ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟିର ପ୍ରତିବାଦ ପ୍ରଦର୍ଶନକୁ ନେଇ ସୁପ୍ରିମକୋର୍ଟ ତୁରନ୍ତ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ଯଦି ପ୍ରତିବାଦ କିମ୍ବା ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ଛୋଟ ବ୍ୟବସାୟୀଙ୍କ ଜୀବିକା ପ୍ରଭାବିତ ହେଲେ କ୍ଷତିପୂରଣ ପ୍ରସଙ୍ଗ ବିଚାର କରାଯାଇପାରେ ବୋଲି କୋର୍ଟ ସଙ୍କେତ ଦେଇଛନ୍ତି।

ଦିଲ୍ଲୀର କନଟ୍ ପ୍ଲେସ୍ ଅଞ୍ଚଳରେ CJPର ପ୍ରସ୍ତାବିତ ପ୍ରତିବାଦକୁ ନେଇ ଶୁକ୍ରବାର, ଅକ୍ଟୋବର ୧୬ରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ମାମଲାରେ ତୁରନ୍ତ ନିର୍ଦ୍ଦେଶ ଦେବାକୁ କୋର୍ଟ ମନା କରିବା ସହ ସମସ୍ତ ପକ୍ଷଙ୍କୁ ବୁଝିବିଚାରି ପଦକ୍ଷେପ ନେବାକୁ ଆଶା ପ୍ରକାଶ କରିଥିଲେ ଭାରତର ପ୍ରଧାନ ବିଚାରପତି ।

ଶୁଣାଣି ସମୟରେ ଛୋଟ ଦୋକାନୀ ଓ ରାସ୍ତାକଡ଼ ବ୍ୟବସାୟୀଙ୍କ ଜୀବିକା ପ୍ରସଙ୍ଗ ଉଠିଥିଲା। ଦିନକର ରୋଜଗାର ଉପରେ ନିର୍ଭର କରୁଥିବା ଅନେକ ପରିବାରଙ୍କ ପାଇଁ କିଛି ଦିନର ବ୍ୟବସାୟ ବନ୍ଦ ରହିବା ମଧ୍ୟ ବଡ଼ ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ କୋର୍ଟରେ କୁହା ଯାଇଛି ।

ଏହି ମାମଲାରେ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନ୍ସିଲ୍ ପକ୍ଷରୁ ସେଣ୍ଟ୍ରାଲ୍ ପାର୍କ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଥିବା କଥା ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ। ଏହା ଫଳରେ ସେହି ଅଞ୍ଚଳରେ ବ୍ୟବସାୟ କରୁଥିବା ଉଠାଦୋକାନୀ ଓ ଛୋଟ ବ୍ୟବସାୟୀଙ୍କ ରୋଜଗାର ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଥିଲା।

ଶୁଣାଣି ସମୟରେ କୋର୍ଟ ସ୍ପଷ୍ଟ କରିଥିଲେ ଯେ, ଯଦି ନୂଆ ଦିଲ୍ଲୀ ମୁନିସିପାଲଟି କାଉନ୍ସିଲ ର ନିର୍ଦ୍ଦେଶ ଯୋଗୁଁ ବ୍ୟବସାୟୀଙ୍କ ଆର୍ଥିକ କ୍ଷତି ହୁଏ, ତେବେ ଏହି ପ୍ରସଙ୍ଗକୁ ବିଚାର କରାଯାଇପାରେ। କୌଣସି ପଦକ୍ଷେପ ଆବଶ୍ୟକତାଠାରୁ ଅଧିକ କିମ୍ବା ଅନୁଚିତ ବୋଲି ପ୍ରମାଣିତ ହେଲେ, ଆଇନ ଅନୁଯାୟୀ କ୍ଷତିପୂରଣ ସମ୍ପର୍କରେ ନିର୍ଦ୍ଦେଶ ଦେବାର କ୍ଷମତା ଅଦାଲତଙ୍କର ରହିଛି ବୋଲି ବିଚାରପତି ଜଷ୍ଟିସ୍ ବାଗଚୀ ସଙ୍କେତ ଦେଇଥିଲେ।

ତେବେ ଏହାର ଅର୍ଥ ବ୍ୟବସାୟୀମାନଙ୍କୁ କ୍ଷତିପୂରଣ ଦେବା ପାଇଁ କୋର୍ଟ ଏବେଠାରୁ ଚୂଡ଼ାନ୍ତ ଆଦେଶ ଦେଇଛନ୍ତି, ତାହା ନୁହେଁ। କ୍ଷତି ହୋଇଥିଲେ ତାହାର ପ୍ରକୃତି ଓ ପରିସ୍ଥିତିକୁ ଆଧାର କରି ପରବର୍ତ୍ତୀ ସମୟରେ ବିଚାର କରାଯାଇପାରେ।ସୁପ୍ରିମକୋର୍ଟ କହିଛନ୍ତି ଯେ ପାର୍କ ପୁନର୍ବାର ଖୋଲିବା ପରେ ବ୍ୟବସାୟ କିମ୍ବା ଜୀବିକାରେ ହୋଇଥିବା କ୍ଷତିର ପ୍ରସଙ୍ଗ ଉଠାଯାଇପାରିବ। ଏହି ମାମଲାକୁ ଅକ୍ଟୋବର ୨୬ କିମ୍ବା ୨୭ ତାରିଖରେ ପୁଣି ଶୁଣାଣି ପାଇଁ ତାଲିକାଭୁକ୍ତ କରିବାର କଥା କୁହାଯାଇଛି।

ALSO READ- ଆଜି ଦିଲ୍ଲୀରେ ସିଜେପିର ପୁଣି ଆନ୍ଦୋଳନ : ତ୍ରିରଙ୍ଗା ମାର୍ଚ୍ଚ କରିବେ ଅଭିଜିତ

ଏହି ମାମଲାରେ ଗୋଟିଏ ପଟେ ପ୍ରତିବାଦ କରିବାର ଅଧିକାର, ଅନ୍ୟପଟେ ସାଧାରଣ ଲୋକଙ୍କ ସୁବିଧା, ଆଇନଶୃଙ୍ଖଳା ଓ ବ୍ୟବସାୟୀଙ୍କ ଜୀବିକା ଭଳି ପ୍ରସଙ୍ଗ ରହିଛି। ତେଣୁ ସମସ୍ତ ପକ୍ଷଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖି ଆଗାମୀ ଶୁଣାଣିରେ କୋର୍ଟ କେଉଁ ଦିଗ ଉପରେ ବିଚାର କରୁଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ ହେବ।