ନୂଆଦିଲ୍ଲୀ : ବିନାଶକାରୀ ସୁପର ଏଲ୍ ନିନୋ। ପ୍ରଭାବରେ ମାଡ଼ି ଆସିବ ଭୟଙ୍କର ମରୁଡ଼ି। ଲମ୍ବା ଅବଧି ଚାଲିବ ଗ୍ରୀଷ୍ମ ପ୍ରବାହ। ସ୍ଥିତି ଏମିତି ହେବ ଯେ, ଦୁର୍ବଳ ହୋଇଯିବ ମୌସୁମୀ। ଅନେକ ସ୍ଥାନରେ ଦେଖାଯିବ ମରୁଡ଼ି। ତାପମାତ୍ରା ଦେଢ଼ଶହ ବର୍ଷର ଭାଙ୍ଗିବ ରେକର୍ଡ। ସମ୍ଭାବ୍ୟ ଏଲ-ନିନୋକୁ ନେଇ ଏଭଳି ସତର୍କ କରାଇଛନ୍ତି ପାଣିପାଗ ବିଜ୍ଞାନୀ।

ଏଲ୍ ନିନୋ ଏକ ପ୍ରାକୃତିକ ଜଳବାୟୁ ଘଟଣା। ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗ ସମୁଦ୍ର ପାଣି ସ୍ବାଭାବିକଠାରୁ ଅଧିକ ଗରମ ହେବା ସ୍ଥିତିରେ ଏହା ହୋଇଥାଏ। ସମୁଦ୍ର ତାପମାତ୍ରାରେ ଏହି ପରିବର୍ତ୍ତନ ବିଶ୍ବବ୍ୟାପୀ ବାୟୁ ଓ ପାଣିପାଗ ପଦ୍ଧତିକୁ ପ୍ରଭାବିତ କରିଥାଏ। ଏହାଯୋଗୁ ଅନେକ ଦେଶରେ ପାଣିପାଗ ଅଚାନକ ବଦଳିଯାଏ। କେଉଁଠି ମରୁଡ଼ି ଓ କେଉଁଠି ଭୀଷଣ ବର୍ଷା ଏବଂ ବନ୍ୟା ସ୍ଥିତି ଉପୁଜେ। ତାପମାତ୍ରା କଥା କହିଲେ ଉତ୍ତର ପ୍ରଦେଶରେ ୪୭ ଡିଗ୍ରୀ ପାର୍ । ସିଝୁଛି ମଧ୍ୟପ୍ରଦେଶ ଓ ରାଜସ୍ଥାନ ସମେତ ୧୧ ରାଜ୍ୟ । ତେବେ ତାତିର ଏହି ଭୟାନକ ରୂପରେ ଦେଶବାସୀ ଛଟପଟ ହେବେ ବୋଲି ଆଶଙ୍କା କରାଯାଉଛି।

ବିଶ୍ୱବ୍ୟାପୀ ବିଜ୍ଞାନୀମାନେ ସମ୍ଭାବ୍ୟ 'ସୁପର ଏଲ୍ ନିନୋ'କୁ ନେଇ ବର୍ତ୍ତମାନ ଖୁବ୍ ଚିନ୍ତିତ । ପ୍ରାରମ୍ଭିକ ସଙ୍କେତ ଦର୍ଶାଉଛି ଯେ ସୁପର ଏଲ୍ ନିନୋ ଦ୍ରୁତ ଗତିରେ ବଳ ଗୋଟାଉଛି। ଏହା ବିଗତ କେଇ ଦଶନ୍ଧିର ସବୁଠୁ ଶକ୍ତିଶାଳୀ ଏଲ୍ ନିନୋରେ ପରିଣତ ହେବ । ବୈଜ୍ଞାନିକଙ୍କ ମତ ଯେ ଯଦି ସୁପର ଏଲ୍ ନିନୋ ସୃଷ୍ଟି ହୁଏ, ତେବେ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିପାରେ। ବର୍ତ୍ତିବନି ଭାରତ। ମୌସୁମୀ ଦୁର୍ବଳ ହୋଇଯିବ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ମରୁଡ଼ି ସ୍ଥିତି ଉପୁଜିବ । ଭୀଷଣ ଗରମ ଅନୁଭୂତ ହେବ । ଦୀର୍ଘଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଚାଷବାସ ସବୁ ନଷ୍ଟ ହୋଇଯିବ।

