ବାରିପଦା ୧୨।୯: ବାରିପଦା DWO ଅଫିସରୁ ଲାଞ୍ଚ ଟଙ୍କା ନେଇ ହୋଟେଲ ରୁମ୍ କୁ ଆସୁଥିବା ବେଳେ ଧରାପଡ଼ିଥିବା ଏସସି-ଏସଟି ବିଭାଗର ଦୁଇ ଅଡିଟର ଗଲେ ଜେଲ୍।

ମୟୂରଭଞ୍ଜର ସମସ୍ତ ଆଦିବାସୀ ହଷ୍ଟେଲ ଓ ଆଶ୍ରମ ସ୍କୁଲର ଅଡିଟ୍ କରିବାକୁ ଆସୁଥିଲେ ଦୁଇ ବିଭାଗୀୟ ଅଡିଟର୍। ବାରିପଦାର ଏକ ଘରୋଇ ହୋଟେଲରେ ରହି କରୁଥିଲେ ଅଡିଟ୍। ସକାଳୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ କରୁଥିଲେ ଅଡିଟ୍ ଯାଞ୍ଚ। ଜଣ ଜଣ କରି ସ୍କୁଲର ହେଡମାଷ୍ଟର ଆସୁଥିଲେ କାଗଜପତ୍ର ଧରି। ଆଉ ଯାଞ୍ଚ ନାମରେ ଲଫାପାରେ ଦେଇ ଯାଉଥିଲେ ହଜାର ହଜାର ଟଙ୍କାର ବଟି।

Also Read:- ଝାରସୁଗୁଡ଼ାରେ ସୁନା ଦୋକାନରୁ ବଡ଼ ଧରଣର ଲୁଟ୍, କାନ୍ଥ ତାଡ଼ି ନେଇଗଲେ ଦେଢ଼ କୋଟିର ଗହଣା

ଖବର ପାଇ ବାଲେଶ୍ୱର ଓ ବାରିପଦା ଭିଜିଲାନ୍ସ ଟିମ୍ ଗୁରୁବାର ବିଳମ୍ବିତ ରାତିରେ ଟଙ୍କା ସହ ରାସ୍ତାରେ ମାଡ଼ି ବସିଥିଲେ ଏହି ଦୁଇ ଲାଞ୍ଚୁଆ ଅଡିଟରଙ୍କୁ । ଗାଡ଼ି ଓ ହୋଟେଲ ରୁମ୍ ରେ ଚଢ଼ାଉ ପରେ ମିଳିଥିଲା ମୋଟ୍ ୧୪ ଲକ୍ଷରୁ ଅଧିକ ଲାଞ୍ଚ ଟଙ୍କା। ଏହାପରେ ସେମାନଙ୍କୁ ଭୁବନେଶ୍ୱର ନେଇ ତାଙ୍କ ପୈତୃକ ଘର ଓ ଅଫିସ୍ ରେ ଚଢ଼ାଉ ପରେ ଆହୁରି ଅଧିକ ଟଙ୍କା ସହିତ ସମ୍ପତ୍ତିର କାଗଜପତ୍ର ଜବତ କରିଥିଲା ଭିଜିଲାନ୍ସ। ଏମାନଙ୍କ ନାମରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ସନ୍ଧ୍ୟା ପରେ ସେମାନଙ୍କୁ ପୁଣି ବାରିପଦା ଆଣି ପଚରାଉଚରା ପରେ କାଲି ବିଳମ୍ବିତ ରାତିରେ କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି ବାରିପଦା ଭିଜିଲାନ୍ସ ୟୁନିଟ୍ ର ଭାରପ୍ରାପ୍ତ ଅଧିକାରୀ।

Watch Video: