନକୁ କିଏ ଆଣିଲା, କେମିତି ଆସିଲା ତାକୁ ନେଇ ବିଭାଗ ତଦନ୍ତ କରୁଥିବା ବେଳେ ଏବେ ସ୍ଥାନୀୟ ଲୋକ ବୟାନ ଆଶ୍ଚର୍ଯ୍ୟ କରୁଛି । ଗୋଟିଏ ପଟେ ସ୍ଥାନୀୟ ବନବିଭାଗ କହୁଛି ଆମେ ପାଟ୍ରୋଲିଂ ସମୟରେ ଏହାକୁ ଦେଖିଥିଲୁ । ଏଣେ ସ୍ଥାନୀୟ ଲୋକେ କହିଛନ୍ତି ଯେ, ରାତି ଅଧରେ ଗୋଟିଏ ଗାଡି ଜଙ୍ଗଲ ଭିତରେ ପଶିଥିଲା । ସେହି ସମୟରେ କୁଆଡ଼େ ବନ କର୍ମଚାରୀ ଉପସ୍ଥିତ ଥିଲେ ।

ଏହାରି ଭିତରେ ସାମ୍ନାକୁ ଆସିଛି CCTV ଫୁଟେଜ୍ । CCTVରେ ଗୋଟିଏ କଳା ଥାର୍ ଜଙ୍ଗଲ ଭିତରକୁ ଯିବାର ଦୃଶ୍ୟ କଏଦ ହୋଇଛି । ତଦନ୍ତ ସମୟରେ ସିସିଟିଭିରେ କଳା ଥାର୍କୁ ନେଇ ସନ୍ଦେହ ବଢିଛି । କଳା ଥାର୍ରେ ଓରାଙ୍ଗଓଟାନକୁ ଆଣି ଛଡା ଯାଇଥିବା ସନ୍ଦେହ କରୁଛି ଟିମ୍ ।

ତେବେ କେଉଁଠୁ ଆସିଲା କଳା ଥାର୍ ସେ ନେଇ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରାଯାଉଛି । ଏହା ପଛରେ ଏକ ବିରାଟ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ତସ୍କରି ରାକେଟ୍ ସକ୍ରିୟ ଅଛି । ସମୁଦ୍ରପଥ ଦେଇ ପଶ୍ଚିମବଙ୍ଗର ଏକ ବନ୍ଦରରୁ ଏଠାକୁ ଚୋରାରେ ଚାଲାଣ କରାଯାଇଥାଇପାରେ । ଧରାପଡ଼ିବା ଭୟରେ ବନ୍ୟଜନ୍ତୁ ତସ୍କରମାନେ ଏମାନଙ୍କୁ ଝାଉଁ ଜଙ୍ଗଲରେ ଛାଡ଼ି ପଳାଇଛନ୍ତି । ଘଟଣାସ୍ଥଳରୁ କିଛି ହାତ ଗ୍ଲୋବ୍ସ ମିଳିଛି । ଯାହାକୁ ନେଇ ବନ୍ୟଜନ୍ତୁ ତସ୍କରିର ଗନ୍ଧ ବାରି ହେଉଛି ।

Also Read:- ସ୍କ୍ରବ୍ ଟାଇଫସ୍ ନିୟନ୍ତ୍ରଣ ପାଇଁ ତତ୍ପର ସ୍ୱାସ୍ଥ୍ୟ ବିଭାଗ, ଚିହ୍ନଟ ଅଞ୍ଚଳକୁ ଯିବେ ଡାକ୍ତରୀ ଟିମ୍

ତେବେ ଏଠି ପ୍ରଶ୍ନ ଉଠୁଛି, ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯଦି ବନ ବିଭାଗ ଥିଲେ, ତାହାଲେ ସେମାନେ କୁଆଡେ ଗଲେ । ବନ୍ୟଜନ୍ତୁ ତସ୍କରିରେ ବନ କର୍ମଚାରୀଙ୍କ ହାତ ନାହିଁ ତ ? ବନ ବିଭାଗ ତଦନ୍ତ କରି ସଠିକ ତଥ୍ୟ ସାମ୍ନାକୁ ଆଣିଲେ ପୁରା ଘଟଣା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।