ଏଲ୍ ନିନୋର ପ୍ରଭାବ ସାଧାରଣତଃ ଦକ୍ଷିଣ ଆମେରିକା ନିକଟ ପ୍ରଶାନ୍ତ ମହାସାଗରରେ ଆରମ୍ଭ ହୋଇଥାଏ । କିନ୍ତୁ ଏହାର ପ୍ରଭାବ ହଜାର ହଜାର କିଲୋମିଟର ଦୂର ଭାରତ ପର୍ଯ୍ୟନ୍ତ ପହଞ୍ଚିଥାଏ । ସ୍ୱାଭାବିକ ସ୍ଥିତିରେ ଦକ୍ଷିଣ ଆମେରିକା ନିକଟ ସମୁଦ୍ର ପାଣି ଥଣ୍ଡା ରହିଥାଏ, ଯେବେ କି ଇଣ୍ଡୋନେସିଆ ଓ ଫିଲିପାଇନ୍ସ ପଟେ ପାଣି ଅଧିକ ଗରମ ହୋଇଥାଏ । ବର୍ତ୍ତମାନ ପୂର୍ବରୁ ପଶ୍ଚିମମୁହାଁ ବାୟୁ ଏହି ଗରମ ପାଣିକୁ ଏସିଆ ଆଡ଼କୁ ଠେଲିବାରେ ଲାଗିଛି । ଏହାଦ୍ୱାରା ଏସିଆପଟେ ଗରମ ପାଣି ଜମା ହେବାରେ ଲାଗିଛି ।

ଭାରତରେ ମୌସୁମୀ ମୁଖ୍ୟତଃ ଆରବସାଗର ଏବଂ ଭାରତ ମହାସାଗରରୁ ଆସୁଥିବା ଥଣ୍ଡା ବାୟୁ ଉପରେ ନିର୍ଭରଶୀଳ। କିନ୍ତୁ ଏଲ୍ ନିନୋ ବେଳେ ବାୟୁର ପାଟର୍ଣ୍ଣ ବଦଳିଯାଏ । ଯାହାଦ୍ୱାରା ଭାରତରେ ସ୍ୱଳ୍ପ ବାଦଲ ସୃଷ୍ଟି ହୁଏ ଏବଂ ବର୍ଷା ପରିମାଣ କମିଯାଏ । ଏପ୍ରିଲ, ମେ ଏବଂ ଜୁନ୍ରେ ଯେତେବେଳେ ଆକାଶ ପରିଷ୍କାର ଥାଏ, ସୂର୍ଯ୍ୟଙ୍କ କିରଣ ସିଧାସଳଖ ଭୂମି ଉପରେ ପଡ଼ିଥାଏ । ଏହାଦ୍ୱାରା ଭୂପୃଷ୍ଠ ଦ୍ରୁତ ଗତିରେ ଉତ୍ତପ୍ତ ହୋଇଥାଏ । ଫଳରେ ଉତ୍ତର ଭାରତ, ମଧ୍ୟ ଭାରତ, ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ଅଞ୍ଚଳରେ ଭୀଷଣ ଗରମ ଅନୁଭୂତ ହୋଇଥାଏ । ଏହା ପୂର୍ବରୁ ୨୦୧୭ରେ ଶକ୍ତିଶାଳୀ ଏଲ୍ ନିନୋ କାରଣରୁ ଭାରତର ଅନେକ ସହରରେ ତାପମାତ୍ରା ୪୫ରୁ ୪୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଥିଲା ।

