ନୂଆଦିଲ୍ଲୀ, ୦୬/୦୪ : ଆଇପିଏଲ-୨୦୨୬ରେ ସନରାଇଜର୍ସ ହାଇଦ୍ରାବାଦର ସ୍ଥିତି ଭଲ ନାହିଁ । ଦଳ ପ୍ରଥମ ତିନୋଟି ମୁକାବିଲାରୁ ଦୁଇଟିରେ ପରାସ୍ତ ହୋଇଛି । ଟିମର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପ୍ ଆଉ କାମ କରୁନି । ରବିବାର ହାଇଦ୍ରାବାଦ ଲକ୍ଷ୍ନୌକୁ ଭେଟିଥିଲା । ଯେଉଁଥିରେ ଓପନିଂ ଯୋଡି ଫେଲ୍ ମାରିଥିଲେ । ନୀତିଶ କୁମାର ଏବଂ ହେନରିକ୍ କ୍ଲାସେନଙ୍କ ଅର୍ଧଶତକ ପାଇଁ ଦଳ ୧୫୬ ରନ୍ କରିପାରିଥିଲା ।

ତେବେ ସିଜିନରେ ଖୁସି ନାହିଁ ସନରାଇଜର୍ସ ହାଇଦ୍ରାବାଦ । ଯେଉଁଥିପାଇଁ ଟିମ୍ ମ୍ୟାନେଜମେଣ୍ଟ୍ ଏବେ ବିସିସିଆଇ ନିକଟରେ ଅଭିଯୋଗ କରିବାକୁ ଯୋଜନା କରୁଛନ୍ତି । ଯାହା ପଛରେ ରହିଛି ଖାସ୍ କାରଣ ।

ସୋସିଆଲ ମିଡିଆରେ ନେଟିଜେନ୍ସ ମୁକାବିଲାରେ ଲକ୍ଷ୍ନୌ ବୋଲର ଅଭେଶ ଖାନଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କାରଣ ଅଭେଶ ଖାନ୍ ଲକ୍ଷ୍ନୌର ବିଜୟ ପୂର୍ବରୁ ସେଲିବ୍ରେସନ କରିଥିଲେ । ସେ ବାଉଣ୍ଡରୀ ଲାଇନ୍ ଅଭିମୁଖେ ଯାଉଥିବା ଏକ ବଲକୁ ବାଉଣ୍ଡରୀ ଲାଇନ୍ ବାହାରେ ରହି ଅଟକାଇ ଦେଇଥିଲେ ।। ଯାହା ଡେଡ୍ ବଲ୍ ହୋଇଥାନ୍ତା । ରିପ୍ଲେରୁ ଏହା ସ୍ପଷ୍ଟ ଭାବେ ଜଣା ପଡୁଥିଲା । ଯାହାକୁ ନେଇ ଏସଆରଏଚ୍ ବିସିସିଆଇ ନିକଟରେ ଅଭିଯୋଗ କରିବ ବୋଲି କ୍ରିକ୍ ବଜ୍ କହିଛି ।

Also Read :-ଧୋନୀ ଦେବେ ଫିଟନେସ୍ ଟେଷ୍ଟ୍ ! ପାସ୍ କଲେ ଦିଲ୍ଲୀ ବିପକ୍ଷରେ ଖେଳିବେ ମ୍ୟାଚ୍, ଫେଲ୍ ହେଲେ...

ସୂତ୍ରାନୁସାରେ, ଆରସିବି ବିପକ୍ଷରେ ହେନରିକ୍ କ୍ଲାସେନଙ୍କୁ ଯେପରି ଭାବେ ଆଉଟ୍ ଦିଆଗଲା ତାହାକୁ ନେଇ ଦଳ ଖୁସି ନାହିଁ । ରିପ୍ଲେରେ ଫିଲ୍ ସଲ୍ଟ କ୍ୟାଚ୍ ଧରିବା ସମୟରେ ତାଙ୍କ ଗୋ଼ଡ ବାଉଣ୍ଡରୀ ଲାଇନକୁ ସ୍ପର୍ଶ ହେଉଥିବା ଜଣା ପଡିଥିଲା । ସେହିପରି ଲକ୍ଷ୍ନୌ ବିପକ୍ଷ ମୁକାବିଲାରେ ଆଭେଶ୍ ଖାନଙ୍କ ଆଚରଣ ପାଇଁ ହାଇଦ୍ରାବାଦ ଖପ୍ପା ହୋଇଛି ।

କ’ଣ ଥିଲା ଘଟଣା

ରବିବାର ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ବିଜୟ ପାଇଁ ଏକ ରନ୍ ଥିବା ବେଳେ ଋଷଭ ପନ୍ତ ଏକ ସଟ୍ ମାରିଥିଲେ । ଯାହା ବାଉଣ୍ଡରୀ ଲାଇନ୍ ଆଡେ ଯାଉଥିଲା । ଏହି ସମୟରେ ବାଉଣ୍ଡରୀ ଲାଇନ୍ ଆରପଟେ ବ୍ୟାଟ୍ ଧରି ଠିଆ ହୋଇଥିଲେ ଆଭେଶ୍ । ସେ ବଲକୁ ନିଜ ବ୍ୟାଟରେ ବାଉଣ୍ଡରୀ ଲାଇନ୍ ଛୁଇଁବା ପୂର୍ବରୁ ଅଟକାଇଦେଇଥିଲେ । ଏହା ଆଇପିଏଲରେ ଏମସିସି ଆଇନ୍ ୪୧କୁ ଉଲ୍ଲଙ୍ଘନ କରୁଛି । ଏହି ନିୟମ ଅନୁସାରେ ବଲଟି ଡେଡ୍ ବଲ୍ ହେବା କଥା । କିନ୍ତୁ ଏଥିରେ ଅମ୍ପାୟାର ହସ୍ତକ୍ଷେପ କରିନଥିଲେ ।