୨୦୨୬ ଅତ୍ୟନ୍ତ ଶକ୍ତିଶାଳୀ ଏଲ୍-ନିନୋ ଘଟଣାର ବର୍ଷ ହେବ । ବୈଜ୍ଞାନିକମାନେ ବିଶ୍ୱବାସୀଙ୍କୁ ଏହି ଚେତାବନୀ ଦେଇଛନ୍ତି । ଏହି ରେକର୍ଡ ଅତୀତର ଅନ୍ୟତମ ସବୁଠୁ ଶକ୍ତିଶାଳୀ ଏଲ୍- ନିନୋ ହୋଇପାରେ । ଅନେକ ଅନ୍ତର୍ଜାତୀୟ ଜଳବାୟୁ ମଡେଲ ଓ ଆମେରିକାର ନୋଆ ଭଳି ପ୍ରମୁଖ ଜଳବାୟୁ ସଂଗଠନ ସ୍ପଷ୍ଟ କରିଛି, ଚଳିତ ମେ’-ଜୁଲାଇ ସୁଦ୍ଧା ଏଲ୍-ନିନୋ ଘଟଣାର ୮୨ ପ୍ରତିଶତ ଆଶଙ୍କା ରହିଛି । ଡିସେମ୍ବର ୨୦୨୬ ସୁଦ୍ଧା ଏହା ୯୬ ପ୍ରତିଶତ ନିଶ୍ଚିତ ବୋଲି ବିବେଚନା କରାଯାଉଛି । କିଛି ବୈଜ୍ଞାନିକ ପୂର୍ବାନୁମାନ କରୁଛନ୍ତି, ଏହା ୧୮୭୭ର ଭୟାନକ ଏଲ୍-ନିନୋଠୁ ମଧ୍ୟ ଅଧିକ ବିନାଶକାରୀ ହୋଇପାରେ । ଏହି ଘଟଣାର ପ୍ରଭାବ କେବଳ ସମୁଦ୍ର ଉପରେ ନୁହେଁ, ବିଶ୍ୱ ଜଳବାୟୁ, କୃଷି, ଜଳ ଓ ଅର୍ଥବ୍ୟବସ୍ଥା ଉପରେ ପଡ଼ିବ ।

ଏଲ୍-ନିନୋ ଏକ ପ୍ରାକୃତିକ ଜଳବାୟୁ ଚକ୍ର, ଯାହା ପ୍ରଶାନ୍ତ ମହାସାଗରର ଭୂମଧ୍ୟ ରେଖା କ୍ଷେତ୍ରରେ ଘଟେ । ସାଧାରଣ ସ୍ଥିତିରେ ଏଠାରେ ପୂର୍ବ ଦିଗରୁ ବାୟୁ ପ୍ରବାହିତ ହୁଏ, ଯାହା ଉଷ୍ଣ ଜଳକୁ ପଶ୍ଚିମ ଦିଗକୁ ଠେଲେ । କିନ୍ତୁ ଯେତେବେଳେ ଏଲ୍-ନିନୋ ସୃଷ୍ଟି ହୁଏ, ଏହି ବାୟୁ ଦୁର୍ବଳ ହୁଏ କିମ୍ବା ବିପରୀତ ଦିଗରେ ପ୍ରବାହିତ ହେବାକୁ ଲାଗେ । ଫଳସ୍ୱରୂପ ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ କ୍ଷେତ୍ରରେ ଉଷ୍ଣ ଜଳ ଜମା ହୁଏ । ଏହି ଉଷ୍ଣ ଜଳ ବାୟୁର ଦିଗ ପରିବର୍ତ୍ତନ କରେ । ପୃଥିବୀରେ ମୌସୁମୀ ପ୍ୟାଟର୍ନ ବଦଳିଯାଏ । ଏଲ୍-ନିନୋ ସାଧାରଣତଃ ପ୍ରତି ୨-୭ ବର୍ଷରେ ଆସେ ଏବଂ ୯-୧୨ ମାସ ଯାଏ ରହେ । ଏହାର ଶକ୍ତିକୁ ସମୁଦ୍ର ଜଳର ତାପମାତ୍ରା ଦ୍ୱାରା ମପାଯାଏ । ଯଦି ତାପମାତ୍ରା ହାରାହାରିଠୁ ୨ ଡିଗ୍ରୀ ସେଲ୍ସିୟସ କିମ୍ବା ତା’ଠୁ ଅଧିକ ବଢ଼ିଯାଏ, ତେବେ ତାକୁ ସୁପର୍ ଏଲ୍- ନିନୋ କୁହାଯାଏ । ୨୦୧୫-୧୬ର ଏଲ୍-ନିନୋ ଶେଷ ସୁପର୍ ଏଲ୍-ନିନୋ ଥିଲା । ଏବେ ୨୦୨୬ରେ ପୁଣି ଏକ ଶକ୍ତିଶାଳୀ ସୁପର୍ ଏଲ୍-ନିନୋ ଘଟଣାର ଆଶଙ୍କା କରାଯାଉଛି ।