ବିଶେଷଜ୍ଞଙ୍କ ଅନୁସାରେ, ଏ ବର୍ଷ ଏଲ୍ ନିନୋ ନେବ ଆହୁରି ଅଧିକ ବିନାଶକାରୀ ରୂପ । ଏହାକୁ 'ସୁପର ଏଲ୍ ନିନୋ' କୁହାଯିବ । ଯେତେବେଳେ ମଧ୍ୟ-ପ୍ରଶାନ୍ତ ମହାସାଗରର ତାପମାତ୍ରା ସ୍ୱାଭାବିକଠାରୁ ୨ଡିଗ୍ରୀ ସେଲସିୟସ ବା ତା'ଠାରୁ ଅଧିକ ବଢ଼ିଯାଏ, ତାହାକୁ 'ସୁପର ଏଲ୍ ନିନୋ' କୁହାଯାଏ । ତେବେ ମଧ୍ୟ-ପ୍ରଶାନ୍ତ ମହାସାଗରର ତାପମାତ୍ରା ପୂର୍ବରୁ ହିଁ ପ୍ରାୟ +୦.୯ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚି ସାରିଛି ଏବଂ ସମୁଦ୍ର ଭିତରେ ବଡ଼ ମାତ୍ରାରେ ଗରମ ପାଣି ଜମା ହେବାରେ ଲାଗିଛି । ୧୯୫୦ ପରେ ସୁପର ଏଲ୍-ନିନୋ ଭଳି ସ୍ଥିତି ବହୁତ କମ୍ ଥର ଦେଖିବାକୁ ମିଳିଛି । ୧୯୮୨, ୧୯୯୭ ଏବଂ ୨୦୧୫ରେ ସୁପର ଏଲ୍ ନିନୋର ପ୍ରଭାବ ଦେଖିବାକୁ ମିଳିଥିଲା । କିନ୍ତୁ ଏଥର ଚିନ୍ତାର କାରଣ ପ୍ରଶାନ୍ତ ମହାସାଗର ପାଣି ଦ୍ରୁତ ଗତିରେ ଗରମ ହେବାକୁ ଲାଗିଛି । ପୂର୍ବରୁ ହିଁ ବିଶ୍ୱ ତାପନ ଯୋଗୁ ସମଗ୍ର ପୃଥିବୀ ଉତ୍ତପ୍ତ ହେବାରେ ଲାଗିଛି । ଏଭଳି ସ୍ଥିତିରେ ଯଦି ସୁପର ଏଲ୍ ନିନୋ ଆସେ, ତେବେ ତାହାର ପ୍ରଭାବ ଆହୁରି ଭୟଙ୍କର ପାଲଟିବ । ଏଲ୍ ନିନୋକୁ ନେଇ ନେଇ ବଡ଼ ସୂଚନା ଦେଇଛନ୍ତି IMD DG ମୃତ୍ୟୁଞ୍ଜୟ ମହାପାତ୍ର। ଏଲ ନିନୋ ନ୍ୟୁଟ୍ରାଲ ସ୍ଥିତିରେ ରହିଛି। ଜୁନରୁ ସେପ୍ଟେମ୍ବର ଏଲନିନୋ ହେବାର ସମ୍ଭାବନା ରହିଛି। ମୌସୁମୀ ବାୟୁକୁ ପ୍ରଭାବିତ କରେ ଏଲ-ନିନୋ। ପ୍ଲସ ମାଇନସ ୯୦ ପ୍ରତିଶତ କମ୍ ବର୍ଷା ହେବ ବୋଲି ସେ କହିଛନ୍ତି।

 Also Read- El Niño 2026 Return: ସାବଧାନ…ସତର୍କ ରହନ୍ତୁ, ଲୋଭୀ ମଣିଷର ହିସାବ କିତାବ କରିବାକୁ ଆସୁଛି ସମୁଦ୍ର ରାକ୍ଷସ...