ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଅକ୍ଟୋବର ୧୦ ତାରିଖ ଦିନ ହେବାକୁ ଥିବା ବିରୋଧ ପ୍ରଦର୍ଶନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ବିଭିନ୍ନ ମେଟ୍ରୋ ଷ୍ଟେସନ ଓ ଯାତାୟାତ ଉପରେ ଲଗା ଯାଇଥିବା କଟକଣାକୁ ନେଇ ଶୁକ୍ରବାର କଟ୍ଟୁ ଟିପ୍ପଣୀ କରିଛନ୍ତି। କୋର୍ଟ କହିଛନ୍ତି ଆଇନଶୃଙ୍ଖଳା ରକ୍ଷା ଜରୁରି, ତେବେ ସାଧାରଣ ଜନତାଙ୍କ ଯାତାୟାତ ରୋକିବା  ‘ମାଛି ମାରିବା ଲାଗି ହାତୁଡି’ ଭଳି ଅତ୍ୟଧିକ କଡ଼ା ପଦକ୍ଷେପ ଗ୍ରହଣ କରାଯିବା ଉଚିତ ନୁହେଁ। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କ ବିରୋଧରେ ୧୦ ଅକ୍ଟୋବର ଶନିବାର ଦିଲ୍ଲୀ ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ ହେବାର ଅଛି।

ତେବେ ଏହି ବିରୋଧ ପ୍ରଦର୍ଶନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ କଡାକଟକଣା ଜାରି ହୋଇଛି। ଏହି କଟକଣାକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଉଦବେଗ ପ୍ରକାଶ କରିଛନ୍ତି। ଦିଲ୍ଲୀ ପୋଲିସ ଦ୍ୱାରା ମୋଟ୍ରୋ ଷ୍ଟେସନଗୁଡିକୁ ବନ୍ଦ କରିବା, ବିଭିନ୍ନ ସଡ଼କରେ ବାରିକେଡିଂ ଓ ଟ୍ରେନ ଯାତାୟାତ ରୋକିବା ପାଇଁ ପଦକ୍ଷେପ କୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଦିଲ୍ଲୀ ପୋଲିସର ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ପୀଠ କହିଛନ୍ତି ଯେ ଆଇନଶୃଙ୍ଖଳା ଅବ୍ୟହତ ରଖିବା ସରକାରଙ୍କ ଦାୟିତ୍ୱ, ତେବେ ଏଥି ପାଇଁ ସାଧାରଣ ଜନତା ଓ ଯାତ୍ରୀଙ୍କ ଯାତାୟାତକୁ ସମ୍ପୂର୍ଣ୍ଣ ବାଧିତ କରାଯାଇ ପାରିବନି।

ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରି କହିଛନ୍ତି ଯେ ଏହି ପଦକ୍ଷେପ ଯୋଗୁ ଗୁରୁଗ୍ରାମ, ଗ୍ରେଟର ନୋଏଡା ଓ ସହରର ଅନ୍ୟ ଅଞ୍ଚଳରୁ ଦିଲ୍ଲୀ ଆସୁଥିବା ହଜାର ହଜାର ଯାତ୍ରୀ ଯେଉଁମାନଙ୍କ ମଧ୍ୟରେ ଛାତ୍ର, ଛାତ୍ରୀ, କର୍ମଜୀବୀ ଓ ବୟଷ୍କ ବି ଅଛନ୍ତି। ସେମାନଙ୍କଉପରେ ଏହାର ଖାସ ପ୍ରଭାବ ପଡୁଛି। ଏଣୁ କୋର୍ଟ ବନ୍ଦ ହୋଇଥିବା ମେଟ୍ରୋ ଷ୍ଟେସନଙ୍କ ସଂଖ୍ୟା ହ୍ରାସ କରିବା ସହ କଟକଣାର ତତ୍କାଳ ସମୀକ୍ଷା ପାଇଁ କହିଛନ୍ତି। ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ‘ସମସ୍ତଙ୍କ ପାଖରେ କାର ନାହିଁ ..ତୁମେ ସବୁକିଛି ଅଟକାଇ ପାରିବନି ଓ ଲୋକଙ୍କୁ ପରିବହନ ସୁବିଧା ବିନା ମଧ୍ୟ ଛାଡି ପାରିବନି’।

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏହା ବି ସୁନିଶ୍ଚିତ କରିବାକୁ କହିଛନ୍ତି ଯେ ଅକ୍ଟୋବର ୧୦ ତାରିଖରେ ହେବାକୁ ଥିବା ବିରୋଧ ପ୍ରଦର୍ଶନ ପୂର୍ବରୁ ଦିଲ୍ଲୀ ଲାଗି ଟ୍ରେନ ସେବା ଓ ମେଟ୍ରୋ ସଞ୍ଚାଳନ ସମ୍ପୂର୍ଣ୍ଣ ନିଲମ୍ବିତ କରାନଯାଉ। ଯାତ୍ରୀଙ୍କ ଲାଗି ଚିନ୍ତା ବ୍ୟକ୍ତ କରି କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ସବୁ ବନ୍ଦ କରିଦିଆଯାଇ ପାରିବନି। କାରଣ ଲୋକେ ସହରର ସବୁ ଅଞ୍ଚଳରୁ ଯାତ୍ରା କରୁଛନ୍ତି। କୋର୍ଟ କହିଛନ୍ତି ଯେ ‘ଆମେ ସ୍ପଷ୍ଟ କରୁଛୁ ଯେ ମେଟ୍ରୋ ଟ୍ରେନମାନଙ୍କର ସଞ୍ଚାଳନ କୌଣସି ପୂର୍ଣ୍ଣ ପ୍ରତିବନ୍ଧକ ଲାଗି ପାରିବନି’। ଏହି ମାମଲାର ଆଗାମୀ ଶୁଣାଣି ସୋମବାର ହେବ।