ମସ୍କୋ: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଚୀନ୍ ଗସ୍ତରେ ଆସି ପାରନ୍ତି। କ୍ରେମଲିନ ଅନୁସାରେ ପୁଟିନଙ୍କ ଯାତ୍ରା ପ୍ରସ୍ତୁତି ପାଖାପାଖି ସରିଛି ଓ ଖୁବ୍ ଶୀଘ୍ର ଅଧିକାରୀକ ତାରିଖ ଘୋଷଣା କରାଯିବ। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ପୁଟିନଙ୍କ ଯାତ୍ରା ନିମନ୍ତେ ଚୂଡ଼ାନ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଓ ପୁଟିନ ଖୁବ୍ ଶୀଘ୍ର ଚୀନ୍ ଯାଇ ପାରନ୍ତି। ତେବେ ପୁଟିନଙ୍କ ଏହି ଗସ୍ତର ପ୍ରସଙ୍ଗ କଣ ତାହା କ୍ରେମଲିନ ସ୍ପଷ୍ଟ କରି ନାହିଁ। ସେହିପରି ଗସ୍ତକାଳରେ କେଉଁ ସବୁ ପ୍ରସଙ୍ଗରେ ଚର୍ଚ୍ଚା ହେବ ତାହା ମଧ୍ୟ ସୂଚିତ କରାଯାଇ ନାହିଁ। ହେଲେ ମନେ କରାଯାଉଛି ଋଷିଆ-ୟୁକ୍ରେନ ଯୁଦ୍ଧ, ବୈଶ୍ୱିକ ରାଜନୀତି ଓ ଆର୍ଥିକ ସହଯୋଗ ଭଳି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

ନିକଟରେ ଋଷିଆ ଦ୍ୱିତୀୟ ବିଶ୍ୱଯୁଦ୍ଧ ଜିତିବା ସ୍ମୃତିରେ ବିଜୟ ଦିବସ ପାଳନ କରିଥିଲା। ସେତେବେଳେ ରାଷ୍ଟ୍ରପତି ପୁଟିନ କହିଥିଲେ ଯେ ସେ ଭାରତ, ଚୀନ୍ ଓ ଆମେରିକାକୁ ୟୁକ୍ରେନ ଯୁଦ୍ଧର ଏବେକା ସ୍ଥିତି ନେଇ ସେ ସୂଚନା ଦେଇଛନ୍ତି। ଏଥି ମଧ୍ୟରେ ଆମେରିକା ଓ ଚୀନ୍ ସମ୍ପର୍କକୁ ନେଇ ଅନେକ ବଡ଼ ବୟାନ ସାମ୍ନାକୁ ଆସୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଚୀନ୍ ଚାହୁଁଛି ହର୍ମୁଜ ପ୍ରଣାଳୀ ଖୋଲା ରହୁ। ସେ କହିଛନ୍ତି ଯେ ଏକ୍ଷେତ୍ରରେ ଶାନ୍ତି ବୁଝାମଣାରେ ସହାୟତା କରିବା ପାଇଁ ଚୀନ୍ କହିଛି।

ଟ୍ରମ୍ପ ଚୀନ୍ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଆମେରିକା ଗସ୍ତ ନିମନ୍ତେ ଆମନ୍ତ୍ରଣ କରିଛନ୍ତି। ସେହିପରି ବେଜିଂରେ ଆୟୋଜିତ ଏକ ସରକାରୀ ଭୋଜରେ ଚୀନ୍ ରାଷ୍ଟ୍ରପତି ଆମେରିକା ଓ ଚୀନ୍ ସମ୍ପର୍କକୁ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷୀକ ସମ୍ପର୍କ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦୁଇ ଦେଶ ବିବାଦରୁ ଦୂରେଇ ରହିବା ଓ ସହଯୋଗ ରାସ୍ତାରେ ଆଗକୁ ବଢିବା ଆବଶ୍ୟକ। ଜିନପିଙ୍ଗ ଏହା ମଧ୍ୟ କହିଛନ୍ତି ଯେ ଚୀନ୍ର ରାଷ୍ଟ୍ରୀୟ ପୁନର୍ଜାଗରଣ ଓ ଆମେରିକାର ମହତ୍ୱାକାଙକ୍ଷୀ ‘ମେକ ଆମେରିକା ଗ୍ରେଟ୍ ଏଗେନ’ ଅଭିଯାନ ଏକ ସାଙ୍ଗରେ ଆଗକୁ ବଢିପାରିବ। ଜିନପିଙ୍ଗଙ୍କ ଅନୁସାରେ ଦୁଇ ଦେଶ ମିଳିତ ବିଶ୍ୱର ସୁଧାର ଓ ସ୍ଥିରତାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇ ପାରନ୍ତି।