ବୈଶ୍ୱିକ ମୌସୁମୀ ବିପଦ :

ଏଲ୍-ନିନୋର ପ୍ରଭାବ ପ୍ରତ୍ୟେକ ସ୍ଥାନରେ ଭିନ୍ନ ଭିନ୍ନ ହୋଇଥାଏ । କିଛି ସ୍ଥାନରେ ଭୀଷଣ ବର୍ଷା ଓ ବନ୍ୟା ଆସିବ । ଆଉ କିଛି ସ୍ଥାନରେ ଉତ୍କଟ ମରୁଡ଼ି ପଡ଼ିବ । ବ୍ରାଜିଲ, ପେରୁ ଓ ଆଖପାଖ ଅଞ୍ଚଳରେ ଭୀଷଣ ବର୍ଷା ଓ ବନ୍ୟା ଆଶଙ୍କା ରହିଛି । ଅଷ୍ଟ୍ରେଲିଆ ଓ ଇଣ୍ଡୋନେସିଆରେ ମରୁଡ଼ି ଓ ଜଙ୍ଗଲ ନିଆଁ ବଢ଼ିପାରେ । ଦକ୍ଷିଣ ଆଫ୍ରିକାରେ ମରୁଡ଼ି ଓ ଦୁର୍ଭିକ୍ଷ ବିପଦ ରହିଛି । ଶୀତଦିନେ ଦକ୍ଷିଣ ଆମେରିକାରେ ଅଧିକ ବର୍ଷା ଏବଂ ଉତ୍ତରରେ ଗରମ ଆଶଙ୍କା ଅଛି । ଆଟ୍ଲାଣ୍ଟିକ୍ ମହାସାଗରରେ ବାତ୍ୟା ଆଶଙ୍କା କମିପାରେ କିନ୍ତୁ ପ୍ରଶାନ୍ତ ମହାସାଗରରେ ବଢ଼ିପାରେ ।

୨୦୨୬ର ଏଲ୍-ନିନୋ ସ୍ୱତନ୍ତ୍ର ଓ ବିପଦପୂର୍ଣ୍ଣ କାହିଁକି?

