ଚେନ୍ନାଇ, ୦୬/୦୪ : ଖେଳୁ ନାହାଁନ୍ତି ମାହି । ଦୁର୍ବଳ ହୋଇ ପଡିଛି ଚେନ୍ନାଇ ସୁପର କିଙ୍ଗ୍ସ । ଗୋଟିଏ ପରେ ଗୋଟିଏ ମୁକାବିଲା ହାରୁଛି । ଚଳିତ ଆଇପିଏଲରେ ବ୍ୟାଟିଂ ଏବଂ ବୋଲିଂ ସବୁଥିରେ ଫେଲ୍ ମାରୁଛି ଟିମ୍ । ଯାହା ପଛର ବଡ କାରଣ ହେଲା ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତି । ସେ ଆହତଜନିତ ସମସ୍ୟା ପାଇଁ ଦୂରରେ ରହିଛନ୍ତି ।

କେବେ ଫେରିବେ ମାହି ?

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଭେଟେରାନ ଓ୍ୱିକେଟ୍ କିପର୍ ମହେନ୍ଦ୍ର ସିଂ ଧୋନୀ କିଛି ଦିନ ଭିତରେ ଫିଟନେସ୍ ଟେଷ୍ଟ୍ ଦେବେ । ଯଦି ଏଥିରେ ରେଜଲ୍ଟ ଭଲ ଆସେ ତାହାଲେ ସେ ଦଳରେ ସାମିଲ ହେବେ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଲିଗ୍ ମୁକାବିଲାରେ ଧୋନୀଙ୍କ ଖେଳିବା ସୁଯୋଗ ଅଧିକ ରହିଛି ।

ଏବେସୁଦ୍ଧା ଧୋନୀ ପ୍ରାରମ୍ଭିକ ମୁକାବିଲା ଖେଳି ନାହାଁନ୍ତି । ଏପରିକି ପ୍ରୋଟୋକଲ ଦୃଷ୍ଟିରୁ ଦଳ ସହ ଭ୍ରମଣ କରୁ ନାହାଁନ୍ତି । ଏହାରି ଭିତରେ ଅନେକ ଭିଡିଓ ସାମ୍ନାକୁ ଆସୁଛି । ସେ ନେଟ୍ସରେ ଅଭ୍ୟାସ କରୁଥିବା ନଜର ଆସୁଛନ୍ତି । କିନ୍ତୁ ଫ୍ରାଞ୍ଚାଇଜି ତାଙ୍କ କମବ୍ୟାକକୁ ସେତେ ଜୋର୍ ଦେଉନି । ଧୋନୀ ସମ୍ପୂର୍ଣ୍ଣ ଭାବେ ଫିଟ୍ ହେଲା ପରେ ହିଁ ଫେରିବେ ବୋଲି ସିଏସକେ ମ୍ୟାନେଜମେଣ୍ଟ୍ କହୁଛି ।

ଖାଲି ଧୋନୀ ନୁହେଁ, ସିଏସକେ ବ୍ୟାଟର ଡେଓ୍ୱାଲଡ୍ ବ୍ରେଭିସ୍ ମଧ୍ୟ ଗୋଟିଏ ହେଲେ ମ୍ୟାଚ୍ ଖେଳି ନାହାଁନ୍ତି । ତାଙ୍କ ଅଣ୍ଟା ପାଖ ମାଂସପେଶୀରେ ସମସ୍ୟା ରହିଛି । ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷ ମୁକାବିଲାରେ ସେ ଦଳ ସହ ବେଙ୍ଗାଲୁରୁ ଆସିଥିଲେ । କିନ୍ତୁ ସ୍କ୍ୱାଡରେ ତାଙ୍କୁ ସାମିଲ କରାଯାଇ ନଥିଲା ।

Also Read :-ଏବେ ସମାଲୋଚକ ପୂରା ଚୁପ୍...ପନ୍ତଙ୍କ ବ୍ୟାଟରୁ ବାହାରିଲା ରନ୍, ମାଲିକଙ୍କୁ ଜବାବ ଦେଲେ ଲକ୍ଷ୍ନୌ କ୍ୟାପ୍ଟେନ୍

କ'ଣ କହିଲେ ମୁଖ୍ୟ କୋଚ୍ ?

ସିଏସକେ ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଂ କହିଛନ୍ତି ଯେ, ବ୍ରେଭିସ୍ ସୁସ୍ଥ ହେବାର ଦ୍ୱାରଦେଶରେ ଅଛନ୍ତି । ଖୁବ୍ ଶୀଘ୍ର ସେ ଫେରିବେ । ଆଗାମୀ ମ୍ୟାଚରେ ସେ ଉପଲବ୍ଧ ହେବାର ସମ୍ଭାବନା ରହିଛି । ସେହିପରି ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକଓ୍ୱାଡ ଧୋନୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସମାନ କଥା କହିଥିଲେ । ଧୋନୀ ଟ୍ରାକରେ ଅଛନ୍ତି । ଧିରେ ଧିରେ ସୁସ୍ଥ ହେଉଛନ୍ତି । କିନ୍ତୁ କିଛି ସମୟ ଲାଗିବ ବୋଲି ଋତୁରାଜ ପ୍ରକାଶ କରିଥିଲେ ।