ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ହତ୍ୟା ଅପରାଧି ୧୦୫ ବର୍ଷ ବୟସ୍କ ଜଣେ ବୃଦ୍ଧଙ୍କୁ ଜେଲରୁ ମୁକ୍ତ କରିଦେଇଛନ୍ତି। କୋର୍ଟ ତାଙ୍କ ବୟସ ଓ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ନା କେବଳ ତାଙ୍କ କେସ୍ ବନ୍ଦ କରିଦେଇଛନ୍ତି ତାଙ୍କ ଆଜୀବନ ଜେଲ ଦଣ୍ଡାଦେଶର ବାକି ଦଣ୍ଡ କ୍ଷମା କରିଦେଇଛନ୍ତି। ମାମଲାର ଶୁଣାଣି କାଳରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ପୀଠ ଏହି ରାୟ ଦେଇ ସ୍ପଷ୍ଟ ଭାବେ କହିଛନ୍ତି ଯେ ହୁଏତ ତାଙ୍କ ଆଜୀବନ ଜେଲଦଣ୍ଡର ପୁରା ଅବଧି ସମାପ୍ତ ହୋଇନି, ହେଲେ ତାଙ୍କୁ ଆଉ ଦ୍ୱିତୀୟବାର ହାଜତକୁ ପଠାଯାଇ ପାରିବନି। ଏହା ସହ କୋର୍ଟ ୨୦୨୪ ମସିହାରେ ତାଙ୍କୁ ମଞ୍ଜୁର ହୋଇଥିବା ଅନ୍ତରୀଣ ଜାମିନ ଆଦେଶକୁ ପୂର୍ଣ୍ଣ ଓ ଚୂଡ଼ାନ୍ତ କରିଦେଇଛନ୍ତି।

ଜାଣନ୍ତୁ ମାମଲା କ’ଣ?
ପଶ୍ଚିମବଙ୍ଗ ମାଲଦା ଜିଲ୍ଲା ୧୯୨୦ ମସିହାରେ ଜନ୍ମିତ ରସିକ ଚନ୍ଦ୍ର ମଣ୍ଡଳଙ୍କୁ ୧୯୯୪ ମସିହାରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେତେବେଳେ ତାଙ୍କ ବୟସ ୬୮ ବର୍ଷ ଥିଲା। ସେ ସେବେଠାରୁ ଜେଲରେ ବନ୍ଦୀ ଥିଲେ ଯେଉଁ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ୨୯ ନଭେମ୍ବର ୨୦୨୪ରେ ତାଙ୍କୁ ଜାମିନ ମଞ୍ଜୁର କରିନଥିଲେ। ବୟଷ୍କ ହେବା ଯୋଗୁ ସେ ବୟସ ସମ୍ପର୍କିତ ରୋଗ ଓ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିଲେ। ଏହା ପୂର୍ବରୁ ୨୦୧୮ ମସିହାରେ କୋଲକାତା ହାଇକୋର୍ଟ ରସିକ ଚନ୍ଦ୍ର ମଣ୍ଡଳଙ୍କ ସେହି ଆବେଦନକୁ ଖାରଜ କରିଦେଇଥିଲେ ଯେଉଁଥିରେ ସେ ତାଙ୍କ ଦଣ୍ଡକୁ ଚ୍ୟାଲେଞ୍ଜ କରିଥିଲେ। ତା ପରେ ରସିକ ସୁପ୍ରିମକୋର୍ଟଙ୍କ ଶରଣ ନେଇଥିଲେ। ତେବେ ସେଠାରେ ମଧ୍ୟ ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା।

ତେବେ ସେ ୯୯ ବର୍ଷ ବୟସରେ ପଦାର୍ପଣ କରିବାରୁ ବୟସାଧିକ୍ୟ ଓ ସ୍ୱାସ୍ଥ୍ୟ ଖରାପ ରହୁଥିବା କାରଣରୁ ସମୟ ପୂର୍ବରୁ ରସିକ ମୁକ୍ତି ନିମନ୍ତେ ପିଟିସନ ଦାଖଲ କରିଥିଲେ। ମେ ୨୦୨୧ ରେ ସୁପ୍ରିମକୋର୍ଟ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ। ଏହାପରେ ଦୀର୍ଘ ଆଇନଗତ ପ୍ରକ୍ରିୟା ପରେ ୨୦୨୪ ମସିହାରେ ତାଙ୍କୁ ଅନ୍ତରୀଣ ଜାମିନ ମିଳିପାରିଥିଲା, ଯାହାକୁ ଏବେ କୋର୍ଟ ଫାଇନାଲ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବାଦେ ୧୦୫ ବର୍ଷ ବୟସ୍କ ରସିକ ଚନ୍ଦ୍ର ବିନା କୌଣସି ଆଇନଗତ ପ୍ରତିବନ୍ଧକରେ ଜଣେ ସ୍ୱାଧୀନ ନାଗରିକ ଭାବେ ତାଙ୍କର ବାକି ଜୀବନ ବିତାଇ ପାରିବେ।