ଏଥର ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ପୂର୍ବରୁ ଉତ୍ତପ୍ତ ପୃଥିବୀକୁ ଏଲ୍-ନିନୋ ଆସୁଛି । ଗତ ଅନେକ ବର୍ଷ ହେଲା ସମୁଦ୍ର ତାପମାତ୍ରା ଅସାଧାରଣ ରୂପେ ବଢ଼ିଚାଲିଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ଉତ୍ତାପନ ଦ୍ରୁତ ହେଉଛି । ଏହି ସ୍ଥିତିରେ ଏକ ଶକ୍ତିଶାଳୀ ଏଲ୍-ନିନୋ ଆସିବା ଦ୍ୱାରା ଉଭୟର ପ୍ରଭାବ ଆହୁରି ବଢ଼ିଯିବ । ନୋଆ ଅନୁସାରେ, ସମୁଦ୍ର ଗଭୀରରେ ପୂର୍ବରୁ ଉଷ୍ଣ ଜଳର ବହୁତ ବଡ଼ ଭଣ୍ଡାର ସୃଷ୍ଟି ହୋଇଛି, ଯାହା ପୃଷ୍ଠକୁ ଆସିବ ଏବଂ ଏଲ୍-ନିନୋ ଆହୁରି ଶକ୍ତିଶାଳୀ ହେବ । କିଛି ମଡେଲ ଅନୁସାରେ, ଆସନ୍ତା ନଭେମ୍ବର ସୁଦ୍ଧା ସମୁଦ୍ର ତାପମାତ୍ରା ହାରାହାରିଠୁ ୩ ଡିଗ୍ରୀ ଯାଏ ବଢ଼ିପାରେ । ଏହା ଦ୍ୱାରା ୨୦୨୬- ୨୦୨୭ରେ ବୈଶ୍ୱିକ ତାପମାତ୍ରା ନୂଆ ରେକର୍ଡ କରିପାରେ । ବୈଜ୍ଞାନିକ କହୁଛନ୍ତି, ଏହି ଏଲ୍-ନିନୋ କେବଳ ଋତୁଗତ ପରିବର୍ତ୍ତନ ଆଣିବ ନାହିଁ, ବରଂ ପୂର୍ବରୁ ଥିବା ମରୁଡ଼ି, ଗରମ ଓ ଜଳାଭାବ ସମସ୍ୟାକୁ ଆହୁରି ଗମ୍ଭୀର କରିବ ।

ଇତିହାସର ସବୁଠୁ ଭୟଙ୍କର ଏଲ୍-ନିନୋ :

୧୮୭୭ର ଏଲ୍-ନିନୋକୁ ଏପର୍ଯ୍ୟନ୍ତର ସବୁଠୁ ବିନାଶକାରୀ ବିବେଚନା କରାଯାଏ । ସେତେବେଳେ ଭାରତ, ଚୀନ୍, ବ୍ରାଜିଲ ଓ ଆଫ୍ରିକାର ଅନେକ ସ୍ଥାନରେ ଭୟଙ୍କର ମରୁଡ଼ି ପଡ଼ିଥିଲା । ଫସଲ ନଷ୍ଟ ହୋଇଯାଇଥିଲା । ଭାରତରେ ବି ଭୀଷଣ ଅକାଳ ପଡ଼ିଥିଲା । ଲକ୍ଷାଧିକ ଲୋକ ଦୁର୍ଭିକ୍ଷରେ ପ୍ରାଣ ହରାଇଥିଲେ । ୧୯୮୨-୮୩, ୧୯୯୭-୯୮ ଓ ୨୦୧୫-୧୬ର ଏଲ୍-ନିନୋ ମଧ୍ୟ ଅତ୍ୟନ୍ତ ଶକ୍ତିଶାଳୀ ଥିଲା । ୨୦୨୩-୨୪ର ଏଲ୍- ନିନୋ ମଧ୍ୟ ମରୁଡ଼ି, ବନ୍ୟା ଓ ରେକର୍ଡ ଗରମ ପାଇଁ ଦାୟୀ ହୋଇଥିଲା । ୨୦୨୬ର ଏଲ୍-ନିନୋ ଯଦି ସୁପର୍ ଶ୍ରେଣୀରେ ପହଞ୍ଚେ, ତେବେ ପୂର୍ବର ସମସ୍ତ ଏଲ୍-ନିନୋ ଘଟଣାଠୁ ଅଧିକ ପ୍ରଭାବଶାଳୀ ହୋଇପାରେ, କାରଣ ବିଶ୍ୱ ଏବେ ପୂର୍ବାପେକ୍ଷା ଅଧିକ ଉଷ୍ଣ ହୋଇଛି ।

ଭାରତ ଉପରେ ଏଲ୍-ନିନୋର ପ୍ରଭାବ :

