ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପରଲୋକଗତ ଉଦ୍ୟୋଗପତି ସଞ୍ଜୟ କପୁରଙ୍କ ମା ରାଣୀ କପୁର ଓ ପତ୍ନୀ ପ୍ରିୟା କପୁରଙ୍କ ମଧ୍ୟରେ ପାରିବାରିକ ଟ୍ରଷ୍ଟକୁ ନେଇ ଉପୁଜିଥିବା ବିବାଦ ସମାଧାନ ପାଇଁ ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କୁ ଶୁକ୍ରବାର ମଧ୍ୟସ୍ଥ ନିଯୁକ୍ତ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷଙ୍କୁ ଖୋଲା ହୃଦୟରେ ମଧ୍ୟସ୍ଥଙ୍କ କାର୍ଯ୍ୟାନୁଷ୍ଠାନରେ ଭାଗ ନେବାକୁ ଆଗ୍ରହ କରି କହିଛନ୍ତି ଯେ ସେମାନେ ସାର୍ବଜନିକ ଭାବେ କୌଣସି ବୟାନ ନ ଦିଅନ୍ତୁ କି ବିବାଦକୁ ନେଇ ସୋସିଆଲ ମିଡିଆକୁ ନ ଯାଆନ୍ତୁ।

ସୁପ୍ରିମକୋର୍ଟଙ୍କବିଚାରପତି ଜଷ୍ଟିସ୍ ଜେ.ବି.ପାରଦୀୱାଲା ଓ ଜଷ୍ଟିସ୍ ଉଜ୍ୱଳ ଭୂୟାଂଙ୍କପୀଠ କହିଛନ୍ତି ଯେ ଏହା ଏକ ପାରିବାରିକ ବିବାଦ ଓ ଏହାକୁ ପରିବାର ମଧ୍ୟରେ ସୀମିତ ରଖାଯାଉ। ଏହା ମନୋରଞ୍ଜନର ଖୋରାକ ଯେପରି ନ ହେଉ। ପୀଠ ଟିପ୍ପଣୀ କରିଛନ୍ତି ଯେ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦର ପ୍ରକୃତିକୁ ଧ୍ୟାନରେ ରଖି ଏପ୍ରିଲ ୨୭ ତାରିଖରେ ପକ୍ଷଙ୍କୁ ମଧ୍ୟସ୍ଥତାର ସାହାରା ନେବାକୁ ବିଚାର କରିବାକୁ ପରାମର୍ଶ ଦେଇଥିଲେ।

ସମ୍ବଦ୍ଧିତ ପକ୍ଷଙ୍କ ପକ୍ଷରୁ ଶୁକ୍ରବାର କୋର୍ଟରେ ଉପସ୍ଥିତ ସବୁ ପକ୍ଷଙ୍କ ଓକିଲମାନେ ଅତ୍ୟନ୍ତ ଖୁସିର ସହ ମଧ୍ୟସ୍ଥତା ଲାଗି ସହମତି ପ୍ରକାଶ କରିଛନ୍ତି। ଏଥିରେ ପୀଠ ଉପୁଜିଥିବା ପରିସ୍ଥିତିରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କୁ ମଧ୍ୟସ୍ଥ ନିଯୁକ୍ତି କରୁଥିବା ଘୋଷଣା କରିଛନ୍ତି। କୋର୍ଟ କହିଛନ୍ତି ଯେ ଆମେ ମଧ୍ୟସ୍ଥଙ୍କ ପ୍ରାରମ୍ଭିକ ରିପୋର୍ଟକୁ ଅପେକ୍ଷା କରିବୁ ଓ ପରେ ମାମଲାରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ କରାଯିବ। ଏଣୁ ପୀଠ ମାମଲାକୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରିଛନ୍ତି।

ଏପ୍ରିଲ ୨୭ ତାରିଖରେ ସର୍ବୋଚ୍ଚନ୍ୟାୟାଳୟ ସଞ୍ଜୟ କପୁରଙ୍କ ମାଙ୍କ ଦ୍ୱାରା ରୁଜୁ ଏକ ମୋକଦ୍ଦମାରେ ପ୍ରିୟା କପୁର ଓ ଅନ୍ୟଙ୍କୁ ଜବାବ ତଲବ କରିଥିଲେ। ଯେଉଁଥିରେ ପାରବାରିକ ଟ୍ରଷ୍ଟକୁ ‘ଅମାନ୍ୟ’ ଘୋଷଣା କରିବା ଲାଗି ନିବେଦନ କରାଯାଇଥିଲା। ୮୦ ବର୍ଷ ବୟଷ୍କ ରାଣୀ କପୁରଙ୍କ ଦ୍ୱାରା ରୁଜୁ ପିଟିସନ ଆଧାରରେ ପ୍ରିୟା କପୁର ଓ ଅନ୍ୟଙ୍କୁ ନୋଟିସ୍ ଜାରି କରାଯାଇଥିଲା। ଏଥିରେ ଅଭିଯୋଗ କରାଯାଇଥିଲା ଯେ ଅକ୍ଟୋବର ୨୦୧୭ରେ ତାଙ୍କ ନାମରେ ଗଠିତ ଟ୍ରଷ୍ଟ ନକଲୀ ଓ ମନଗଢା। ଅନ୍ୟପଟେ ସମ୍ପତ୍ତି ଓ ପରିସମ୍ପତ୍ତି ନିୟନ୍ତ୍ରଣକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବେ ଦିଲ୍ଲୀ ହାଇକୋର୍ଟରେ ଲମ୍ବିତ ରହିଛି। ଏଥିରେ ସର୍ବୋଚ୍ଚନ୍ୟାୟାଳୟରେ ରୁଜୁ ପିଟିସନରେ ଟ୍ରଷ୍ଟର ସବୁ ସମ୍ପତ୍ତି ହସ୍ତାନ୍ତରଣ ଉପରେ ଯଥାସ୍ଥିତି ରଖିବାକୁ ଦାବି କରାଯାଇଛି।

Also Read..ସଞ୍ଜୟ କପୁରଙ୍କ ସମ୍ପତ୍ତି ବିବାଦ: ନୋଟିସ୍ ଜାରି କରି ମଧ୍ୟସ୍ଥାତାରେ ବିବାଦର ସମାଧାନ ପରାମର୍ଶ ଦେଲେ ସୁପ୍ରିମକୋର୍ଟ