ମିୟାଗୀ: ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସୀ (ଜେଏମଏ) ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ଉତ୍ତର ଜାପାନରେ ୬.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ତୋହକୁ କ୍ଷେତ୍ରର ଏକ ବିସ୍ତୃତ ଅଞ୍ଚଳ ଦୋହଲି ଯାଇଛି। ଅଧିକାରୀମାନେ କହିଛନ୍ତି ଯେ ସୁନାମୀ ବିପଦ ନାହିଁ। ସେହିପରି ଭୂମିକମ୍ପ ଯୋଗୁ କୌଣସିଠାରେ ସେପରି ବଡ଼ ଧରଣର କ୍ଷୟକ୍ଷତି ଅଥବା ମୃତାହତ ଖବର ଆସି ନାହିଁ। ସ୍ଥାନୀୟ ସମୟ ଅନୁସାରେ ରାତି ୮ଟା ୨୨ ମିନିଟ୍ ରେ ମିୟାଗୀ ପ୍ରାନ୍ତ ଉପକୂଳରୁ ୫୦ କିଲୋମିଟର ଦୂରରେ ଭୂମିକମ୍ପର ଉତ୍ପତି ହୋଇଥିଲା।

ଏହି ଭୂମିକମ୍ପର ପ୍ରଭାବ ଟୋମେ, ଓସାକୀ ଏବଂ ଇସିନୋମାକୀ ସହରରେ ମଧ୍ୟ ଅନୁଭୂତ ହୋଇଛି। ତେବେ ଏଠାରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫ରୁ ବି କମ୍ ଥିବାର କୁହାଯାଇଛି। ଏହି ସମୟରେ ମିୟାଗୀ ଓ ପଡୋସୀ ପ୍ରାନ୍ତ ଇଭାତେର ଅନେକ ଅଞ୍ଚଳରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ଅଙ୍କା ଯାଇଛି। ଭୂମିକମ୍ପ ଯୋଗୁ ପୁରା କ୍ଷେତ୍ରରେ ଚେତାବନୀ ଜାରି କରାଯାଇଛି। ଭୂମିକମ୍ପ ପରେ ରେଳ ସେବା ମଧ୍ୟ ପ୍ରଭାବିତ ହୋଇଛି।

ଜେଆର ଇଷ୍ଟ ଅନୁସାରେ ସତର୍କତା ସ୍ୱରୂପ ତୋହକୁ, ସିଙ୍କାସେନ୍ ଲାଇନ୍ କୁ ଟୋକିଓ ଏବଂ ଶିନଆଓମୋରୀ ଷ୍ଟେସନ ମଧ୍ୟରେ ଅସ୍ଥାୟୀ ରୂପେ ନିଲମ୍ବିତ କରାଯାଇଛି। ଏହି ସେବା ପରେ ରାତି ୧୦ଟା ୪୦ ମିନିଟ୍ ରୁ ପୁଣି ଆରମ୍ଭ କରାଯାଇଛି। ତେବେ କିଛି ଟ୍ରେନ ନିଲମ୍ବିତ ରହିଛି। ଆଜିର ତାଜା ଭୂମିକମ୍ପ ଗତ ୨୦ ଏପ୍ରିଲରେ ଆସିଥିବା ୭.୭ଭୂମିକମ୍ପ ପରେ ତୋହକୁ କ୍ଷେତ୍ରରେ ଆସିଥିବା ସବୁଠୁ ଶକ୍ତିଶାଳୀ ଭୂମିକମ୍ପ। ତେବେ ୨୦ ଏପ୍ରିଲ ଭୂମିକମ୍ପ ଲାଗି ସୁନାମୀ ସତର୍କତା ଜାରି ହୋଇଥିଲା।