ଭାରତରେ ଏଲ୍-ନିନୋର ସର୍ବାଧିକ ପ୍ରଭାବ ମୌସୁମୀ ଉପରେ ପଡ଼େ । ଶକ୍ତିଶାଳୀ ଏଲ୍-ନିନୋ ସମୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଦୁର୍ବଳ ହୁଏ । ଫଳରେ ଦେଶର ଅନେକ ସ୍ଥାନରେ ବର୍ଷା କମ୍ ହୁଏ । ଖାସ୍କରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ବିହାରରେ ବିଜୁଳି ଘଟଣା ବଢ଼ିଯାଏ । କାରଣ ବାୟୁମଣ୍ଡଳରେ ଆର୍ଦ୍ରତା ଓ ଅସ୍ଥିରତା ବଢ଼ିଯାଏ । ଏହିସବୁ ରାଜ୍ୟ ପୂର୍ବରୁ ଏଲ୍-ନିନୋ ପ୍ରଭାବିତ କ୍ଷେତ୍ର ଭାବେ ବିବେଚିତ । କୃଷି ଉପରେ ସର୍ବାଧିକ ବିପଦ ପଡ଼ିବ । ଚାଉଳ, ଗହମ, ଡାଲି ଓ ଅନ୍ୟ ଫସଲ ଉତ୍ପାଦନ କମିବ । ଦକ୍ଷିଣ- ପୂର୍ବ ଏସିଆ ଓ ଭାରତରେ ମୌସୁମୀ ଦୁର୍ବଳ ହେବା ଦ୍ୱାରା ମରୁଡ଼ି ଆଶଙ୍କା ବଢ଼ିଯିବ । ଚାଷୀଙ୍କୁ ଜଳାଭାବ, ଉତ୍ତାପ ବୃଦ୍ଧି ଓ ଫସଲ ହାନିର ସମ୍ମୁଖୀନ ହେବାକୁ ପଡ଼ିପାରେ । ଚାଉଳ ଓ ପାମ୍ ତେଲ ଉତ୍ପାଦନ ହ୍ରାସ ଯୋଗୁ ଖାଦ୍ୟ ମୂଲ୍ୟ ବଢ଼ିପାରେ ।

କୃଷି, ଅର୍ଥବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ :

ଏଲ୍-ନିନୋ ସମୟରେ ବୈଶ୍ୱିକ ଖାଦ୍ୟ ଉତ୍ପାଦନ ପ୍ରଭାବିତ ହୁଏ । ୨୦୨୬ରେ ଫସଲ କମ୍ ହେଲେ, ବିଶ୍ୱରେ ଖାଦ୍ୟାନ୍ନ ପରିମାଣ ହ୍ରାସ ପାଇବ । ଗରିବ ରାଷ୍ଟ୍ରରେ ଦୁର୍ଭିକ୍ଷ ବଢ଼ିବ । ଜଳାଭାବ ଯୋଗୁ ପାନୀୟ ଜଳ ସଙ୍କଟ ଘନେଇବ । ହିଟ୍ୱେଭ୍ ବଢ଼ିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଯଥା- ହିଟ୍ ଷ୍ଟ୍ରୋକ୍, ନିର୍ଜଳୀକରଣ ଓ ଅନ୍ୟ ଗମ୍ଭୀର ରୋଗ ବଢ଼ିବ । ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗ ମଧ୍ୟ ବ୍ୟାପିପାରେ, କାରଣ ମଶାଙ୍କ ପାଇଁ ଜଳବାୟୁ ଅନୁକୂଳ ହେବ । ମତ୍ସ୍ୟପାଳନ ଓ ସାମୁଦ୍ରିକ ଉଦ୍ୟୋଗ ମଧ୍ୟ ପ୍ରଭାବିତ ହେବ । କୋରାଲ ବ୍ଲିଚିଂ ଦ୍ୱାରା ସାମୁଦ୍ରିକ ଜୀବଙ୍କୁ କ୍ଷତି ପହଞ୍ଚିବ । ବୈଜ୍ଞାନିକଙ୍କ ଅନୁସାରେ, ମାନବୀୟ ଗତିବିଧି ଯୋଗୁ ହେଉଥିବା ବିଶ୍ୱ ଉତ୍ତାପନ ଏଲ୍-ନିନୋକୁ ଆହୁରି ବିପଦପୂର୍ଣ୍ଣ କରୁଛି ।

Also Read-ଆଗକୁ ଆହୁରି ବଢ଼ିବ ଇନ୍ଧନ ଦର, ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ଲାଗିବ ନିଆଁ