ଭୁବନେଶ୍ବର: ପ୍ରଶିକ୍ଷଣ ଶେଷ କରି ଶୁକ୍ରବାର ୩୩୬ ଜଣ ସବ୍- ଇନ୍ସପେକ୍ଟର୍ ଓଡ଼ିଶା ପୋଲିସରେ ଯୋଗ ଦେଇଛନ୍ତି। ହେଲେ ଏହି ନିଯୁକ୍ତିର ଉଦାହରଣ ଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି ଗୋଟିଏ ପଟେ ଦୁଇ ବର୍ଷର ପ୍ରଶିକ୍ଷଣ ଶେଷ କରି ୩୩୬ ଜଣ ସବ୍- ଇନ୍ସପେକ୍ଟର୍ ଓଡ଼ିଶା ପୋଲିସରେ ଯୋଗ ଦେଇଛନ୍ତି, ହେଲେ ଅନ୍ୟପଟେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ହଜାର ହଜାର ପୋଲିସ ନିଯୁକ୍ତି ଆଶାୟୀଙ୍କ ଭବିଷ୍ୟତ ଏବେ ବି ଅନିଶ୍ଚିତତାରେ ରହିଛି। ଆଉ ନବୀନଙ୍କ ଏହି ପ୍ରତିକ୍ରିୟା ପରେ ତୀବ୍ର ହୋଇଛି ରାଜନୈତିକ ତର୍କ ।

କ’ଣ କହିଥିଲେ ନବୀନ ?

ପ୍ରକୃତରେ ନବୀନ କହିଛନ୍ତି, ପୁରୁଣା ନିଯୁକ୍ତି ପ୍ରକ୍ରିୟାର ଫଳାଫଳରେ ବିଜେପି ଶ୍ରେୟ ନେଉଛି। ଏମିତି ନକରି ଏବେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ବାତିଲ ହୋଇଥିବା କମ୍ବାଇନ୍ଡ ପୋଲିସ ସର୍ଭିସ୍ ପରୀକ୍ଷା ଉପରେ ସ୍ପଷ୍ଟ ରୋଡମ୍ୟାପ୍ ଦେବା ଆବଶ୍ୟକ। ଆହୁରି ମଧ୍ୟ ବିଜେଡି ପକ୍ଷରୁ ପ୍ରଶ୍ନ ଉଠାଯାଇଛି ଯେ, ୨୦୨୫ରେ ବାତିଲ ହୋଇଥିବା କମ୍ବାଇନ୍ଡ ପୋଲିସ ସର୍ଭିସ୍ ପରୀକ୍ଷା ପୁଣି କେବେ ହେବ? ପ୍ରଶ୍ନପତ୍ର ବିକ୍ରି ଓ ଲିକ୍ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କେବେ କଠୋର ଦଣ୍ଡାତ୍ମକ ପଦକ୍ଷେପ ନିଆଯିବ? ଏନେଇ ସରକାର ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରି ପରୀକ୍ଷା ପୁନଃଆୟୋଜନର ତାରିଖ ସ୍ପଷ୍ଟ କରିବାକୁ ଦଳ ଦାବି କରିଛି।

Also Read: ପୋଲିସ ଦୀକ୍ଷାନ୍ତ ସମାରୋହକୁ ନେଇ ସରକାରଙ୍କୁ ଘେରିଲେ ନବୀନ, କହିଲେ- "କିଛି ନ କରି ମିଛ ଶ୍ରେୟ ନେଉଛି ବିଜେପି"

କାଉଣ୍ଟର କଲେ ସୁରେଶ ପୂଜାରୀ

ତେବେ ନବୀନଙ୍କ ଏହି ପ୍ରତିକ୍ରିୟାରେ କାଉଣ୍ଟର କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ବିରୋଧୀଙ୍କର ସମାଲୋଚନା କରିବାର ଅଧିକାର ଅଛି । ମାତ୍ର ୨୪ ବର୍ଷ ଶାସନରେ ରହିବା ପରେ ବିଜେଡି କାହିଁକି ଜନାଦେଶ ହରାଇଲା, ତାହା ନିଜେ ଆତ୍ମସମୀକ୍ଷା କରିବା ଆବଶ୍ୟକ । ନିଯୁକ୍ତି ସ୍ୱଚ୍ଛତା ସମ୍ପର୍କରେ ସ୍ପଷ୍ଟତା ରଖି ମନ୍ତ୍ରୀ କହିଛନ୍ତି ଯେ, ସରକାର ନିଜେ ସିଧାସଳଖ ପରୀକ୍ଷା ପରିଚାଳନା କରନ୍ତି ନାହିଁ । OPSC, OSSC କିମ୍ବା OSSSC ଭଳି ସ୍ୱାଧୀନ ସଂସ୍ଥା ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ପରିଚାଳିତ ହୋଇଥାଏ | ସରକାର କେବଳ ଆବଶ୍ୟକତା ଅନୁଯାୟୀ ରିକ୍ୱିଜିସନ୍ ଦେଇଥାନ୍ତି | ପୋଲିସ୍ ଏସ୍.ଆଇ ନିଯୁକ୍ତି ପରୀକ୍ଷା କେବେ ହେବ, ତାହା ସମ୍ପୃକ୍ତ ନିଯୁକ୍ତି ସଂସ୍ଥା ନିଷ୍ପତ୍ତି ନେବେ | ତେବେ ଗୃହ ଓ ପୋଲିସ ବିଭାଗକୁ ଯଥାଶୀଘ୍ର ମଜଭୁତ କରିବାକୁ ସରକାର ବଦ୍ଧପରିକର ବୋଲି ସେ ପ୍ରକାଶ କରିଛନ୍ତି।